ଉଲୁଣ୍ଡା,୧୮/୦୫(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ,ମନ୍ତ୍ରୀ ତଥା ବର୍ତ୍ତମାନ ବିରମହାରାଜପୁର ଓକିଲ ସଂଘ ସଭାପତି କାର୍ତିକ ପ୍ରସାଦ ତରିଆ(୭୦)ଙ୍କ ସୋମବାର ବିଳମ୍ବିତ ରାତିରେ ବୁର୍ଲା ସ୍ଥିତ ନିଜ ଝିଅ ଘରେ ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଓ ହାଇଦ୍ରାବାଦରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ । ଏଇ କିଛି ଦିନହେଲା ବୁର୍ଲା ସ୍ଥିତ ନିଜ ଝିଅ ଘରେ ରହୁଥିଲେ ।ଗତକାଲି ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବୁର୍ଲା ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତ୍ରିରେ ତାଙ୍କର ପରଲୋକ ହୋଇଯାଇଛି । ଆଜି ତାଙ୍କର ପାର୍ଥିବ ଶରୀର ଜନ୍ମମାଟି ବିରମହାରାଜପୁର କୁ ଅଣାଯାଇ ପଣ୍ଡାପାଲି ଜୋରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଶ୍ରୀ ତରିଆ ୧୯୮୫ ରୁ ୯୦ ମସିହା ପର୍ଯ୍ୟନ୍ତ ବିରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଧାନସଭାକୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ପରେ ଛଅ ମାସ ପାଇଁ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରିମଣ୍ଡଳରେ କୃଷି ଓ ସମବାୟ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇ ବେଶ ଦକ୍ଷତାର ସହିତ କାର୍ଯ୍ୟକରି ପ୍ରଶଂସିତ ହୋଇଥିଲେ । ଶ୍ରୀ ତରିଆ ବିଧାୟକ ଥିବା ସମୟରେ ବିରମହରାଜପୁର ଅଞ୍ଚଳ ଉପଖଣ୍ଡର ମାନ୍ୟତା ପାଇଥିଲା ।ଏହାସହ ବିରମହରାଜପୁର ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଥିଲେ । ସୁବଲୟା ମହାବିଦ୍ୟାଳୟ, ଲୁତୁରପଙ୍କ ଓ ଖଣ୍ଡହତା ଠାରେ ଆୟୁର୍ବେଦ ଡାକ୍ତର ଖାନା ପ୍ରତିଷ୍ଠା କରିବା ସହ ଅଞ୍ଚଳରେ ଅନେକ ବିକାଶ ମୂଳକ କାର୍ଯ୍ୟ କରିଥିଲେ । ଏବେ ସେ କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ କମିଟିର ସଭାପତି ରହି ଅଞ୍ଚଳରେ କୋଶଲ ଆନ୍ଦୋଳନକୁ ତୀବ୍ରତର କରିଥିଲେ । ବର୍ତ୍ତମାନ ବିରମହାରାଜପୁର ବାର ଆସୋସିଏସନ ର ସଭାପତି ଭାବେ ମଧ୍ୟ ଅବସ୍ଥାପିତ ଥିଲେ । ସ୍ବର୍ଗତ ତରିଆ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଦକ୍ଷ ସଂଗଠକ ଭାବରେ ବେଶ ଜଣାଶୁଣା ଥିଲେ। ଏବେ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )
Prev Post