ମନ୍ଦିର ଗୁଡିକରେ କୋଭିଡ୍ ନିୟମ ଅନୁପାଳନ ନହେଲେ ମନ୍ଦିର ଗୁଡିକ ଦୁଇ ଦିନ ପାଇଁ ବନ୍ଦ ହେବ – ଜିଲ୍ଲାପାଳ ।

0 603

ଛତ୍ରପୁର,ତା.୧୭/୦୩(ପିପିଟି); ଗଞ୍ଜାମ ଜିଲ୍ଲାର ସ୍ଥିତି ଗତ ଡିସେମ୍ବର, ଜାନୁୟାରୀ, ଫେବୃୟାରୀ ମାସରେ ଭଲ ରହିଥିଲା । ଦେଶର ଅନ୍ୟରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିପାଇଥିବା ଯୋଗୁଁ ଜିଲ୍ଲାରେ ମଧ୍ୟ ସଂକ୍ରମଣ ବୃଦ୍ଧି ହେବାର ସମ୍ଭାବନା ରହିଥିବା ହେତୁ ଜିଲ୍ଲାବାସୀଙ୍କୁ ସତର୍କତାର ସହିତ ରହିବାକୁ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଅବଗତ କରାଇଛନ୍ତି । ଏପ୍ରିଲ୍ ମାସ ଠାରୁ ଯାତ୍ରା ପାଳନ ସମୟ । ଏହି ସମୟରେ ମା ବୃଢୀ ଠାକୁରାଣୀ ଯାତ୍ରା, ମା ତାରାତାରିଣୀ ଯାତ୍ରା ଓ ଦଣ୍ଡ ଯାତ୍ରା ଉତ୍ସବ ରହିଥିବା ହେତୁ ଗହଳି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସତର୍କତା ଅବଲମ୍ବନ ନ କଲେ କରୋନା ସଂକ୍ରମଣ ନିଶ୍ଚିତ ରୂପେ ବୃଦ୍ଧି ପାଇବ । ସମସ୍ତ କାର୍ଯ୍ୟାଳୟ ଗୁଡିକରେ ପୂର୍ବ ଭଳି କୋଭିଡ୍ ନୀତି ନିୟମ ପାଳନ କରିବାର ଆବଶ୍ୟକତା ରହିଛି । ମାସ୍କ ପରିଧାନ, ସାନିଟାଇଜେସନ୍, ସାମାଜିକ ଦୂରତ୍ବ ଓ ହାତଧୂଆଭଳି ନିୟମ ସମସ୍ତ କର୍ଯ୍ୟାଳୟ ଗୁଡିକରେ କଡାକଡି ପାଳନ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ଦୈନିକ ହଜାରେ ସଂଖ୍ୟାରୁ ଅଧିକ ଟେଷ୍ଟ କରାଯାଉଛି । ଗତ କିଛି ଦିନ ମଧ୍ୟରେ କୋଭିଡ୍ ସଂକ୍ରମଣ ବ୍ୟକ୍ତି ଜିଲ୍ଲାରେ ଶୂନ୍ ରହିଥିଲା । ବର୍ତ୍ତମାନ ୧୧ ଜଣଙ୍କ ଠାରେ କୋଭିଡ୍ ସଂକ୍ରମଣ ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି । କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ ହେଲେ ସେମାନଙ୍କର କଣ୍ଚାକ୍ଟ ଟ୍ରେସିଂ କରାଯାଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ହୋମ୍ ଆଇସୋଲେସନ୍ ରେ ରଖାଯାଉଛି । ପ୍ରବାସୀ ଭାରତୀୟ ମାନଙ୍କୁ ଅନୁରୋଧ ସେମାନେ ଦଣ୍ଡନାଚ, ମା ତାରାତାରିଣୀ ଯାତ୍ରା, ମା ବୁଢୀ ଠାକୁରାଣୀ ଯାତ୍ରା, ଦୋଳ ଯାତ୍ରା ପାଳନ ନିମନ୍ତେ ଜିଲ୍ଲାକୁ ଆସନ୍ତୁ ନାହିଁ । ସେମାନେ ନ ଆସିଲେ ଗଞ୍ଜାମ ଜିଲ୍ଲାରେ ରହୁଥିବା ତାଙ୍କ ପରିବାର ବର୍ଗ ସଂକ୍ରମିତ ହେବେ ନାହିଁ ଏବଂ ସେମାନଙ୍କ ଅମୂଲ୍ୟ ଜୀବନ ସୁରକ୍ଷିତ ରହିବ । କେବଳ ସ୍ଥାନୀୟ କଳାକାରଗଣଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିପାରିବେ ବୋଲି ଜିଲ୍ଲାପାଳ ଜଣାଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଅଭ୍ୟାସ ଓ ପରିବେଷଣ ବେଳେ କୋଭିଡ୍ ନିୟମ ଅନୁପାଳନ ନିହାତି କରିବାକୁ ଜଣାଇଥିଲେ । ଦଣ୍ଡନାଚରେ ମଧ୍ୟ ଭୋଜିଭାତ ହେବ ନାହିଁ । କେବଳ ଦଣ୍ଡୁଆ ମାନଙ୍କ ଦ୍ବାରା ଦିନକୁ ଥରେ ମାତ୍ର ଖାଉଥିବା ପ୍ରସାଦ ପାରମ୍ପରିକ ସେବନ ପାଇଁ ଅନୁମତି ଦିଆଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକ ପ୍ରତିନିଧି ମାନଙ୍କ ସହିତ ଏ ସମ୍ପର୍କରେ ସଚେତନତା କରିବା ଦିଗରେ ବୈଠକ ଆଗତ କରିବା ପାଇଁ କହିଥିଲେ । ମ୍ୟୁଜିକ୍, ଡିଜେ, ଡ୍ୟାନ୍ସ ପ୍ରଭୃତିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯେଉଁ ମାନେ କୋଭିଡ୍ ନିୟମର ଉଲ୍ଂଘନ କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମ୍ପ୍ରତ୍ତି ମନ୍ଦିର ଗୁଡିକରେ କୋଭିଡ୍ ନିୟମ ଅନୁପାଳନ ହେଉ ନଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସିଛି । କୋଭିଡ୍ ନିୟମ ଅନୁପାଳନ କରା ନ ଯାଇ ଖୋଲାଯାଉଥିବା ମନ୍ଦିର ଗୁଡିକ ଦୁଇ ଦିନ ସକାଶେ ବନ୍ଦ କରିଦିଆଯିବ । ମନ୍ଦିର ଅଞ୍ଚଳରେ ଭୋଜିଭାତ ସମ୍ପୂର୍ଣ୍ଣ ମନା । ଏପରିକି ମା ତାରାତାରିଣୀ ଙ୍କ ପୀଠରେ ଭୋଜିଭାତ କରି ଖାଇବା ବାରଣ କରାଯାଇଛି । ପୁନର୍ବାର ମନ୍ଦିର ଖୋଲିବା ନିମନ୍ତେ ମନ୍ଦିର ପରିଚାଳନା କମିଟି ଠାରୁ ବୁଝାମଣା ପତ୍ର (ଅଣ୍ଡର ଟେକିଂ) ରଖି ମନ୍ଦିର ଖୋଲିବାକୁ ଅନୁମତି ଦିଆଯିବ । କୋଭିଡ୍ ମହାମାରୀ ସମୟରେ ଯେଉଁସବୁ ନିୟମ ଗୁଡିକ ଅନୁପାଳନ କରାଯାଉଥିଲା ତାକୁ ପୁଣି କାର୍ଯ୍ୟକ୍ଷମ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବସ୍ ଗୁଡିକରେ ଯାତ୍ରୀମାନେ ବିନା ମାସ୍କରେ ଯାତ୍ରା କରୁଥିବା ନଜରକୁ ଆସୁଛି । ଏଥିସକାଶେ ସଂପୃକ୍ତ ବସ୍ ଗୁଡିକୁ ଦାୟୀ କରାଯିବ । ଗ୍ରାମାଞ୍ଚଳରେ ବାହାର ରାଜ୍ୟ କିମ୍ବା ଦେଶରୁ ଲୋକ ଆସିଲେ ସତର୍କ ରହିବାକୁ କୁହାଯାଇଛି । ବିନା ଅନୁମତିରେ କୌଣସି କାର୍ଯ୍ୟକ୍ରମ ଯୋପରି ହେବ ନାହିଁ ସେଥି ନିମନ୍ତେ ଦୃଷ୍ଟି ଦେବାପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ସ୍ତରୀୟ ବୈଠକ, ଉପଖଣ୍ଡ ସ୍ତରୀୟ ବୈଠକ, ବ୍ଲକ୍ ସ୍ତରୀୟ ବୈଠକ ଗୁଡିକରେ ଅଧିକାରୀ କିମ୍ବା କର୍ମଚାରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ନ ରହି ଭର୍ଚୁଆଲ୍ କିମ୍ବା ଜୁମ୍ ଦ୍ବାରା ବୈଠକ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ନବମ ଓ ଦଶମ ଶ୍ରେଣୀର ପାଠପଢା ଚାଲିଛି । ଏଣୁ ଛାତ୍ରଛାତ୍ରୀଙ୍କୁ କୋଭିଡ୍ ନିୟମର ଅନୁପାଳନ ଦିଗରେ ଅଧିକ ସତର୍କ ରହିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଦୁଇଟି ଟିକା ଗ୍ରହଣ କରିଥିଲେ ମଧ୍ୟ ସତର୍କ ରହିବା ଜରୁରୀ । ସତର୍କତା ରହିଲେହିଁ କରୋନା ଠାରୁ ନିଜକୁ ସୁରକ୍ଷିତ ରଖିହେବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଂ ଉମାଶଙ୍କର ମିଶ୍ର, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଚ୍ଚିବ ସମ୍ବିତ୍ ରାଉତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.