ଭଞ୍ଜନଗର,୩୧/୦୩(ପିପିଟି);ଗଞ୍ଜାମ ଜିଲ୍ଲାରେ ଗାଲେରୀ ଦଣ୍ଡଯାତ୍ରା ବେଶ ପ୍ରସିଦ୍ଧ ହୋଇଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ସ୍ଥାନୀୟ ମାଆ ଦଣ୍ଡକାଳୀ ପ୍ରତ୍ୟକ୍ଷ ଦେବୀ ହିସାବରେ ପୂଜା ପାଇ ଆସୁଥିବା ବେଳେ ବହୁଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେଉଥିବା ବିଶ୍ୱାସ ରହିଛି। ଫଳରେ ବର୍ଷ ବର୍ଷ ଧରି ଭକ୍ତମାନେ ମାନସିକ କରି ମାଆ ଦଣ୍ଡ କାଳୀଙ୍କ ପୂଜାକୁ ଅପେକ୍ଷା କରି ରହିଥାନ୍ତି । ମାଆଙ୍କ ପୂଜା ବିଭିନ୍ନ କଠୋର ରୀତି ନୀତି ଅନୁସାରେ ପାଳନ କରାଯାଏ । ତେଣୁ ଦଣ୍ଡୁଆମାନେ ଓ ତାଙ୍କ ପରିବାର ମଧ୍ୟ ଦଣ୍ଡ ଯାତ୍ରା ସମୟରେ ବହୁ ନୀତି ନିୟମ ଅନୁସାରେ ଚଳନ୍ତି। ପ୍ରତିବର୍ଷ ଦଣ୍ଡ ଯାତ୍ରା ସମୟରେ ଏଠାରେ ଏକ ହଜାର ରୁ ପନ୍ଦର ଶହ ଦଣ୍ଡୁଆ ସାମିଲ ହୋଇଥାନ୍ତି ।ସେହିପରି ମେରୁ ସମୟରେ ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ ।ହେଲେ ଗତ ବର୍ଷ କୋଭିଡ଼ କଟକଣା ସକାଶେ ଏହି ଯାତ୍ରାକୁ ପ୍ରଶାସନ ତରଫରୁ ବନ୍ଦ କରାଯାଇଥିବା ବେଳେ ଚଳିତ ବର୍ଷ କେବଳ ୫୦ଜଣ ଦଣ୍ଡୁଆଙ୍କୁ ନେଇ ଗ୍ରାମରେ ହିଁ ଯାତ୍ରା କରିବାକୁ ଅନୁମତି ମିଳିଛି ଏବଂ ଗ୍ରାମବାସୀ ମାନେ ମଧ୍ୟ ପୂଜା ସମୟରେ ବନ୍ଧ ତୁଠରେ ଭିଡ଼ ନକରିବା ପାଇଁ ସଚେତନ କରାଯାଇଛି । ଯାହାଫଳରେ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ବ ହେବ ନିଜ ଗ୍ରାମରେ ଦଣ୍ଡକାଳୀଙ୍କ ପୂଜା ପାଇଁ ଅପେକ୍ଷା କରି ରହିଥିବା ବହୁ ମାନସିକଧାରୀ ନିରାଶ ହୋଇଛନ୍ତି। ଏହା ଛଡା ମାଆଙ୍କର ଏକ ବିଶେଷତ୍ୱ ହେଉଛି ଦଣ୍ଡଯାତ୍ରା ସମୟରେ ମାତ୍ର ପାଞ୍ଚ ଗଉଣୀ ଚାଉଳରେ ଅନ୍ନଭୋଗ ପ୍ରସ୍ତୁତ ହେଉଥିଲେ ମଧ୍ୟ ହଜାର ହଜାର ଭକ୍ତଙ୍କ ପାଇଁ ତାହା ଯଥେଷ୍ଟ ହୋଇଥାଏ । ଏହି ପ୍ରସାଦ ପାଇବାରୁ କେହି କେବେ ବଞ୍ଚିତ ହୁଅନ୍ତି ନାହିଁ। ତେଣୁ ମାଆଙ୍କ ଅନ୍ନଭୋଗ ର ଚାହିଦା ଅଧିକ ଥିବାବେଳେ ଏବର୍ଷ ଭିଡକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିବାକୁ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି। ଗାଲେରୀ ପାଟଣା ସାହି ମଝି ଦାଣ୍ଡରେ ଥିବା ବିଶାଳ ଦଣ୍ଡକାଳୀ ମନ୍ଦିର ଠାରେ ପାଟ ଦଣ୍ଡୁଆ ଙ୍କ ସମେତ ଅନ୍ୟ ମାନେ ଗେରୁଆ ବସ୍ତ୍ର ପରିଧାନ କରି ଏକାଠି ହୋଇ ବୁଧବାର ସକାଳେ ସଂକଳ୍ପ ହୋଇ ଦଣ୍ଡକାଳୀ ଓ ମହାଦେବଙ୍କ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।ସମଗ୍ର ପରିବେଶ ଢୋଲ ଓ ଘଣ୍ଟ ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଥିଲା। ରାତ୍ରୀ ସମୟରେ ଅଗ୍ନିପୂଜା ସମ୍ପନ୍ନ ହୋଇଥିଲା।ଏବର୍ଷ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ବଦଳରେ କେବଳ ପାରମ୍ପରିକ ଚଢ଼େୟା ଚଢ଼େୟାଣୀ ଓ ଶବର ଶବରୁଣୀ ଲୋକନୃତ୍ୟ ପରିବେଷଣ କରାଯିବା ପାଇଁ ସ୍ଥିର ହୋଇଛି। ଭଞ୍ଜନଗର ଆଖପାଖ କେତେକ ଗ୍ରାମରେ ଗୁରୁବାର ଠାରୁ ଦଣ୍ଡଯାତ୍ରା ଆରମ୍ଭହେବ ବୋଲି ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )