ମାଲକାନଗିରି,୨୪/୦୧(ପିପିଟି): ଗୋଟିଏ ସମିତି ସଭ୍ଯ ଆସନ ପାଇଁ ତିନି ଭାଇଙ୍କ ମଧ୍ଯରେ ପ୍ରତିଦ୍ବିନ୍ଦିତା ଦେଖିବାକୁ ମିଳିଛି। ଦୁଇ ଭାଇ ଗୋଟିଏ ପରିବାରର ହୋଇଥିବା ବେଳେ ଅନ୍ୟ ଜଣେ ନିଜ କକା ପୁଅ ଭାଇ। ଏହି ତ୍ରିକୋଣୀୟ ଲଢ଼େଇ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ ନାୟକଗୁଡ଼ା ସମିତି ସଭ୍ୟ ଆସନର ଗୁରୁତ୍ବ ବଢ଼ାଇ ଦେଇଛି । ଉଚ୍ଚଶିକ୍ଷିତ ଭାଇଙ୍କ ଏହି ଲଢ଼େଇରେ କିଏ କାହା ଉପରେ ଭାରି ପଡ଼ିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । ଚତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ ମହେଶ ପ୍ରସାଦ ବାକା ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରି ସକ୍ରିୟ ରାଜନୀତିକୁ ଆସିଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ମହେଶଙ୍କୁ କଡ଼ା ଟକ୍କର ଦେବାକୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ନିଜ ବଡ଼ବାପାଙ୍କ ଦୁଇ ପୁଅ ବିଷ୍ଣୁ ପ୍ରସାଦ ବାକା ଏବଂ ମହେଶ କୁମାର ବାକା ( ଟିଟୁ ) । ବିଷ୍ଣୁ ବିଟେକ୍ ପଢ଼ିବା ପରେ ବାଲେଶ୍ବରରେ ଚାକିରି କରୁଥିଲେ । ଚାକିରି ଛାଡ଼ି ସେ ଏବେ ରାଜନୀତିରେ ପାଦ ଥାପିଛନ୍ତି । ଅନ୍ୟ ଦୁଇ ଭାଇ ଜଣ ମଧ୍ୟ ଗ୍ରାଜୁଏଟ୍ ପଢୁଆ ଯୁବକ । ଗୋଟିଏ ଆସନ ପାଇଁ ତିନି ଭାଇଙ୍କ ମଧ୍ଯରେ ପ୍ରତିଦ୍ବନ୍ଦିତା ହୋଇଥିବାରୁ ନିର୍ବାଚନ ଉଷ୍ମତା ନିଶ୍ଚିତ ରୂପେ କଡା ଟକ୍କର ହେବ ବୋଲି କୁହାଯାଉଛି । ବିଧାୟକଙ୍କ ପୁଅ ମହେଶ ପ୍ରସାଦ କହିଛନ୍ତି ଯେ , ଗଣତନ୍ତ୍ରରେ ନିର୍ବାଚନ ଲଢ଼ିବାକୁ ସମସ୍ତଙ୍କର ଅଧିକାର ରହିଛି । ତେଣୁ ସେ ସମିତି ସଭ୍ୟ ପଦବି ପାଇଁ ରଣାଙ୍ଗନାକୁ ଓହ୍ଲାଇଛନ୍ତି । ଭୋଟରମାନେ ତାଙ୍କ ଭାଗ୍ୟର ନିର୍ଦ୍ଧରଣ କରିବେ । ଅନ୍ୟପଟେ ବଡ଼ବାପାଙ୍କ ପୁଅ ବିଷ୍ଣୁ ଏବଂ ଟିଟୁ କହିଛନ୍ତି ବିଧାୟକଙ୍କ ପରିବାର ଲୋକଙ୍କ ଉପରେ ଅତ୍ୟାଚାର କରି ଆସୁଛନ୍ତି । ଅତ୍ୟାଚାରକୁ ଶେଷ କରି ଲୋକଙ୍କୁ ସୁଶାସନ ଓ ମୌଳିକ ସୁବିଧା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜନୀତିକୁ ଆମ୍ଭେ ଆସିଅଛୁ । ନିର୍ବାଚନର ଫଳାଫଳ ଯାହା ବି ହେଉ କିନ୍ତୁ ସମସ୍ତଙ୍କ ନଜର ଏହି ଆସନ ଉପରେ ରହିବ । ଲୋକେ କାହା ସପକ୍ଷରେ ରହିବେ ତାହା ଦେଖିବାକୁ ବାକି ରହିଲା । ଏହାର ପ୍ରତିକ୍ରିୟାରେ ନିଜେ ବିଧାୟକ ଶ୍ରୀ ବାକା କହିଛନ୍ତି କି ଯେ,ପୁଅମାନେ ବଡାହେବା ପରେ ସେମାନଙ୍କ ନିଜ ନିଜର ସ୍ବତନ୍ତ୍ର ଅଧିକାର ରହିଛି, ଯାହା ଭଲ ତାହାର ବିଚାର କରିବେ ମତଦାତା । ସେଥିରେ ମୋର କିଛି କହିବାର ନାହିଁ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post