ଜିଲ୍ଲାର ୬୧୦ ପ୍ରଧାନ ଶିକ୍ଷକଙ୍କୁ ସ୍ମାର୍ଟ କ୍ଲାସ ପ୍ରଶିକ୍ଷଣ ଦିଆଯିବ;ଜିଲ୍ଲାରେ ୨୮୧ ଗୋଟି ଅତ୍ୟାଧୁନିକ ମିଶନ୍ ଶକ୍ତି ଗୃହ ନିର୍ମାଣ ହେବ ।

0 840

ଛତ୍ରପୁର, ୨୦/୦୨(ପିପିଟି) ; ଜିଲ୍ଲାର ସମସ୍ତ ୱାର୍ଡ ସଭା ଆୟୋଜନ କରି ସେଥିରେ ସମସ୍ତ ଲାଇନ ବିଭାଗର ଅଧିକାରୀ କିମ୍ବା ତାଙ୍କ ପ୍ରତିନିଧି ଉପସ୍ଥିତରହି ସ୍ଥାନୀୟ ଅଂଚଳବାସୀଙ୍କ ସମସ୍ୟା ସମାଧାନ କରନ୍ତୁ , ଏହି ୱାର୍ଡ ସଭା ଗୁଡିକ ୱାର୍ଡର ଖୋଲା ସ୍ଥାନରେ ଆୟୋଜନ କରାଯାଇ ଲୋକଙ୍କ ସହିତ ଖୋଲାଖୋଲି ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନର ପଥ ପରିସ୍କାର ହେବ ଫଳରେ ଉକ୍ତ ଅଂଚଳର ବିକାଶ ହୋଇପାରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ଅନୁଷ୍ଠିତ ଭିଡିଓ କନଫେରେନସ୍‌ ରେ ଅବଗତ କରାଇଥିଲେ । ମିଶନ୍ ଶକ୍ତି ଗୃହ, ପରିଚୟ, ବସ୍ତି ତାଲିକା ପ୍ରଗତି, ସ୍ୱଚ୍ଛ ସର୍ବେକ୍ଷଣ, ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ପୁରସ୍କାର, ମୋ ଖତ ବିକ୍ରିବଟା, ପରିମଳ ବ୍ୟବସ୍ଥା, ମୋ ୱାର୍ଡ ସଭା, ପ୍ରାତଃ ସମୟରେ ସାଇକେଲରେ ଯାତ୍ରା କରି ପରିମଳ ବ୍ୟବସ୍ଥା ଯାଞ୍ଚ କାର୍ଯ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଗତି, ବିଜ୍ଞାପିତ ଅଂଚଳରେ ଅବସ୍ଥିତ ଅଙ୍ଗନବାଡି ଗୃହ ଓ ସ୍କୁଲର ଉନ୍ନତି ଇତ୍ୟାଦି ବିଷୟ ନେଇ ସବିଶେଷ ଆଲୋଚନା ହୋଇଯାଇଛି । ସହରୀ ଅଂଚଳର ଜୀବନ ଜିବିକା ଯୋଜନାର କାର୍ଯ୍ୟକାରିତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା କରାଯିବ, ଏଣୁ ଉକ୍ତ ଯୋଜନାରେ ହିତାଧିକାରୀ ଗଣ କିଭଳି ଅଧିକରୁ ଅଧିକ ସଂପୃକ୍ତ ହେବେ ଏବଂ ସେମାନଙ୍କ ଜୀବନ ଜିବିକା ର ମାର୍ଗ ସୁଗମ ହୋଇପାରିବ ସେଦିଗରେ ଯାହା ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେଗୁଡିକୁ ତ୍ୱରାନ୍ନିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ସର୍ବମୋଟ ୨୮୧ ଗୋଟି ଅତ୍ୟାଧୁନିକ ମିଶନ ଶକ୍ତି ଗୃହ ନିର୍ମାଣ ହେବ । ଏଥି ସକାଶେ ମିଳିତ କମିଟି ଦ୍ୱାରା ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ କରନ୍ତୁ । ପ୍ରତି ମିଶନ୍ ଶକ୍ତି ଗୃହ ପିଛା ୬ ଲକ୍ଷ୍ୟ ଟଙ୍କା ବ୍ୟୟ କରାଯିବ ଏବଂ ସେଗୁଡିକର ଉପଯୋଗୀ ଯେପରି ଶତ ପ୍ରତିଷତ ହେବ ଏବଂ ସମସ୍ତ ମିଶନ୍ ଶକ୍ତି ଗୃହ ଗୁଡିକ ଅନନ୍ୟ ଓ ଉତ୍ତମ ମାନର ହେବ ସେଥି ସକାଶେ ଅଧିକାରୀ ଗଣ ଦୃଷ୍ଠି ଦେବାକୁ କୁହାଯାଇଛି । ପୌର ପରିଷଦ କିମ୍ବା ପୌରାଂଚଳରେ ରହିଥିବା ପ୍ରାଇମେରି ସ୍କୁଲ ଓ ହାଇସ୍କୁଲ ଗୁଡିକର ରକ୍ଷଣାବେକ୍ଷଣ, ମରାମତି ଗୁଡିକ ସ୍ଥାନୀୟ ଅଂଚଳର ଅଧିକାରୀ ଗଣ କରିବେ । ସଂପୃକ୍ତ ଅଂଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ଦାୟିତ୍ୱ ନିର୍ବାହ କରିବେ ତେବେ ଯାଇ ଏହି କାର୍ଯ୍ୟ ସଂପାଦନ ଠିକ୍ ରହିବ ଏବଂ ଅଧିକାରୀଙ୍କ ନଜରରେ ରହିବ । ଏଥି ସକାଶେ ସରକାରଙ୍କ ଠାରେ ପ୍ରସ୍ତାବ ଉପସ୍ଥାପନ କରିବାକୁ ଜିଲ୍ଲାପାଳ ଜଣାଇଥିଲେ । ଜିଲ୍ଲାର ପ୍ରତି ଅଂଚଳରେ ଇନଡୋର ଷ୍ଟାଡିୟମ ଓ କ୍ରିକେଟ ଖେଳ ପଡିଆ ସକାଶେ ଜାଗା ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟ ଶେଷ କରିବାକୁ ସଂପୃକ୍ତ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସହରାଂଚଳ ଗୁଡିକରେ ବେଆଇନ୍ ଜାଗା ଦଖଲକୁ ପ୍ରଶ୍ରୟ ନ ଦେବା ପାଇଁ କୁହାଯାଇଛି । ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ସକାଶେ ପାଇପ୍ ସଂଯୋଗ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମିଟର ବ୍ୟବସ୍ଥା ହେବା ଫଳରେ ହିତାଧିକାରୀଗଣ କମ୍ ଦାମରେ ୨୪ ଘଂଟା ପାଇପ୍ ଯୋଗେ ଜଳ ପାଇପାରିବେ । ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସଫେଇ ପୁରସ୍କାର ସକାଶେ ପ୍ରତି ୱାର୍ଡ ରେ ସ୍ୱଚ୍ଛ ସର୍ବେକ୍ଷଣ କରାଯିବ । ଏହି ଦିଗରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଇଳା ବିହୀନ ସହର, ସୁନ୍ଦର ପରିଶ୍ରାଗାର ନିର୍ମାଣ ସହିତ କାନ୍ଥବାଡରେ ବିନା ଅନୁମତିରେ ପୋଷ୍ଟର ନ ଲଗାଇବା ଦିଗରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଣ ତତ୍ପରତା ପ୍ରକାଶ କରିବାକୁ କୁହାଯାଇଛି । ମୋ ସରକାର ସେଲ୍ ରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଣ ନିଜ ଆଡୁ ଲୋକଙ୍କ ସମସ୍ୟା ଓ ସୁବିଧା ଅସୁବିଧା ଦିଗରେ ଟେଲିଫୋନ ଯୋଗେ କଥା ହୁଅନ୍ତୁ ଏବଂ ସମସ୍ୟାର ର ସମାଧାନ କରନ୍ତୁ । ତତ୍ ସହିତ ପ୍ରତ୍ୟହ ପୂର୍ବାହ୍ନ ୫ଟା ଠାରୁ ୭ ଟା ମଧ୍ୟରେ ସାଇକେଲ ଯୋଗେ ସହର ପରିଭ୍ରମଣ କରି ସଫେଇ କାର୍ଯ୍ୟ ତଦାରଖ କରନ୍ତୁ । ଜିଲ୍ଲାର ସମସ୍ତ ୬୧୦ ଜଣ ପ୍ରଧାନ ଶିକ୍ଷକ ମାନଙ୍କୁ ସ୍ମାର୍ଟ କ୍ଲାସ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଶିକ୍ଷକ ଗଣ ଯେପରି ନିଜ ପାଖରେ ଲେପଟପ୍ କିଣି ରଖିବେ ଏବଂ ପାଠ୍ୟକ୍ରମ ବିଷୟ ବସ୍ତୁ ସେଥିରେ ପ୍ରସ୍ତୁତ କରି ପାୱାର ପ୍ରେଜେଣ୍ଟସନ୍ ଦ୍ୱାରା ଶିକ୍ଷା ପ୍ରଦାନ କରିବେ ସେ ଦିଗରେ ଆର୍ôଥକ ସହାୟତା ଯୋଗାଇଦେବା ଦିଗରେ ସରକାରଙ୍କ ଠାରେ ପ୍ରସ୍ତାବ ରଖିବାକୁ ଜିଲ୍ଲାପାଳ ଜଣାଇଥିଲେ । ଖବର କାଗଜ ଗୁଡିକରେ ପ୍ରକାଶିତ ଜିଲ୍ଲାର ସମସ୍ୟା ସମ୍ପର୍କିତ ପେପର କଟିଙ୍ଗ ସଂପୃକ୍ତ ଉପଜିଲ୍ଲାପାଳ ଏବଂ ଅଧିକାରୀ ମାନଙ୍କୁ ଜିଲ୍ଲା ସ୍ତରରୁ ପ୍ରେରଣ କରାଯାଉଛି । ସେଗୁଡିକର ସମସ୍ୟା ସମାଧାନ କରିବା ସହିତ ସମ୍ପୁର୍ଣ୍ଣ ତଥ୍ୟ ଅବିଳମ୍ବେ ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ପ୍ରେରଣ କରିବା ସକାଶେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର , ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉପଜିଲ୍ଲାପାଳ ୱ. କୀର୍ତ୍ତି ୱାସନ୍ , ଛତ୍ରପୁର ଉପଜିଲ୍ଲାପଳ ପ୍ରିୟ ରଞ୍ଜନ ପୃଷ୍ଠି,ମହାରାଜା କୃଷ୍ଣ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ. ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାଏ ଏବଂ ସଂପୃକ୍ତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.