କେନ୍ଦୁପଦରରେ ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା; ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ପାଞ୍ଚରୁ ଊର୍ଦ୍ଧ୍ବ ଆହତ;୧୫ ଅଟକ ।

0 321

ବେଲଗୁଣ୍ଠା,୧୩/୦୩(ପିପିଟି):ସବୁଠେ ସରିଗଲା ପଚାଂୟତ ନିର୍ବାଚନ । ହେଲେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇଲାକା ହୋଇଗଲା ଅଶାନ୍ତ । ଆଉ ନିର୍ବାଚନକୁ କେନ୍ଦ୍ର କରି ଜଣକୁ ପିଟିପିଟି ମାରିଦେଲେ ରାଜନୈତିକ ଶତୃମାନେ । ଭୋଟ ପାଇଁ ଚାଲିଗଲା ଜଣକ ଜୀବନ ।ଅନାଥ ହୋଇ ଗଲେ ଦୁଇ କୁନି କୁନି ଝିଅ । ଭୋଟ ଆସିଗଲେ ଅଶାନ୍ତ ହୋଇପଡିଥାଏ ଆସିକା ଅଞ୍ଚଳ । ହେଲେ ଭୋଟ ସରିବା ପର୍ଯ୍ୟନ୍ତ ସବୁକିଛି ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ ବ୍ଳକ ଅଧ୍ୟକ୍ଷ ନିର୍ବାଚନ ପରେ ଅଶାନ୍ତ ହୋଇଗଲା ଆସିକା ବ୍ଳକ ତଥା ଗଙ୍ଗାପୁର ଥାନା ଇଲାକାର କେନ୍ଦୁପଦରର ଗ୍ରାମ । ଏହି ଗ୍ରାମରୁ ହିଁ ଖୋଦ ପୂର୍ବତନ ବ୍ଳକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ ନେତୃତ୍ବ ନେଉଥିବା ବେଳେ ଗତକାଲି ରାତିର ଅନ୍ଧାର ରେ ଦୁଇ ଗୋଷ୍ଠୀ ମଧ୍ଯରେ ଦେଖାଦେଇଥିଲା ସଂଘର୍ଷ । ଆଉ ଗୋଟିଏ ଗୋଷ୍ଠୀର ଖଣ୍ଡା ଆଉ ଭୂଜାଲି ମାଡରେ ବୁଲୁ ସ୍ବାଇଁ ନାମକ ଜଣେ ନୀରିହ ଯୁବକ ର ମୃତ ଘଟିଛି । ଖାଲି ସେତିକି ନୁହଁ । ଜଣକ ମୃତ୍ଯୁବରଣ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି । ଦଶରୁ ଅଧିକ ମୋଟରସାଇକେଲ ଭଙ୍ଗାରୁଜା ମଧ୍ଯ ହୋଇଛି । ଗାଙ୍ଗପୁର, ଆସିକା ଓ ବୁଗୁଡା ପୋଲିସ ପହଁଚି ଗାଁରେ ତଦନ୍ତ ଆରମ୍ଭ କରିଥିବା ବେଳେ ୨୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ପନ୍ଦରରୁ ଅଧିକ ଯୁବକଙ୍କୁ ମଧ୍ଯ ପୁଲିସ ଅଟକ ରଖି ଜେରା କରୁଥିବା ବେଳେ ଭୋଟ ପାଇଁ ଗୋଟିଏ ପରିବାର ଆଜି ଛାରଖାର ହୋଇଯାଇଛି । ଏନେଇ ପୁଲିସର କହିବା ପ୍ରକାରେ ଗାତ କାଲି ଆସିକା