ବେଲଗୁଣ୍ଠା,୧୨/୦୬(ପିପିଟି); ବିଭିନ୍ନ ଗ୍ରାମାଞ୍ଚଳରେ ରାଜ୍ୟ ସରକାର ଡ଼ାକ୍ତର ପଦବୀ ପୂରଣ କରିବାରେ ବିଫଳ ହୋଇଥିବା ବେଳେ ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ୍ ମାନେ ଝାଡ଼ୁଦାର ଠାରୁ ଆରମ୍ଭ କରି ରୋଗୀ ଦେଖିବା ଭଳି କାର୍ଯ୍ୟ ମଧ୍ୟ ନିର୍ବିକାର ଭାବେ କରି ଆସୁଛନ୍ତି । କିନ୍ତୁ ସରକାରଙ୍କ ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ସାଜି ଥିବା ଫାର୍ମାସିଷ୍ଟ୍ ମାନଙ୍କ ପ୍ରତି ସରକାରଙ୍କର ତିଳେ ମାତ୍ର ଦରଦ ନାହିଁ ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଛି । ସରକାର କାର୍ଯ୍ୟରତ ଫାର୍ମାସିଷ୍ଟ୍ ମାନଙ୍କ ମୌଳିକ ସୁବିଧା ପ୍ରତି ଆଖି ବୁଜିଦେଇ ଥିବାରୁ ଏହାର ପ୍ରତିବାଦରେ ଆଜିଠାରୁ ଓଡ଼ିଶା ଫାର୍ମାସିଷ୍ଟ୍ ସେବା ରାଜ୍ୟ ସଂଘର ଡ଼ାକରା କ୍ରମେ ସାରା ରାଜ୍ୟରେ ଫାର୍ମାସିଷ୍ଟ୍ ମାନେ କଳାବ୍ଯାଜ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବଙ୍କା, ପାଇଲିପଡ଼ା, ଗାଙ୍ଗପୁର ପ୍ରଭୃତି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ମାନଙ୍କରେ କାର୍ଯ୍ୟରତ ଫାର୍ମାସିଷ୍ଟ୍ ମାନେ କଳାବ୍ଯାଜ୍ ପିନ୍ଧି କାର୍ଯ୍ୟ ଆରମ୍ଭ କରିଛନ୍ତି । ସରକାର ଯଦି ସେମାନଙ୍କ ଦାବି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆସନ୍ତା ୨୦ ତାରିଖ ଠାରୁ କେବଳ ଔଷଧ ବିତରଣ ଛଡ଼ା ଅନ୍ୟ କୌଣସି କାର୍ଯ୍ୟରେ ଫାର୍ମାସିଷ୍ଟ୍ ମାନେ ସହଯୋଗ କରିବେ ନାହିଁ ବୋଲି ଫାର୍ମାସିଷ୍ଟ୍ ସଂଘ ପ୍ରକାଶ କରିଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )