ଲ୍ଯାଣ୍ଡମାଇନ ବିସ୍ଫୋରଣ; ଜଣେ ଯବାନ ଆହାତ ।

0 537

ମାଲକାନଗିରି,ତା:୨୧/୦୨(ପିପିଟି);କିଛି ଦିନର ନିରବତା ପରେ ପୁନଶ୍ଚ ସକ୍ରୀୟ ହୋଇଛନ୍ତି ଲାଲବାହିନୀ । କୌଣସି ପ୍ରକାରେ ସୁଯୋଗର ଅପେକ୍ଷାରେ ମାନବ ରକ୍ତରେ ହୋଲି ଖେଳିବାରେ ଯେଉଁ ଆଦିମ ପିପାସା ରହିଛି,ତାକୁ ସଦାସର୍ବଦା ଚରିତାର୍ଥ କରିବା ଲାଗି ଲାଲବାହିନୀ ପ୍ରତି ମୁହୂର୍ତ୍ତରେ ବ୍ଯଗ୍ର ଏବଂ ଉଗ୍ର । ତାକୁ କଳେ ବଳେ କୌଶଳେ ଅକ୍ତିଆର କରି ନିଜର ଆତଙ୍କ ରାଜ ଚଳାଇବାରେ ଶତ ଚେଷ୍ଟିତ । ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର କର୍ତ୍ତନପଲ୍ଲୀ ନିକଟସ୍ଥ ଗୋଗପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ । ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବା ଯୋଗୁଁ ଜଣେ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଯବାନଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ପ୍ରତିଦିନ ଭଳି ଆଜି ସକାଳୁ କର୍ତ୍ତନପଲ୍ଲୀ ନିକଟରେ ସ୍ଥାପିତ କରାଯାଇଥିବା ୧୬୦- ବିଏସଏଫ ବାଟାଲିୟନ ଯବାନମାନେ କମ୍ବିଙ୍ଗ ଅପରେସନ କରିବାକୁ ଯାଇଥିଲେ। ତେବେ କମ୍ବିଙ୍ଗ ଅପରେସନ ସାରି ଫେରୁଥିବା ବେଳେ ଜଙ୍ଗଲରେ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବା ଫଳରେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ । ଆହତ ଯବାନଙ୍କ ନାମ ଧର୍ମେନ୍ଦ୍ର ସାହୁ ହୋଇଥିବା ବେଳେ ତାଙ୍କୁ ଏବେ ହେଲିକପ୍ଟର ଯୋଗେ ସ୍ଥାନାନ୍ତର କରାଯାଇ ରାୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଯବାନମାନେ ଘଟଣାସ୍ଥଳରେ କମ୍ବିଙ୍ଗ ଅପରେସନକୁ ଜାରି ରଖିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.