ବେଲଗୁଣ୍ଠା,୧୫/୦୬(ପିପିଟି), ରକ୍ତ ଅଭାବ ଜନିତ ସମସ୍ୟାର ସମାଧାନ ନିମନ୍ତେ ରକ୍ତଦାନ ଜରୁରୀ ହୋଇପଡିଥିବା ବେଳେ ଏ ସଂକ୍ରାନ୍ତରେ ଜନ ସଚେତନତା ସୃ୍ଷ୍ଟି କରିବା ପାଇଁ ଆଜି ସମସ୍ତ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ବେଲଗୁଣ୍ଠା ବ୍ଲକ୍ ର ଗାଙ୍ଗପୁର ଏବଂ ପାଇଲିପଡ଼ା ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିଶ୍ୱ ରକ୍ତଦାତା ପାଳିତ ହୋଇଯାଇଛି । ଉଭୟ କେନ୍ଦ୍ରରେ ବେଲଗୁଣ୍ଠା ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼କ୍ଟର୍ ବାଲୁଙ୍କେଶ୍ଵର ଷଡଙ୍ଗୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ପାଣ୍ଡବ ସ୍ଵାଇଁଙ୍କ ସଂଯୋଜନାରେ ଗାଙ୍ଗପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ପାଇଲିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ସରୋଜ ପ୍ରଧାନ,ସ୍ଵାସ୍ଥ୍ୟ ନିରୀକ୍ଷକ ଶୁଭ୍ରମନ୍ୟୁ କର, ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ୍ ଯଜ୍ଞସେନ୍ ସୁବୁଦ୍ଧି,ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, ଶାସନ ସରପଞ୍ଚ ପ୍ରତିନିଧି ସଞ୍ଜୟ ପ୍ରଧାନ,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଗଣମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ, ଦି ଗ୍ରେଟ୍ ଡୋନର୍ସ୍ ଗୃପ୍ ଅଧ୍ୟକ୍ଷ ଶିବପ୍ରସାଦ ପାତ୍ରଙ୍କ ସମେତ ସମସ୍ତ ଆଶା, ଅଙ୍ଗନୱାଡ଼ି ଏବଂ ସ୍ଵାସ୍ଥ୍ୟ କର୍ମୀ ଉପସ୍ଥିତ ରହି ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଗ୍ରାମାଞ୍ଚଳ ମାନଙ୍କରେ ରକ୍ତଦାନ ସମ୍ପର୍କିତ ଜନ ସଚେତନତା କରି ନୂତନ ରକ୍ତଦାତା ସୃ୍ଷ୍ଟି ସମ୍ପର୍କରେ ମତ ପ୍ରକାଶ କରିଥିଲେ । ସେହିପରି ପାଇଲିପଡ଼ା କେନ୍ଦ୍ରରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଉଭୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ନୀରିକ୍ଷକ ଶ୍ରୀ କର ଧନ୍ୟବାଦ ଜ୍ଞାପନ କରିଥିଲେ । ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ର ସୁରକ୍ଷା କର୍ମୀ କବିରାଜ ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )