ଜଗତସିଂହପୁର,୧୩/୦୮(ପିପିଟି);ଜଗତସିଂହପୁରର ବିକାଶ ଓ ଲୋକମାନଙ୍କ ସୁବିଧା ପାଇଁ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭର୍ଚୁଆଲ ଲୋକାର୍ପଣ ଓ ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଦ୍ଵାରା କରାଯାଇଛି ।ତିର୍ତ୍ତୋଲ – ପାରାଦୀପ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ମଧ୍ୟରେ ରଘୁନାଥପୁର ଉପ ନିବନ୍ଧକ କାର୍ଯ୍ୟାଳୟର ନୂତନ ଗୃହ,ବିଜୁ ସେତୁ ଯୋଜନାରେ ତଳକୁସୁମା-ଲଙ୍କାପଡ଼ା ରାସ୍ତାର ପାଇକା ନଦୀ ଉପରେ ଉଚ୍ଚ ସେତୁ, ମା’ ଶାରଳାଙ୍କ ମନ୍ଦିର, କନକପୁର ନିକଟରେ ୩୬ ଟି ଦୋକାନ ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ,ମା’ ଶାରଳାଙ୍କ ମନ୍ଦିର ଓ ପାରିପାର୍ଶ୍ବକ ଉନ୍ନତିକରଣ କାର୍ଯ୍ୟ,ପାରାଦୀପରେ ନବନିର୍ମିତ ସ୍ବତନ୍ତ୍ର ସର୍କିଟ ହାଉସ, ପାରାଦୀପରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ,କୁଜଙ୍ଗ ଉପ ନିବନ୍ଧକ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ, କୋଭିଡ୍ ଚିକିତ୍ସାଳୟ,ପାରାଦୀପ ପରିସରରେ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଏବଂ ବଣ୍ଟନ ବ୍ୟବସ୍ଥା ଇତ୍ୟାଦି କାର୍ଯ୍ୟର ଲୋକାର୍ପଣ,ଜଗତସିଂହପୁର- ଜଇପୁର ରାସ୍ତାର ଛପଡା ଠାରେ ରେଳ ଓଭରବ୍ରିଜ ,ରଘୁନାଥପୁର ବ୍ଲକ ଅନ୍ତର୍ଗତ କୋରକୋର ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆଦିକବି ଶାରଳା ଦାସ ମହାବିଦ୍ୟାଳୟର ନୂତନ ଗୃହ , କୁଜଙ୍ଗ ବ୍ଲକ ଅଗପାଳ ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ଓ ଇଟ୍ଟାଙ୍ଗ ଶାଖା ସଫେଇ ସମୂହର ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମକୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଜଗତସିଂହପୁର ଠାରେ ପ୍ରାରମ୍ଭିକ ଭାଷଣ ସହ ଆରମ୍ଭ କରିଥିଲେ । ଜଗତସିଂହପୁର ବ୍ଲକ ଓ ମ୍ୟୁନିସିପାଲିଟିର ପ୍ରକଳ୍ପ ଗୁଡିକୁ ସାଂସଦ ଡ.ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମିଳିତ ଭାବେ, ଜଳସେଚନ ମନ୍ତ୍ରୀ ତଥା ବିଧାୟକ ରଘୁନନ୍ଦନ ଦାସ ବାଲିକୁଦା ଏରସମା ଅଞ୍ଚଳର ପ୍ରକଳ୍ପ ଗୁଡ଼ିକୁ ଲୋକାର୍ପଣ କରିବା ସହ ନୂତନ କାର୍ଯ୍ୟର ଶିଳାନ୍ୟାସ ଫଳକ ଉନ୍ମୋଚନ କରିଛନ୍ତିି । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି । )