ପ୍ରକୃତ ଚାଷୀଙ୍କ ଠାରୁ ଧାନ କିଣାଯିବ – ଜିଲ୍ଲାପାଳ ।

0 678

ଛତ୍ରପୁର, ତା.୧୯/୦୨(ପିପିଟି); ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍ ଋତୁରେ ୩୮ଲକ୍ଷ୬୨ହଜାର କୁଇଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରଖାଯାଇଥିବା ସ୍ଥଳେ ଗତ କାଲି ସୁଦ୍ଧା ୩୬ ଲକ୍ଷ୨୦ହଜାର କ୍ବିଣ୍ଟାଲ ପାଖାପାଖି ଧାନ କିଣାଯାଇ ସାରିଛି । ପ୍ରକୃତ କୃଷକ ମାନଙ୍କ ଠାରୁ ଧାନ କିଣା ନେବା କାର୍ଯ୍ୟ ସୁଗମ କରିବା ପାଇଁ ଏବଂ ଧାନ କ୍ରୟ କେନ୍ଦ୍ରରେ (ପିପିସି) ଧାନର ବେଆଇନ୍ ପ୍ରବେଶକୁ ରୋକିବା ଦିଗରେ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଜୁମ୍ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ପ୍ରକୃତ ଚାଷୀଗଣ ଯେପରି ଧାନ ବିକ୍ରି କରିବା କ୍ଷେତ୍ରରେ ବଞ୍ଚିତ ନ ହେବେ ସେଥି ସକାଶେ ରାଜ୍ୟ ସରକାରଙ୍କର କଡା ନିର୍ଦ୍ଦେଶ ରହିଛି । ଜିଲ୍ଲାରେ ସମୁଦାୟ ୪୩ ଗୋଟି ଧାନ କ୍ରୟକେନ୍ଦ୍ର ଖୋଲାଯାଇ ସମବାୟ ବିଭାଗର ୩୭୮ ସୋସାଇଟି, ୬୪ ଗୋଟି ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଏବଂ ଗୋଟିଏ ପାଣି ପଞ୍ଚାୟତ ଦ୍ବାରା ଧାନକ୍ରୟ କାର୍ଯ୍ୟ ଚାଲିଛି । ସମ୍ପୃକ୍ତ ଅଞ୍ଚଳର ତହସିଲଦାର ଗଣ ଧାନ କ୍ରୟ କେନ୍ଦ୍ର, ତତ୍ ସହିତ ପଞ୍ଜିକରଣ କରିଥିବା ଚାଷୀଙ୍କ ଚାଷଜମି ଓ ଗୃହକୁ ଯାଇ ତଦାରଖ କରିବେ । ଧାନ ବିକ୍ରି ନିମନ୍ତେ ପ୍ରକୃତ ଚାଷୀ ଯେପରି ବାଦ ପଡିବେ ନାହିଁ ତାହା ଉପଜିଲ୍ଲାପାଳ,ତହସିଲଦାର ଏବଂ ସମ୍ପୃକ୍ତ ଅଧିକାରୀଗଣ ସୁନିଶ୍ଚିତ କରାଇବେ । ଚାଷୀଙ୍କ ନିକଟରେ ଗଚ୍ଛିତ ଧାନର ପରିମାଣ ଯାଞ୍ଚ କରି ସେହି ଅନୁସାରେ କିଣାଯିବ । ପିପିସି କୁ ଯାହା ଲକ୍ଷ୍ୟ ଦିଆଯାଇଛି ତାହା ଯେମିତି ଶତପ୍ରତିଶତ ପୂରଣ ହେବ ସେ ଦିଗରେ ନିଶ୍ଚିତ କରାଯିବ । ଦଲାଲି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯିବ । ପଞ୍ଜିକରଣ କରିଥିବା ଚାଷୀଙ୍କ ଠାରେ ଧାନ ଅଛିକି ନାହିଁ ତାହା ତଦାରଖ କରି ଟୋକେନ୍ ଅନୁସାରେ ଧାନ ଅଛିକି ନାହିଁ ତାହା ତହସିଲଦାରଗଣ କ୍ଷେତ୍ର ପରିଦର୍ଶନ କରି ପରଖିବେ । ଯେଉଁ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଇଛି କିମ୍ବା କ୍ରୟ କରାଯିବ ସେମାନଙ୍କର ଚାଷ କାର୍ଯ୍ୟ ମଧ୍ୟ ତଦାରଖ ହେବ । ଏହି ସମସ୍ତ ତଦାରଖ କାର୍ଯ୍ୟକୁ ଫଟୋ ଉଠାଇ ରେକର୍ଡଭୁକ୍ତ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ଏହି ଜୁମ୍ ଭିଡିଓ ରେ ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ମୁଖ୍ୟ ଯୋଗାଣ ଅଧିକାରୀ, ଯୋଗାଣ ଅଧିକାରୀ,ଏମ୍. ଆଇ. ସମବାୟ ବିଭାଗ ଅଧିକାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.