କରୋନା ରୋଗୀର ମୃତଦେହ ପରିବାର ପାଇଁ ଅଲୋଡ଼ା: ପୁଣି କାନ୍ଧ ଦେଲା ହେଲପିଙ୍ଗ ହ୍ୟାଣ୍ଡ ।

0 422

ଭଞ୍ଜନଗର,୦୬/୦୫(ପିପିଟି); ବଞ୍ଚିଥିଲା ବେଳେ ଯିଏ ପରିବାର ଓ ପିଲାଛୁଆଙ୍କ ମୁଁହରେ ହସ ଟିକିଏ ଦେଖିବା ପାଇଁ ସବୁ ବାଧାବିଘ୍ନକୁ ମୁଣ୍ଡ ପୋତି ସହିଯାଏ। ତାର ଯେତେବେଳେ ଦେହ ଖରାପ ହୁଏ ଓ କରୋନା ରୋଗରେ ମୃତ୍ୟୁ ଘଟେ।ସେତେବେଳେ ଏହି ପରିବାର ଲୋକେ ତାଠାରୁ ଦୂରେଇ ଯାଆନ୍ତି। ସେତେବେଳେ ଘରର ମୁରବୀ ଅଦରକାରୀ ହୋଇପଡେ ସମସ୍ତଙ୍କ ପାଇଁ। ତାର ମୃତଦେହକୁ ମଧ୍ୟ ଚାରି କାନ୍ଧ ମିଳେନି। ଶେଷରେ ମାନବିକତା ଦେଖାଇ କିଛି ସ୍ବେଛାସେବୀ ନିଜ ଜୀବନକୁ ବିପନ୍ନ କରି ଆଗେଇ ଆସନ୍ତି ସେହି ମୃତଦେହକୁ ସ୍ମଶାନ ଘାଟ ପର୍ଯ୍ୟନ୍ତ ନେଇଯାଇ ସତ୍କାର କରିବା ପାଇଁ।ଏଭଳି ପରିସ୍ଥିତିରେ ଆମେ ପରିବାର ଲୋକଙ୍କୁ ନିଜର କହିବା ନା ଅସମୟରେ ସାହାଯ୍ୟର ହାତ ବଢାଇଥିବା ସେହି ସ୍ବେଛାସେବୀ ବନ୍ଧୁଙ୍କୁ। ପୁଣି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ।ଜଗନ୍ନାଥ ପ୍ରସାଦ ବ୍ଲକ ବିଡ଼ିପୁର ମୁଖ୍ୟ ରାସ୍ତାରେ ରହୁଥିବା ସନ୍ତୋଷ କୁମାର ସାହୁ(୫୨) ଏକ ହୋଟେଲ କରି ପରିବାର ପ୍ରତିପୋଷଣ କରୁଥିଲେ।ଗତ ୨ତାରିଖରେ ସନ୍ତୋଷ ଜ୍ୱର ରେ ପୀଡିତ ହେବାରୁ ଭଞ୍ଜନଗର କୋଭିଡ଼ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଅକ୍ସିଜେନ ସ୍ତର କମି ଯିବାରୁ ବୁଧବାର ସନ୍ଧ୍ୟା ୭ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। କରୋନା ଭୟରେ ତାଙ୍କ ପରିବାର ଲୋକେ ମୃତଦେହ ନେବାକୁ ମନା କରିଥିଲେ। ଏସମ୍ପର୍କରେ ଖବର ପାଇ ପୁଣିଥରେ ଦେବଦୂତ ସାଜି ଭଞ୍ଜନଗର ଲଣ୍ଡେଇ ସାହିର ସ୍ବେଛାସେବୀ ସଙ୍ଗଠନ ହେଲପିଙ୍ଗ ହ୍ୟାଣ୍ଡର ସଦସ୍ୟ ମାନେ ଆଗେଇ ଆସିଥିଲେ। ପିପିଇ କିଟ ପିନ୍ଧି ସେମାନେ ସନ୍ତୋଷଙ୍କ ମୃତଦେହକୁ ନିକଟସ୍ଥ ଜାମପଲ୍ଲୀ ସ୍ମଶାନକୁ ନେଇ ସେଠାରେ ଶବଦାହ କରିଥିଲେ।ପରିବାର ଲୋକ ଓ ବହୁ ସଂଖ୍ୟାରେ ସମ୍ପର୍କୀୟ ମାନେ ସ୍ମଶାନ ଘାଟରେ ଉପସ୍ଥିତ ଥିଲେ ମଧ୍ୟ ବାଧ୍ୟ ବାଧକତାରେ ଶେଷରେ ଯାଇ ସାମାନ୍ୟ ସହଯୋଗ କରିଥିଲେ। ଯଦି ପରିବାର ଲୋକଙ୍କ ମନରେ ମୃତ୍ୟୁର ଭୟ ଆସେ ତେବେ ସେହି ସ୍ବେଛାସେବୀ ମାନେ କଣ ଭଗବାନ ସେମାନେ କିଭଳି ଏତେବଡ଼ ପଦକ୍ଷେପ ଗ୍ରହଣ କରିବାକୁ ପଛାଉ ନାହାନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.