କର୍ଣ୍ଣାଟକରେ ନିର୍ଯାତନା ପାଉଛନ୍ତି ମାଲକାନଗିରି ଜିଲ୍ଲାର ୫ ଦାଦନ ଶ୍ରମିକ ।

0 249

ମାଲକାନଗିରି,୦୮/୦୩(ପିପିଟି): କର୍ଣ୍ଣାଟକ ରାଜ୍ଯରେ ନିର୍ଯାତନା ପାଉଛନ୍ତି ମାଲକାନଗିରି ଜିଲ୍ଲାର ୫ ଜଣ ଗିରିବ ଆଦିବାସୀ ଶ୍ରମିକ । ସ୍ଥାନୀୟ ଅଞ୍ଚଳରେ କାମ ନମିଳିବାରୁ କର୍ଣ୍ଣାଟକ ରାଜ୍ଯକୁ ବୋରୱେଲ୍ ଖନନ କାର୍ଯ୍ଯରେ ନିୟୋଜନ ହୋଇ ନାନା ନିର୍ଯାତନାର ଶିକାର ହୋଇଥିବା ଜଣାପଡିଛି । ଏ ସଂପର୍କରେ ମାଲକାନଗିରି ଜିଲାପାଳଙ୍କ ଜରିଆରେ ସିପିଆଇ ( ଏମ୍ ) ର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏବଂ ମାଲକାନଗିରି ଜିଲ୍ଲା ସମ୍ପାଦକ ବ୍ରଜ ମାଝି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କର୍ଣ୍ଣାଟକର ଦେବନାଗରୀ ଜିଲା ଅନ୍ତର୍ଗତ ଜାଗଲୁରୁ ତାଲୁକରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ପଞ୍ଚାୟତ ମହୁପଦର ଗ୍ରାମର ପାଞ୍ଚ ଜଣ ଆଦିବାସି ଯୁବକ ଅଟକି ରହିଛନ୍ତି । ପାଞ୍ଚ ଜଣ ହେଲେ ଡମ୍ବରୁ ଶିଶା , ଶଙ୍କର ଖିଲ , ଲକ୍ଷ୍ମଣ ଖିଲ , ଗୁରୁ ଖିଲ ଓ ହର ଖୁଲ Iମାଲକାନଗିରି ଜିଲାରେ କାମ ନ ମିଳିବାରୁ ସେମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । କର୍ଣ୍ଣାଟକ ଯିବା ପରେ ସେଠାରେ ପାଞ୍ଚ ଜଣ ମୋବାଇଲ ଛଡାଇ ନେବା ସହ ସମସ୍ତଙ୍କୁ ଜୋର ଜବରଦସ୍ତ କାମ କରିବାକୁ କୁହାଯାଇଥିଲା । ଦିନକୁ ୧୮ ଘଣ୍ଟା କାମ କରାଇବା ସହ ଖାଇବାକୁ କିମ୍ବା କୌଣସି ପାରିଶ୍ରମିକ ଦେଲେ ନାହିଁ । ପ୍ରତିଦିନ ନିର୍ଯାତନା ମିଳୁଥିଲ । ସେମାନଙ୍କ ପାଖରେ ଯାହା ସଞ୍ଚିତ ଥିଲା ସେ ସବୁ ମଧ୍ୟ ନେଇ ଯାଇଥିଲେ । କୌଣସି ପ୍ରକାରେ ସେମାନେ ମାଲକାନଗିରିକୁ ଫୋନ୍ କରିବା ପରେ ସିପିଆଇଏମ୍ ଜିଲା ନେତା ବ୍ରଜ ମାଝି ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସମ୍ପାଦକଙ୍କୁ ଅବଗତ କରାଇଥିଲେ । ଦୁହେଁ ଜିଲାପାଳଙ୍କ ସହ ସାକ୍ଷାତ କରି ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି । ଜିଲ୍ଲାପାଳ ବିଶାଳ ସିଂ ମଧ୍ୟ ଦେବନାଗରୀ ପୁଲିସ ସହ କଥାବାର୍ତ୍ତା କରି ସେମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିବା ଜଣାପଡିଛି । ଯେଉଁ ମାଲିକ ପାଖରେ ସେମାନେ କାମ କରୁଛନ୍ତି , ଉକ୍ତ ମାଲିକଙ୍କ ଦବଦବା ସେହି ଅଞ୍ଚଳରେ ଅଧିକ ଥିବାରୁ ପୁଲିସ କୌଣସି ସହଯୋଗ କରୁ ନ ଥିବା ଜଣାପଡିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଏଥିରେ ସହଯୋଗ କରି ପାଞ୍ଚ ଜଣଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.