ବ୍ଳକ୍ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପରେ କେନ୍ଦୁପଦର ପଞ୍ଚାୟତର ଦୁଇ ବିପକ୍ଷ ଗୋଷ୍ଠୀ ଗ୍ରାମକୁ ଫେରିଥିଲେ । ଗ୍ରାମକୁ ଫେରିବା ପରେ ଗୋଟିଏ ଗୋଷ୍ଠୀର ୧୫ ରୁ ୨୦ ଜଣ ଲୋକ ଯାଇ ଅନ୍ୟ ଗୋଷ୍ଠୀ ଲୋକଙ୍କର କବାଟ ବାଡେଇବା ସହ ଗଣ୍ଡଗୋଳ କରିଥିଲେ । ଏନେଇ ପୁଲିସକୁ ଖବର ଦିଆଯିବା ପରେ ପୋଲିସ୍ ଆସି ଘଟଣାକୁ ଅତି ହାଲକା ଭାବେ ନେବା ସହ ଉଭୟ ଗୋଷ୍ଠୀ ମଧ୍ୟରେ ସମାଧାନ କରି ଫେରି ଯାଇଥିଲେ । ପୋଲିସ୍ ପଳେଇବା ପରେ ପୁଣି ସେହି ଗୋଷ୍ଠୀ ଲୋକ ଅପର ଗୋଷ୍ଠୀଙ୍କୁ ଆକ୍ରମଣ କରିବା ପାଇଁ ଆସିଥିଲେ । କିନ୍ତୁ ସେତେବେଳକୁ ଅପର ଗୋଷ୍ଠୀ ମଧ୍ୟ ସଜାଗ ହୋଇ ରହିଥିଲେ ପ୍ରତି ଆକ୍ରମଣ ପାଇଁ । ସୂଚନା ପ୍ରକାରେ ଗତ କାଲି ରାତି ୯ ଘଣ୍ଟା ୩୦ ମିନଟରେ ଯେତେବେଳେ ପ୍ରଥମେ ଆସିଥିବା ଗୋଷ୍ଠୀ ଦ୍ୱିତୀୟ ଥାର ପାଇଁ ଅସି କବାଟ, ଗ୍ରୀଲ ଭାଙ୍ଗି ଆକ୍ରମଣ କରିବା ଆରମ୍ଭ କରିଥିଲେ ପ୍ରତି ଆକ୍ରମଣ ପାଇଁ ସଜାଗ ହୋଇ ରହିଥିବା ଅପର ଗୋଷ୍ଠୀ ମଧ୍ୟ ଠେଙ୍ଗା, କାତି ଧରି ସେହି ଗୋଷ୍ଠୀଙ୍କୁ ଗୋଡ଼ାଇଥିଲେ । ଫଳରେ ସେଥିରୁ କିଛି ଲୋକ ନିଜ ବାଇକ୍ ରେ ପଳାଇବା ସହ ଦୁଇ ତିନି ଜନ ବାଇକ୍ ଛାଡି ଦୌଡ଼ି ପଳାଇଥିଲେ । କିନ୍ତୁ ଗ୍ରାମର ବୁଲୁ ସ୍ଵାଇଁ (୪୦) ଦୌଡ଼ିବା ସମୟରେ ଶିବ ମନ୍ଦିର ପାଖରେ ପଡିଯିବା ପରେ ଅପର ଗୋଷ୍ଠୀ ତାକୁ ଠେଙ୍ଗା ଏବଂ ଲୁହା ରଡ଼ ରେ ଆକ୍ରମଣ କରିଥିଲେ । ଫଳରେ ବୁଲୁର ମୃତ୍ୟୁ ଘଟିଥିଲା । ଘଟନା ସମ୍ପର୍କରେ ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗ ପୋଲିସ୍ ବାହିନୀ ସହ ଘଟଣା ସ୍ଥଳକୁ ଯାଇ ବୁଲୁ ସ୍ଵାଇଁର ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆସ୍କା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଏନେଇ ଭଞ୍ଜନଗର ଆଡିସନାଲ ଏସ୍.