କୂଅରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ:ପୁଅ ଫେରାର ।

0 887

ଭଞ୍ଜନଗର,୨୦/୦୫(ପିପିଟି); ଗୁରୁବାର ଭଞ୍ଜନଗର ଖାଲାସି ସାହିରୁ ପୋଲିସ ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।ମୃତକଙ୍କ ଗୋଡ଼ରେ ଏକ ପ୍ଲାଷ୍ଟିକ ରଶି ବନ୍ଧା ହୋଇଥିବା ବେଳେ ଶରୀର କେତେକ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ଏହା ଆତ୍ମହତ୍ୟା ନହୋଇ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ନାମ ମନୁ ସେଠି(୪୫) ବୋଲି ଜଣାପଡ଼ିଛି।ଗତ କିଛି ବର୍ଷ ହେଲା ତାର ସ୍ୱାମୀ ପି. ବାନୁ ରାଓଙ୍କର ମୃତ୍ୟୁ ଘଟିଥିବା ବେଳେ ଏଠାରେ ମନୁ ଓ ତାର ପୁଅ ପି. ନାରାୟଣ ରାଓ(୨୦) ରହୁଥିଲେ।ବାନୁ ର ପ୍ରଥମ ପତ୍ନୀଙ୍କ ଦେହାନ୍ତ ଘଟିବାରୁ ସେ ମନୁକୁ ଦ୍ଵିତୀୟ ବିବାହ କରିଥିଲେ ଏବଂ ନାରାୟଣ ପ୍ରଥମ ପତ୍ନୀର ପୁଅ ହୋଇଥିବାରୁ ତାର ଦ୍ଵିତୀୟ ମାଆ ମନୁ ସହ ସୁସମ୍ପର୍କ ନଥିବା ଜଣାପଡିଛି। ପୁଅ କିଛିକାମ କରୁ ନ ଥିବାରୁ ଅଧିକାଂଶ ସମୟରେ ମାଆ ପୁଅ ମଧ୍ୟରେ ପଇସା ପତ୍ର କୁନେଇ ପାଟିତୁଣ୍ଡ ହେଉଥିବା ସାହି ପଡିଶା କହିଛନ୍ତି। ଗତ ତିନିଦିନ ହେବ ମନୁକୁ କେହି ସାହି ପଡିଶା ଦେଖି ନଥିବା ବେଳେ ଘର ବାହାରେ ତାଲା ପଡିଥିଲା। ଗୁରୁବାର ସକାଳେ ପଡୋଶୀ ଆଦିତ୍ୟ ପାତ୍ର ଛାତ ଉପରେ ବୁଲୁଥିବା ବେଳେ କୂଅରେ ଏକ ମୃତ ଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୁଅ ନାରାୟଣ କୁ ଖୋଜିବାରେ ସେ ଫେରାର ଥିବାବେଳେ ତା ସହ କୌଣସି ଯୋଗାଯୋଗ ହୋଇ ପାରି ନଥିଲା। ଅଧିକ ତଦନ୍ତ କରିବା ପାଇଁ ପୋଲିସ ଛତ୍ରପୁର ରୁ ସାଇଣ୍ଟିଫିକ ଟିମକୁ ଡକାଇଥିଲା। ଘରର ବିଭିନ୍ନ ଜିନିଷ ପତ୍ର ପରୀକ୍ଷା କରିବା ସହ ସାଇଣ୍ଟିଫିକ ଟିମ କିଛି ନମୁନା ସଂଗ୍ରହ କରିଥିଲା।ଅଗ୍ନିଶମ ବିଭାଗ ଓ ପୋଲିସ କର୍ମଚାରୀ ମିଶି ଦୀର୍ଘ ୯ଘଣ୍ଟା ପରେ ମୃତଦେହକୁ କୂଅରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ।ମୃତଦେହକୁ ବ୍ରହ୍ମପୁର ଏଫଏମଟି କୁ ପଠାଯାଇଥିବା ବେଳେ ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖିଲେ ପ୍ରଥମେ ମନୁକୁ ତଣ୍ଟି ଚିପି ହତ୍ୟା କରିବା ପରେ ହତ୍ୟାକାରୀ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ କୂଅରେ ପକାଇଥିବା ସନ୍ଦେହ କରାଯାଉଛି।ହେଲେ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଉପରୁ ରହସ୍ୟ ଉନ୍ମୋଚନ ହେବ ବୋଲି ଜଣାପଡିଛି।ପୋଲିସ ଭଞ୍ଜନଗର ଥାନା କେଶ ନଂ୨୦୨/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ଭଞ୍ଜନଗର ଏଏସପି ବିଜୟ କୁମାର ମଲ୍ଲିକ, ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଏସଆଇ ସମୀର କୁମାର ବେହେରା ଓ ଅନ୍ୟମାନେ ଉପସ୍ଥିତ ରହି ତଦାରଖ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.