ଭୁବନେଶ୍ୱର/ଛତ୍ରପୁର, ୨୮/୦୮(ପିପିଟି); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ଚତୁର୍ଥ ପର୍ଯ୍ୟାୟରେ 5ଟି କାର୍ଯ୍ୟକ୍ରମରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି।
ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଲା, ପଞ୍ଚାୟତ ହାଇସ୍କୁଲ, ଦୁରବନ୍ଧ ପଞ୍ଚାୟତ,ସରକାରୀ ହାଇସ୍କୁଲ, ସେରଗଡ ପଞ୍ଚାୟତ,ବୃନ୍ଦାବନ ସରକାରୀ ହାଇସ୍କୁଲ, ହିଞ୍ଜିଳିକାଟୁ ମ୍ୟୁନିସ୍ପାଲଟି,ରାମଚନ୍ଦ୍ରପୁର ହାଇସ୍କୁଲ, ନରେନ୍ଦ୍ରପୁର ପଞ୍ଚାୟତ, ୟୁ.ଏନ୍. ହାଇସ୍କୁଲ, ସିକ୍ରୀ ପଞ୍ଚାୟତ,ବି. ବ୍ରହ୍ମପୁର ହାଇସ୍କୁଲ, କୃଷ୍ଣଛାଇ ପଞ୍ଚାୟତ, ସରକାରୀ ୟୁ.ଜି. ହାଇସ୍କୁଲ, ବିକେପୁର, ପୁଟିଆପଦର ପଞ୍ଚାୟତ,ନରେନ୍ଦ୍ରପୁର ହାଇସ୍କୁଲ, ନରେନ୍ଦ୍ରପୁର ପଞ୍ଚାୟତ,ସରକାରୀ ୟୁ.ଜି. ହାଇସ୍କୁଲ, ନନ୍ଦିକା ପଞ୍ଚାୟତ,ପିତ୍ତଳ ବାଳକ ହାଇସ୍କୁଲ, ପିତ୍ତଳ ପଞ୍ଚାୟତ
ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ। ଆଜି ସୁଦ୍ଧା ୪୦ଟି ସ୍କୁଲ ଲୋକାର୍ପିତ ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ହିଞ୍ଜିଳିର ଏ ସ୍କୁଲ ରୂପାନ୍ତର ପିଲାମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଭରି ଦେଇଛି। ଏହା ସେମାନଙ୍କ ଉଜ୍ଜଳ ଭବିଷ୍ୟତକୁ ସାକାର କରିବ ଓ ସେମାନଙ୍କୁ ଜୀବନର ସବୁ କ୍ଷେତ୍ରରେ ଶ୍ରେଷ୍ଠ କରି ଗଢିତୋଳିବା ପାଇଁ ସୁଯୋଗ ସୃଷ୍ଟି କରିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଯୁଗ ପ୍ରତିଯୋଗିତାର ଯୁଗ, ଜ୍ଞାନର ଯୁଗ ।ବର୍ତ୍ତମାନ ଯୁଗର ଆବଶ୍ୟକତା କୁ ଆଖି ଆଗରେ ରଖି ଆମେ ପିଲାଙ୍କୁ ସବୁଠାରୁ ଭଲ ସୁବିଧା ଦେବା ପାଇଁ ଚେଷ୍ଟା କରିଛୁ ।
ହିଞ୍ଜିଳିରୁ ଆରମ୍ଭ ହୋଇଥିବା ଏ ପରିବର୍ତ୍ତନ, ଏ ରୂପାନ୍ତର ଓଡିଶାର ଭବିଷ୍ୟତକୁ ଉଜ୍ଜଳ କରିବ ଓ ଓଡିଶାର ପିଲାମାନଙ୍କୁ ଦେଶର ଶ୍ରେଷ୍ଠ ନାଗରିକ କରି ଗଢିତୋଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ର ଜୀବନ ହେଉଛି ଭବିଷ୍ୟତ ଗଢିବାର ସମୟ। ପିଲାମାନଙ୍କର ଭବିଷ୍ୟତ ଭଲ ହେଲେ, ରାଜ୍ୟ ଓ ଦେଶର ଭବିଷ୍ୟତ ମଧ୍ୟ ଉଜ୍ଜଳ ହେବ । ତେଣୁ ସବୁ ପିଲାମାନେ ନିଜ ଭବିଷ୍ୟତ ପାଇଁ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାକୁ ସାକାର କରିବା ପାଇଁ କଠୋର ପରିଶ୍ରମ କରନ୍ତୁ ଏବଂ ନିଜ ପାଇଁ ଓ ନିଜ ପରିବାର ପାଇଁ ସଫଳତା ଆଣନ୍ତୁ ବୋଲି ସେ କହିଥିଲେ । ପିଲା ମାନଙ୍କ ସଫଳତା ହିଁ ହେବ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର ।
୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ଏହାର ପ୍ରତ୍ୟେକ ନୀତିର ପ୍ରୟୋଗରେ କିପରି ବିଦ୍ୟାଳୟ ରୂପାନ୍ତରଣ କରାଯାଇଛି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ବୁଝାଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ। ଓଡିଶାର ସବୁ ସ୍କୁଲରେ ଆସିବ ରୂପାନ୍ତରଣ। ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀ ଜଗନ୍ନାଥ ସାରକା ,ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଉଦାହରଣ। ଜନପ୍ରତିନିଧି ଭାବରେ ସେମାନେ ସମାଜର ସବୁ କ୍ଷେତ୍ରରେ ଏପରି ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯୋଗ ଦେଇଥିବା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମନ୍ତ୍ରୀ ଜଗନ୍ନାଥ ସାରକା ବିଧାୟକଗଣ, ସେମାନଙ୍କ ଭାଷଣରେ କେଵଳ ହିଞ୍ଜିଳିର ସ୍କୁଲ ନୁହେଁ ସମଗ୍ର ନିର୍ବାଚନ ମଣ୍ଡଳୀ ବିକାଶ ର ଅନନ୍ୟ ମଡେଲ ବୋଲି ମତ ଦେଇଥିଲେ । ଆଗାମୀ ନଭେମ୍ବର ୧୪ ଶିଶୁ ଦିବସରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 5ଟି ରୂପାନ୍ତରଣ ରେ ରୂପାନ୍ତରିତ ହୋଇ ଥିବା ୧୦୭୦ ଲୋକାର୍ପିତ ହେବ ବୋଲି କାର୍ଯ୍ୟକ୍ରମ ପରିଚାଳନା କରି 5ଟି ସଚିବ ଭି କେ ପାଣ୍ଡିଆନ୍ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ପାରସ୍ପରିକ ଆଲୋଚନା ସମୟରେ ସ୍ମୃତି ,ଅଙ୍କିତା , ପୂଜା ରାଣୀ ,ପ୍ରଜ୍ଞାଶ୍ରୀ ଅମ୍ବିକା ଆଶା ,ଦୁର୍ଗା ମାଧବ ଆଦି ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ସେମାନେ ଆଗକୁ ବଢି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର କରିବେ ଵୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।