ଗଞ୍ଜାମ ଜ଼ିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜ଼ିଲ୍ଲା ଭାବେ ଘୋଷଣା କଲେ ଜ଼ିଲ୍ଲାପାଳ ।

0 403

ଛତ୍ରପୁର,୦୩/୦୧(ପିପିଟି): ଗଞ୍ଜାମ ଜ଼ିଲ୍ଲା ହେଲା ବାଲ୍ୟ ବିବାହ ମୁକ୍ତ ଜ଼ିଲ୍ଲା, ଏହା ଘୋଷଣା କରିଛନ୍ତି ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏଥିରେ କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଲେ ଜ଼ିଲ୍ଲାପାଳ । ଗଞ୍ଜାମ ଜ଼ିଲ୍ଲାରେ “ନିର୍ଭୟା କଢି” ଯୋଜନାର କାର୍ଯ୍ୟକାରିତା ପରେ ତଳ ସ୍ତରରୁ କମିଟି ଗଠନ କରାଯାଇ ଏହି ଯୋଜନାର ସଫଳ ରୂପାୟନ ଦିଗରେ ବ୍ୟାପକ ସଚେତନତା ମୂଳକ ପଦକ୍ଷେପ ସହିତ ବାଲ୍ୟ ବିବାହକୁ ରୋକିବା ନେଇ ଅନେକ ଗୁଡିଏ ଦୃଷ୍ଟାନ୍ତ ମୂଳକ ପଦେକ୍ଷପ ଗ୍ରହଣ କରାଯାଇଥିଲା । ଗ୍ରାମ ପଞ୍ଚାୟତ ଏବଂ ବିଜ୍ଞାପିତ ଅଞ୍ଚଳ ସ୍ତରରେ ସରପଞ୍ଚଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅଙ୍ଗନୱାଡି କର୍ମୀ , ଆଶାକର୍ମି ଏବଂ ସହାୟିକା ମାନଙ୍କୁ ନେଇ କମିଟି ଗଠନ କରାଯାଇଥିଲା । ସେହି କମିଟିର ସର୍ଭେ ରିପୋର୍ଟକୁ ଆଧାରକରି ବ୍ଲକ ସ୍ତରରେ ପୁନଃ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଜ଼ିଲ୍ଲା ଶିଶୁ ବିକାଶ ଯୋଜନା ଅଧିକାରୀ ଏବଂ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ ଏହାର ପ୍ରକୃତ ସତ୍ୟା ସତ୍ୟ ଯାଞ୍ଚ କରିବା ସହିତ ଅନୁସନ୍ଧାନ ରିପୋର୍ଟ ଜ଼ିଲ୍ଲା ସ୍ତରରେ ସମ୍ପୃକ୍ତ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରିବା ସକାଶେ ଉପସ୍ଥାପନ କରିଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ସ୍ତରରେ ୧୪,୪୨୨ ଗୋଟି ବୈଠକ ହୋଇଛି ।

ନିର୍ଭୟା କଢି ଯୋଜନା କାର୍ଯକାରୀ ପରେ ୨୦୧୯ ମସିହାରେ ୪୫ ଗୋଟି,୨୦୨୦ ମସିହାରେ ୨୨୮ ଗୋଟି ଏବଂ ୨୦୨୧ ମସିହାରେ ୨୦୧ ଗୋଟି ବାଲ୍ୟ ବିବାହକୁ ରୋକା ଯାଇପାରିଥିଲା I ବର୍ତମାନ ଗଞ୍ଜାମ ଜ଼ିଲ୍ଲାରେ ୩୩୦୯ ଗୋଟି ଶିଶୁ ବିବାହ ମୁକ୍ତ ଗ୍ରାମ, ସହରାଞ୍ଚଳର ୨୮୦ ଗୋଟି ଶିଶୁ ବିବାହ ମୁକ୍ତ ୱାର୍ଡ ଏବଂ ୫୦୩ ଗୋଟି ଶିଶୁ ବିବାହ ମୁକ୍ତ ଗ୍ରାମପଞ୍ଚାୟତ ଭାବେ ଜ଼ିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଘୋଷଣା କରିଛନ୍ତି । ଆଗାମି ଦିନରେ ଝିଅ ମାନଙ୍କୁ ବୃତ୍ତିଗତ ପରାମର୍ଶ ଦିଆଯିବ ।

ଆଜିର ଏହି ବାଲ୍ୟ ବିବାହ ମୁକ୍ତ ଘୋଷଣା ସମୟରେ ଅତିରିକ୍ତ ଜ଼ିଲ୍ଲାପାଳ ଲିନା କୁମାରୀ ଖେସ୍, ଜ଼ିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅତରିକ୍ତ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ଅଧିକାରୀ,ଜ଼ିଲ୍ଲା ଶିଶୁ ବିକାଶ ଅଧିକାରୀ ସୁବୋଧ କୁମାର ଷଢଙ୍ଗୀ, ଆକ୍ସନ ଏଡ଼ର ଜ଼ିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.