ସାନଖେମୁଣ୍ଡି,୦୪/୦୩(ପିପିଟି): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମ ଜୟନ୍ତୀ ପାଳନ ଅବସରରେ ସାନଖେମୁଣ୍ଡି ବ୍ଲକ୍ ପୋଡାମାରୀରେ ଏକ ମେଗା ରକ୍ତଦାନ ଶିବିରର ଅନୁଷ୍ଠିତ ହୋଇଥିଲା । ପୋଡ଼ାମାରୀ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ରେକର୍ଡ ସଂଖ୍ୟକ ୨୦୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ଦୁଇଜଣ ଦିବ୍ୟାଙ୍ଗ ଏବଂ ପାଞ୍ଚଜଣ ମହିଳା ଉତ୍ସର୍ଗୀକୃତ ଭାବରେ ରକ୍ତଦାନ କରି ସମାଜକୁ ସଚେତନତା ବାର୍ତା ଦେଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ନନ୍ଦିନୀ ଦେବୀ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ସୁବାସ ମହାରଣା ଉପସ୍ଥିତ ରହି ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ଅନୁପ୍ରାଣିତ କରିଥିଲେ । ସାନଖେମୁଣ୍ଡି ବ୍ଲକ୍ ବିଜେଡି ସଭାପତି ନୀଳମାଧବ ରାଉତ , ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବିଷୋୟୀ , ବୃନ୍ଦାବନ ପ୍ରଧାନ,ଚନ୍ଦ୍ରଧ୍ଵଜ ସିଂ ପ୍ରମୁଖଙ୍କ ସହ ୨୦୦ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ବ୍ରହ୍ମପୁର ବଡ ଡାକ୍ତରଖାନା ରେଡକ୍ରସ ରକ୍ତଭଣ୍ଡାର ପକ୍ଷରୁ ଡାକ୍ତରଙ୍କ ସହ କର୍ମଚାରୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )
Prev Post