ମାଲକାନଗିରି ଜିଲ୍ଲାରେ ଧାନମଣ୍ଡି ବନ୍ଦ, ଆରମ୍ଭରୁ ଅଚଳାବସ୍ଥା,ଧାନ ବିକି ନପାରି ଚାଷୀ ହଟ୍ଟହଟ୍ଟା ।

0 334

ମାଲକାନଗିରି,୧୬/୧୨(ପିପିଟି): ଗତ କାଲି ମାଲକାନଗିରି ଜିଲ୍ଲାରେ ୧୪ଟି ଧାନ ମଣ୍ଡିକୁ ଜିଲ୍ଲା ପ୍ରଶାସନ ଦ୍ବାରା ଶୁଭାରମ୍ଭ କରାଯାଇଥିବା ବେଳେ ନିଜ ସ୍ୱାର୍ଥକୁ ଜାହିର କରିବା ପାଇଁ ଲ୍ୟାମ୍ପ କର୍ମଚାରୀମାନେ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିନଥିବା ଜଣାପଡିଛି । ଫଳରେ ଚାଷୀମାନଙ୍କ ମଧ୍ଯ ତୀବ୍ର ଅସନ୍ତୋଷ
ଦେଖା ଦେଇଛି । ମାଲକାନଗିରି ଜିଲ୍ଲାରେ ଧାନମଣ୍ଡି ଆରମ୍ଭ ଦିନରୁ ବଢିଲା ବିବାଦ । ପ୍ରଥମ ଦିନରେ ୧୪ଟି ଧାନମଣ୍ଡିର ଶୁଭ ଉଦ୍‌ଘାଟନ ହେଲାପରେ କିଣା ହେଲାନାହିଁ ଧାନ । ଦୀର୍ଘ ଦିନ ଧରି ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ଅବ୍ଯାହତ ରହିଥିବା ବେଳେ ଏହାକୁ ଚିନ୍ତା କରାଯାଇ ଡିସେମ୍ବର ୮ ତାରିଖ ବଦଳରେ ଗତ ୧୫ ତାରିଖରେ ମାଲକାନଗିରି ଜିଲ୍ଲାର ଧାନମଣ୍ଡି ଶୁଭାରମ୍ଭ କରା ଯାଇଥିଲା । ଗତ କାଲି ମାଲକାନଗିରି,କାଲିମେଳା, କୋରୁକୋଣ୍ଡା, ପଡିଆ, ଖଇରପୁଟ, ମାଥିଲି, ଆଦି ଅଞ୍ଚଳରେ ୧୪ଟି ଧାନ ମଣ୍ଡିର ଶୁଭାରମ୍ଭ କରା ଯାଇଥିଲା । ଏହି ମଣ୍ଡି ଗୁଡିକରେ ବହୁ ଚାଷୀ ଧାନ ବିକ୍ରୟ କରିବା ନିମନ୍ତେ ଧାନ ଆଣିଥିଲା ବେଳେ ପ୍ରଥମ ଦିନରେ କୌଣସି ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଇ ନଥିଲା । ସନ୍ଧ୍ୟା ପର୍ଯ୍ଯନ୍ତ ଲ୍ଯାମ୍ପ କର୍ମଚାରୀମାନେ ୧୪ ଗୋଟି ମଣ୍ଡିରୁ ଧାନ କୌଣସି ଚାଷୀମାନଙ୍କ ଠାରୁ କ୍ରୟ କରିନଥିବା ଯୋଗୁଁ ମଣ୍ଡିରେ ବସ୍ତା ବସ୍ତା ଧାନ ପଡି ରହିଛିା ତେବେ ମଣ୍ଡିର ବିଭିନ୍ନ ସମସ୍ୟା ନେଇ ଅନେକ ଚାଷୀ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତିା ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କୁ ପଚାରିବାରୁ ସେ କହିଲେ ଯେ ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ଚାଲିଥିବାରୁ ସେମାନେ ଧାନକ୍ରୟ କରି ନାହିଁନ୍ତି Iସେମାନଙ୍କୁ ଧାନ କିଣିବା ନିମନ୍ତେ ଦାୟିତ୍ୱ ଦିଆ ଯାଇଥିଲ।। ଏ ସମ୍ପର୍କରେ ଲିଖିତ ଭାବେ ମଧ୍ୟ ଜଣାଇଥିବା ସେ ପ୍ରକାଶ କରିଛନ୍ତିା ସୁଚନା ଯୋଗ୍ୟ ଯେ, ଧାନମଣ୍ଡି ପରିଚାଳନା ନିମନ୍ତେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରୁ ୨୩ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲ । ସେଥିମଧ୍ୟରୁ ୧୨ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଯୋଗ୍ଯ ବିବେଚିତ କରାଯାଇ ଚିହ୍ନଟ କରା ଯାଇ ଥିଲା ବେଳେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠା ଯାଇଥିଲା। ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଧାନମଣ୍ଡି ପରିଚାଳନା କରିବା ନିମନ୍ତେ ଦୀର୍ଘ ଦିନ ଧରି ଭୁଆ ବୁଲାଇବା ପରେ ବିଭିନ୍ନ ଆଳ ଦେଖାଇ ଶେଷରେ ବାରଣ କରା ଯାଇଥିଲା । ବର୍ତ୍ତମାନ ଲ୍ୟାମ୍ପ କର୍ମଚାରୀମାନେ ନିଜ ସ୍ୱାର୍ଥକୁ ଜାହିର କରିବା ପାଇଁ ଆନ୍ଦୋଳନକୁ ଅବ୍ଯାହତ ରଖିଥିବା ବେଳେ ଧାନ କ୍ରୟ ଲାଗି ବିକଳ୍ପ ବ୍ଯବସ୍ଥା ଭାବେ କୌଣସି ବ୍ଯବସ୍ଥା ନାହିଁ । ଅନ୍ଯପକ୍ଷରେ ପ୍ରତି ବର୍ଷ ଲ୍ଯାମ୍ପଗୁଡିକ ଚାଷୀଙ୍କ ଠାରୁ ଧାନ କ୍ରୟ କରି ଯୋଗାଣ ବିଭାଗ ସହ ମଧୁଚନ୍ଦ୍ରିକା କରି ଆସୁଥିବା ବେଳେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ଧାନ ମଣ୍ଡି ପରିଚାଳନା ଦାୟିତ୍ବ ଦିଆ ଯାଉ ନଥିବା ଚର୍ଚ୍ଚା ହେଉଛି । ଅନ୍ଯ ପକ୍ଷରେ ନୂତନ ଜିଲ୍ଲାପାଳଙ୍କ କୌଣସି ଅଭିଜ୍ଞତା ନଥିବାରୁ ତଳିଆ ଅଫିସରଙ୍କ ହଁ ରେ ହଁ ମିଶାଇ ଜିଲ୍ଲାର ଶାସନ କଳ ମନ୍ଥର ଗତିରେ ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଣେ ଚାଷୀମାନେ ମଣ୍ଡିକୁ ଧାନ ଆଣି ଶୀତ କାକରରେ ପଡି ରହି ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.