କୋଦଳା ତହସିଲଦାର ଅବନୀ କୁମାର ସାହୁଙ୍କ ମହାନତା ।

0 401

କୋଦଳା,୧୨/୦୬(ପିପିଟି); ବେଗୁନିଆପଡା ବ୍ଲକ ଷଣ୍ଢମୁଳ ଗ୍ରାମର ବାପ ମା ଛେଉଣ୍ଡ ତିନି ଅନାଥ ଶିଶୁଙ୍କୁ ନିଜସ୍ୱ ହାତ ପାଣ୍ଠିରୁ ଏକ ମାସ ପାଇଁ ଡାଲି, ଚାଉଳ, ତେଲ, ଲୁଣ ଠାରୁ ଆରମ୍ଭ କରି ବିସ୍କେଟ, ମିକ୍ସଚର ଓ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ସହିତ ପୋଷାକ,ଜୋତା ଯୋଗାଇ ଦେଇଥିବା ବେଳେ ସରକାରଙ୍କ ରେଡ଼କ୍ରସ ପାଣ୍ଠିରୁ ଦଶହଜାର ଟଙ୍କା ଯୋଗାଇ ଦେଇଛନ୍ତି କୋଦଳା ତହସିଲଦାର । ତତସହିତ ସେମାନେ ବାସ କରୁଥିବା ଭଙ୍ଗାଘର ଉପରେ ଘୋଡାଇବା ପାଇଁ ଏକ ତାର୍ପୋଲିନ ଯୋଗାଇ ଦେଇଛନ୍ତି ଏବଂ ଗ୍ରାମଲୋକଙ୍କ ସହିତ ଆଲୋଚନା କରିବା ପରେ ଗ୍ରାମ ମଧ୍ୟରେ ଏକ ଜାଗା ମଧ୍ୟ ଯୋଗାଇଦେବାର ବ୍ୟବସ୍ଥା କରି ତାହାକୁ ଆବାସ ଯୋଜନା ରେ ଘର କରିଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଏହି ଅସହାୟ ପରିବାରକୁ ଯଥାସାଧ୍ୟ୍ୟ ସହଯୋଗର ହାତ ବଢ଼ାଇବାକୁ ଯେ କୌଣସି ବଦାନ୍ୟ ବ୍ୟକ୍ତି ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି । ପ୍ରକାଶ ଥାଉ କି ମେ ମାସ ୧୯ତାରିଖ ରେ ଷଣ୍ଢମୂଳ ର ଏକ ଦମ୍ପତି ରମେଶ ସାହୁ ଓ ମହାଲକ୍ଷ୍ମୀ ସାହୁ ପ୍ରାଣ ହରାଇ ଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଦୁଇ ନାବାଳିକା ଝିଅ ବାପା ମାଙ୍କୁ ହରାଇ ବେ ସାହାରା ହୋଇଯାଇଥିଲେ ।ମୂଳ ଗ୍ରାମ କନିଆରୀବାଡ଼ି ର ରମେଶ ଚନ୍ଦ୍ର ସାହୁଙ୍କୁ ପିଲାବେଳୁ ମାମୁଁ ମଙ୍ଗୁଳୁ ସାହୁ ଷଣ୍ଢମୁଳ ଠାରେ ଆଣି ରଖିଥିଲେ ।କିନ୍ତୁ ରମେଶ ରୋଜଗାର କ୍ଷମ ହୋଇପାରିନଥିଲେ । ପର୍ଯ୍ୟାୟ କ୍ରମେ ପାରିବାରିକ ବୋଝ ଅଧିକା ହୋଇଯାଇଥିଲା । ସ୍ତ୍ରୀ,ତିନି ଝିଅ ସାଙ୍ଗକୁ ଗୋଟିଏ ପୁଅ । କୌଣସି ମତେ ବଡ଼ ଝିଅ କୁମୁଦିନୀର ପୁରୁଷୋତ୍ତମ ପୁର ଅଲାଡ଼ ଗ୍ରାମ ରେ ବିବାହ ହୋଇଯାଇଥିବା ବେଳେ ଗୋଟିଏ ପୁଅ ମିଥୁନ (୧୭)ମାନସିକ ରୋଗୀ ଓ ଦୁଇ ନାବାଳିକା ଝିଅ ରଶ୍ମିତା ନବମ ଶ୍ରେଣୀ ଓ ଗଙ୍ଗୋତ୍ରୀ (ଷଷ୍ଠଶ୍ରେଣୀ) କୁ ଚଳାଇ ଆସୁଥିଲେ । ଅର୍ଥ ଅଭାବରୁ ପୁଅର ଚିକିଛା ହୋଇପାରି ନଥିବା ବେଳେ ଓ ଝିଅ ରଶ୍ମିତାର ନବମ ଶ୍ରେଣୀରୁ ହିଁ ପାଠପଢ଼ା ବନ୍ଦ ହୋଇଗଲା । ଏକ ଅସଜଡ଼ା ଭଙ୍ଗା ଘରେ ପଡିରହିଥିଲେ ରମେଶ ପରିବାର । ସେ ବି ନିଜର ନୁହଁ ।ଝୁମ୍ପୁଡ଼ି ଚାଳଘର । ସରକାରଙ୍କ ସାହା କେବଳ ୧୫କିଲୋ ଚାଉଳ ରେ ସୀମିତ ।