ମାଲକାନଗିରି,୦୪/୦୪(ପିପିଟି): ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ପୌରାଣିକ ସ୍ଥାନ ସୀତାକୁଣ୍ଡର ଉନ୍ନତି ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ, ଖଇରପୁଟ ବିଡିଓ ହୃଦରଞ୍ଜନ ସାହୁ,ସାଂସଦ ପ୍ରତିନିଧି ଜଗନ୍ନାଥ ମାଝି ପ୍ରମୁଖ ବଣ୍ଡାଘାଟିର ସୀତାକୁଣ୍ଡ ପରିଦର୍ଶନ କରି ଥିଲେ। ଗତ କିଛି ଦିନ ତଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବଣ୍ଡାଘାଟି ପରିଦର୍ଶନ କରି ସୀତାକୁଣ୍ଡରୁ ଜଳ ସଂଗ୍ରହ କରିଥିବା ବେଳେ ଏହାର ବିକାଶ ପାଇଁ ସେ ମଧ୍ୟ ମତ ରଖିଥିଲେ । ପୁରାଣ ପ୍ରସିଦ୍ଧ ସୀତାକୁଣ୍ଡ ପରିଦର୍ଶନ କରି ଶ୍ରୀ ଭୂୟାଁ କହିଛନ୍ତି ଯେ, ସୀତାକୁଣ୍ଡର ଉନ୍ନତି ପାଇଁ ଏହାର ଚତୁଃପାର୍ଶ୍ଵରେ ପାଚେରୀ ନିର୍ମାଣ କରାଯିବ । ଏହା ସହିତ ସୀତାକୁଣ୍ଡର ସୌନ୍ଦର୍ଯ୍ଯ କରଣ ଲାଗି ଏକ ମନୋରମ ପାର୍କ ନିର୍ମାଣ ଯୋଜନା ମଧ୍ୟ ରହିଛି। ବଣ୍ଡା ଜନଜାତିଙ୍କ ପାରମ୍ପରିକ ଜୀବନ ଶୈଳୀ ସମ୍ପର୍କରେ ମଧ୍ୟ ଏଠାରେ ସଂଗ୍ରହାଳୟ ସ୍ଥାପନ କରାଯିବ।ଫଳରେ ପର୍ଯ୍ଯଟକମାନେ ବଣ୍ଡା ଜନଜାତିଙ୍କ ଉପରେ ସମସ୍ତ ତଥ୍ଯ ପାଇ ପାରିବେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)