ବ୍ରହ୍ମପୁର,୦୭/୦୧(ପିପିଟି): ଚଳିତବର୍ଷ ବ୍ରହ୍ମପୁର ବନାଅଞ୍ଚଳରେ ପକ୍ଷୀ ସଂଖ୍ୟା ବଢ଼ିଛି । ୧୦୨ ପ୍ରଜାତିର ୩୩ ହଜାର ୯୯୮ ଟି ପକ୍ଷୀ ଚିହ୍ନଟ ହୋଇଥିବା ଗଣନାରୁ ଜଣାପଡିଛି । ବ୍ରହ୍ମପୁର ବନାଞ୍ଚଳ ଅଧୀନସ୍ଥ ବ୍ରହ୍ମପୁର,ଖଲ୍ଲିକୋଟ,ଦିଗପହଣ୍ଡି ଓ ସାମନ୍ତିଆପଲ୍ଲୀ ବନଖଣ୍ଡରେ ଏହି ପକ୍ଷୀ ଗଣନା ହୋଇଥିଲା । ଏଥିନିମନ୍ତେ ୪୮ଟି ୟୁନିଟ୍ ଟିମ୍ ନିୟୋଜିତ ଥିଲେ । ବ୍ରହ୍ମପୁର ବନଖଣ୍ଡରେ ୧୨ଟି ୟୁନିଟ୍ ପକ୍ଷୀଗଣନା କରିଥିବା ବେଳେ ୮୭ ପ୍ରଜାତିର ୨୧ ହଜାର ୧୧୦ଟି ପକ୍ଷୀ ଚିହ୍ନଟ ହୋଇଥିଲା । ସେହିଭଳି ଖଲ୍ଲିକୋଟରେ ୧୫ଟି ୟୁନିଟ୍ ପକ୍ଷୀଗଣନାରେ ନିୟୋଜିତ ଥିଲେ ଏଠାରେ ୬୦ଟି ପ୍ରଜାତିର ୮ ହଜାର ୫୦୭ ଟି ପକ୍ଷୀ ଚିହ୍ନଟ କରାଯାଇଛି । ଦିଗପହଣ୍ଡିରେ ୧୩ଟି ପକ୍ଷୀ ଗଣନାକାରୀ ୟୁନିଟ୍ ଦ୍ୱାରା ୨୨ ପ୍ରଜାତିର ୧ ହଜାର ୨୫୭ଟି ପକ୍ଷୀ ଚିହ୍ନଟ ହୋଇଥିବା ବେଳେ ସାମନ୍ତିଆପଲ୍ଲାରେ ୮ଟି ଟିମ ଗଣନା କରିଥିଲେ ୩୫ ପ୍ରଜାତିର ୩ ହଜାର ୧୨୪ଟି ପକ୍ଷୀ ଚିହ୍ନଟ ହୋଇଥିବା ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତବର୍ଷ ୯୫ ପ୍ରଜାତିର ୨୪ ହଜାର ୨୯୮ଟି ପକ୍ଷୀ ଚିହ୍ନଟ ହୋଇଥିବାବେଳେ ଏହି କାର୍ଯ୍ୟରେ ୪୨ଟି ୟୁନିଟ୍ ସାମିଲ ଥିଲେ । ଗତବର୍ଷ ଅପେକ୍ଷା ଚଳିତବର୍ଷ ୯ ହଜାର ୭୦୦ ନୂତନ ପକ୍ଷୀ ବ୍ରହ୍ମପୁର ଅଞ୍ଚଳରେ ବଢିବା ଏକ ଖୁସିର ବିଷୟ । ଚଳିତବର୍ଷ ସବୁଠାରୁ ଅଧିକା ବାହୁଦା ମୁହାଁଣରୁ ୧୩ ହଜାର ୯ ଶହ ୯୯ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି । ସେହିଭଳି ପୋତାଗଡ଼ରୁ ୩ ହଜାର ୯୫ ତାମ୍ପରା ହ୍ରଦରେ ୨ ହଜାର ୮ ଶହ ୮୦ , ହୁମ୍ମା ସାଲ୍ଟପାନ୍ ରୁ ୨ ହଜାର ୨ ଶହ ୫୫ , କଳଥିଗାଁ ବଡ଼ବନ୍ଧରୁ ୨ ହଜାର ୨ ଶହ ୩୦ ପକ୍ଷୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ହୋଇଥିବା ପକ୍ଷୀ ମଧ୍ୟରେ ଲିଟିଲ୍ କର୍ମାଣ୍ଟ , ଲିଟିଲ୍ ଇଗ୍ରାଟ୍ , କେଟେଲ୍ ଇଗ୍ରାଟ୍ , ଲେଜର ୱିସିଟିଲଙ୍ଗ ଡ଼ୁକ୍ , ବାର୍ ହେଡ଼େଡ୍ ଗୋସ୍ , ନୋର୍ଥେନ୍ , ପେଇନଟେଇଳ୍ସ୍ ଗାଡ଼ୱାଲ୍ ରେଡ୍ କ୍ରିଷ୍ଟେଡ଼ ପୋର୍ଚାଡ , ବ୍ରୋନ୍ ହେଡ଼େଡ୍ ଗୁଲ୍ ପ୍ରମୁଖ ପ୍ରଜାତିର ରହିଛନ୍ତି । ଗତବର୍ଷ ଠାରୁ ବାହୁଦା ମୁହାଁଣରେ ବନବିଭାଗ ପକ୍ଷରୁ ପକ୍ଷୀ ଗଣନା ହେଉଥିବା ବେଳେ ଦୁଇବର୍ଷ ହେବ ସେଠାରେ ଅଧିକା ପକ୍ଷୀ ଥିବା ଜଣା ପଡ଼ିଛି । ସୁଚାନମୁତାବକ ଗତବର୍ଷ ସେଠାରେ ୮ ଟିକିଆ ହାତୀପଲ ଛୁଆ ହାତୀ କୁ ଛାଡ଼ି କେଉଁଆଡେ ଚାଲିଯାଇଥିଲେ । ପରେ ବନବିଭାଗ ସେଠାରୁ ହାତୀକୁ ଉଦ୍ଧାର କରିବା ସମୟରେ ବାହୁଦା ମୁହାଁଣରେ ପକ୍ଷୀଙ୍କ ସମ୍ବାର ଥିବା ଜଣାପଡିଥିଲା । ଶୀତ ଦିନ ଆସିଲେ ସେଠାରେ ପକ୍ଷୀଙ୍କ ଭିଡ଼ ଖୁବ୍ ଜମୁଛି । ଶାନ୍ତ ଶିଷ୍ଟ ପରିବେଶ ହୋଇଥିବାରୁ ଉକ୍ତ ସ୍ଥାନ ପ୍ରତି ବନବିଭାଗର ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।
(ରିପୋର୍ଟ- ଆରତ କୁମାର ହୋତା। )