ହଠାତ ସ୍ତ୍ରୀ ମହାଲକ୍ଷ୍ମୀଙ୍କ ଛାତିଯନ୍ତ୍ରଣା ହୋଇ କିଛିଦିନ ଚିକିଛା ପରେ ବ୍ରହ୍ମପୁର ବଡ଼ ମେଡିକାଲ ରେ ଗତ ୧୯ ରେ ମୃତ୍ୟୁବରଣ କଲେ !ପରେ ପରେ ସ୍ତ୍ରୀଙ୍କ ଦେହାନ୍ତ ରେ ଚିନ୍ତିତ ରମେଶ ସ୍ତ୍ରୀ ର ଶବ ସତ୍କାର ସମୟ ରେ ହିଁ ହୃଦଘାତ ରେ ଆରପାରୀକୁ ଚାଲିଗଲେ । ଗ୍ରାମବାସୀଙ୍କ ସହଯୋଗ ରେ ଉଭୟଙ୍କ ଶୁଦ୍ଧକ୍ରିୟା ସମ୍ପାଦନା ହୋଇପାରିଥିଲା । ବାପ ମା ଛେଉଣ୍ଡ ତିନି ସନ୍ତାନ ଅସହାୟ ଅବସ୍ଥାରେ ପଡିରହିଲେ । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉଦ୍ୟମ ତଥା ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବେଗୁନିଆପଡା ଓ କୋଦଳା ପ୍ରଶାସନ, ଶିଶୁବିଭାଗ ପ୍ରକଳ୍ପ, ଶିଶୁ ମଙ୍ଗଳ ସମିତି, ଶିକ୍ଷ୍ୟାବିଭାଗ, ଶିଶୁ ସୁରକ୍ଷା କମିଟିକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଟାସ୍କଫୋର୍ସ କମିଟି ଗଠନ ହୋଇ ଉକ୍ତ ପରିବାର ନିକଟକୁ ଯାଇ ଦୁଇ ଶିଶୁଙ୍କ ଶିକ୍ଷଦାନ ନିମନ୍ତେ ଗୁରୁକଲ୍ୟାଣ ପାଣ୍ଠିରୁ ଦୁଇ ଝିଅଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହଯୋଗ ଯୋଗାଇ ଦେଇଥିଲେ । ଏହାକୁ ନେଇ ଗ୍ରାମବାସୀ ଖୁସିବ୍ୟକ୍ତ କରିଥିଲେ ମଧ୍ୟ ଏହି ପରିବାର ପାଇଁ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ବିଧାୟିକା ଏବଂ ପ୍ରଶାସନ ନିକଟରେ ଅନୁରୋଧ କରିଥିଲେ । ଶୁକ୍ରବାର କୋଦଳା ତହସିଲଦାର ଅବନୀ କୁମାର ସାହୁ ଓ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଉକ୍ତ ଅସହାୟ ପରିବାର ନିକଟ ରେ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରିବା ସହିତ କହିଥିଲେ ଯେ ଦୁର୍ଭାଗ୍ୟ ଏମିତି ଗରିବୀ ମୁଁ ଆଜି ପ୍ରଥମଥର ଦେଖୁଛି । ଏହି ପରିବାର ରେଡ଼କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ପାଇବା କଥା କିନ୍ତୁ ଦଶହଜାର ଅନୁମୋଦନ ହୋଇଥିବାରୁ ମୁଁ ବର୍ତ୍ତମାନ ୧୦ ହଜାର ଟଙ୍କା ଦେଉଛି, ତତସହିତ ଉକ୍ତ ପରିବାର ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ଚେଷ୍ଟା କରିବି କହି ନିଜସ୍ୱ ହାତ ପାଣ୍ଠିରୁ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇ ଦେଇଥିଲେ !ତହସିଲ ପ୍ରଶାସନର ଏହି ଉଦ୍ୟମକୁ ଗ୍ରାମବାସୀ ପ୍ରଶଂସା କରିଥିବା ବେଳେ ଉକ୍ତ ପରିବାର ପାଇଁ ସରକାର କିମ୍ବା ସହୃଦୟ ବ୍ୟକ୍ତି ଯଥାସାଧ୍ୟ୍ୟ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.