ପି ବିଜୟ ମଲ୍ଲିକ୍, ଭଞ୍ଜନଗର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ଗ୍ରାମରେ ଉତ୍ତେଜନା ପରିସ୍ଥିତି ଥିବାରୁ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଏନେଇ ବୁଲୁର ସମର୍ଥକ ଥିବା ଗ୍ରାମର ନବୀନ ପଣ୍ଡା ନାମକ ଜଣେ ବ୍ୟକ୍ତି ଏତାଲା ଦେଇଛନ୍ତି ଯେ ବୁଲୁ କିଛି ପୂର୍ବ ବାକି ମାଗିବା ପାଇଁ ଗ୍ରାମକୁ ଯାଇଥିବା ବେଳେ ଅପର ଗୋଷ୍ଠୀର ଦଶରୁ ୧୫ ଜଣ ଲୋକ ବୁଲୁକୁ ଅତର୍କିତ ଭାବେ ଆକ୍ରମଣ ମାରିଦେଇଥିଲେ । ଏନେଇ ପୋଲିସ୍ ୧୦୧/୨୨ ରେ ଏକ ମାମଲା ରୁଜୁ କରିଛି । ଅପରପକ୍ଷେ ଦିବ୍ୟଲତା ସ୍ଵାଇଁ ନାମକ ଜଣେ ବ୍ୟକ୍ତିଙ୍କ ଏତାଲା ପ୍ରକାରେ ଗ୍ରାମର ଗୋଟିଏ ଗୋଷ୍ଠୀ କାଲି ନିର୍ବାଚନରେ ହାରିଯିବା ପରେ ସେମାନେ ଆସି ଅପର ଗୋଷ୍ଠୀର ଘରେ କେହି ପୁରୁଷ ଲୋକ ନଥିବା ବେଳେ କାତି, କୁରାଢିରେ ଗ୍ରୀଲ ଏବଂ କବାଟ ବାଡେଇବା ସହ କିଛି ଲୋକଙ୍କୁ ଆକ୍ରମଣ କରିଥିଲେ । ଏନେଇ ପୁଲିସ ଆସି ସମାଧାନ କରିକି ପଳେଇବା ପରେ ସେହି ଗୋଷ୍ଠୀ ପୁଣି ଥରେ ଅତର୍କିତ ଭାବେ ଆସି ଆକ୍ରମଣ କରି ୯ ନମ୍ବର୍ ୱାର୍ଡ଼ମେମ୍ୱର ପିଣ୍ଟୁ ଗୌଡ଼, ୭ ନମ୍ବର୍ ୱାର୍ଡ଼ମେମ୍ୱର ସ୍ମୃତିରାଜ ସ୍ୱାଇଁକୁ ମାଡ଼ ମାରିବା ସହ ଘରେ ପଶି ମହିଳା ମାନଙ୍କୁ ମଧ୍ୟ ଅସଦାଚରଣ କରିଥିଲେ । ଏନେଇ ପୋଲିସ୍ ୧୦୨/୨୨ ରେ ଅନ୍ୟ ଏକ ମାମଲା ମଧ୍ୟ ରୁଜୁ କରିଛି । ଗ୍ରାମବାସୀଙ୍କ କହିବା ଗ୍ରାମର ରଞ୍ଜିତ ସ୍ୱାଇଁ ସରପଞ୍ଚ ନିର୍ବାଚନରେ ହାରି ଯାଇଥିଲେ । ସେ ଘରେ ନଥିବା ବେଳେ ଅପର ଗୋଷ୍ଠୀ ଲୋକ ଆସି ତାର କବାଟ, ଗ୍ରୀଲ କୁ ବାଡେଇବା ସହ ଝିଅ ବୋହୂକୁ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ । ଫଳରେ ସେହି ଗୋଷ୍ଠୀ ଲୋକ ଅପର ଗୋଷ୍ଠୀକୁ ଗୋଡ଼ାଇବା ପରେ ଘଟଣା ଘଟିଥିଲା । ଏନେଇ ପୋଲିସ୍ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବା ସହ ଘଟଣାର ତଦନ୍ତ ଆରମ୍ଭ୍ କରିଛି । ଘଟଣା ନେଇ ପୁଲିସ ସଜାଗ ନରହିଲେ ଆଗକୁ ବଡ଼ ଧରଣର ଅଘଟଣ ଘଟିବାର ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.