ଭଞ୍ଜନଗର,୧୦/୦୧(ପିପିଟି): ଜଗନ୍ନାଥ ପ୍ରସାଦ ବ୍ଲକ କୋକଳବା ପଞ୍ଚାୟତ ଜାଡଧାର ଗ୍ରାମର ଦେବ ନାଇକ(୬୨) ରବିବାର ଘରେ ଏକାକୀ ଶୋଇଥିବା ସମୟରେ ରାତି ପ୍ରାୟ ୨ଟା ବେଳେ ନିକଟ ଜଙ୍ଗଲରୁ କିଛି ବାରହା ତାର ଘର ପଛପଟୁ ଆସି ଗୋଡ଼ ଓ ଅନ୍ୟ କେତେକ ସ୍ଥାନକୁ କାମୁଡ଼ି ଦେଇଥିବା ଜଣାପଡିଛି। ଗତ ରାତିରେ ବିଦ୍ୟୁତ କାଟ ହୋଇଥିବାରୁ ବାରହାମାନେ ଅନ୍ଧାରର ସୁଯୋଗରେ ଆସି ଗ୍ରାମରେ ବ୍ୟାପକ ଫସଲ ନଷ୍ଟ କରିବା ସହିତ ଦେବ ନାଇକକୁ ଆକ୍ରମଣ କରି ଗୁରୁତର କରିଦେଇଥିବା ଜଣାପଡିଛି। ଏ ସମ୍ପର୍କରେ ଗ୍ରାମବାସୀ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କୋୖଣସି ପଦକ୍ଷେପ ଗ୍ରହଣ କରୁ ନଥିବା ବେଳେ କ୍ଷତିପୂରଣ ବାବଦରେ ମାତ୍ର ପାଞ୍ଚ ଶହ ଟଙ୍କା ଦେଇ ଲୋକଙ୍କୁ ଭୁଆଁ ବୁଲାଇ ଦେଉଥିବା ଅଭିଯୋଗ ହୋଇଛି।ସ୍ଥାନୀୟ ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକ ଖବର ପାଇ ଗୁରୁତର ଆହତ ଦେବ ନାଇକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲ ପଠାଇ ତାର ଚିକିତ୍ସାରେ ସହଯୋଗ କରିଛନ୍ତି।ତୁରନ୍ତ ପ୍ରଶାସନ ତରଫରୁ ଆହତ ଦେବକୁ ଆର୍ଥିକ କ୍ଷତିପୂରଣ ଓ ଚିକିତ୍ସା ଖର୍ଚ୍ଚ ଯୋଗାଇଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )