ମାଓବାଦୀ ଭୟରେ ଗାଁ ଛାଡିଲେ ୮୫ ପରିବାର ।

0 267

ମାଲକାନଗିରି,ତା:୦୫/୦୨(ପିପିଟି);ତତ୍କାଳିନ ବିଛିନ୍ନାଞ୍ଚଳ ବା ବର୍ତ୍ତମାନର ନୂତନ ରୂପେ ନାମିତ ସ୍ବାଭିମାନ ଅଂଚଳରେ ଯବାନ ଓ ନକ୍ସଲଙ୍କ ମଧ୍ଯରେ କ୍ଷମତା ଲଢେଇରେ ସାଧାରଣ ଜୀବନ ଯାପନ ଦିନକୁ ଦିନ ଦୁର୍ବିସହ। ସାଧାରଣ ନିର୍ହ ଆଦିବାସୀ ଜୀବନର ଦୋଛକିରେ ପଡି ବାଟବଣା । ଯବାନଙ୍କୁ ସମର୍ଥନ କଲେ ମାଓବାଦୀଙ୍କ ଦ୍ବାରା ମରିବାର ଭୟ ଅଛି,ଏଣେ ମାଓବାଦୀଙ୍କୁ ସମର୍ଥନ କଲେ ଯବାନଙ୍କ ହାତରେ ପ୍ରାଣ ଚାଲିଯିବାର ଭୟ ରହିଛି । ତେବେ ସ୍ବାଭିମାନ ଅଞ୍ଚଳରେ ରହି ଆଦିବାସୀମାନେ ମରିବେ ନା ବଞ୍ଚିବେ ? ସଦା ସର୍ବଦା ଆସନ୍ନ ବିପଦ,ଆଶା ଆଶଙ୍କା ଏବଂ ପ୍ରାଣ ଭୟର ଘନ ଘଟା ମଧ୍ଯରେ ଜୀବନ ହନ୍ତସନ୍ତ । ଏଣେ ସ୍ବାଭିମାନ ଅଞ୍ଚଳରେ ଲୋକଙ୍କ ହାତରେ ଦି ପଇସା ରୋଜଗାର ପାଇଁ କୌଣସି କାମ ନାହିଁ । ଭୋକର ଜ୍ବାଳା ଏବଂ ମାଓବାଦୀଙ୍କ ଦମନ ଲୀଳା,ଅନ୍ଯପଟେ ଯବାନମାନେ ସ୍ଥାନୀୟ ଜନସାଧାରଣଙ୍କୁ ସୁରକ୍ଷା ଦେବାରେ ବିଫଳ ଯୋଗୁଁ ବାଧ୍ଯ ହୋଇ ୮୫ ପରିବାର ଏବେ ଭିଟାମାଟି ଛାଡି ଚିତ୍ରକୋଣ୍ଡା ନିକଟସ୍ଥ ରାଜୁଲକୋଣ୍ଡା ଗ୍ରାମ ନିକଟରେ ବସବାସ କରିବା ପାଇଁ ଡେରା ବାନ୍ଧିଛନ୍ତି। ଗାଁ ଛାଡିଥିବା ପରିବାରଗୁଡିକ ହେଲା ଯୋଡାମ୍ବ ପଞ୍ଚାୟତର ତାରାବେଡା, ବିହନଗୁଡି, ପୁଡଖାଲ, ଦୋରାଗୁଡା,ପୂଜାରୀଗୁଡା, ଖଜୁରିଗୁଡା, ତାଡିଗୁଡା,ମାଟିଖାଲ, ଡୋଲିଆମ୍ବ, ଡାଲଗୁଡା, ପାଲସ ପଦର, ତାଡପଦର ଗ୍ରାମର ପ୍ରାୟ ୬୭ ପରିବାର ଗ୍ରାମ ଛାଡିଛନ୍ତି। ସେହିପରି ପଣସପୁଟ ପଞ୍ଚାୟତର ଡଙ୍ଗାପଦର, ବେଜିଂ, ବଡପୁଟ, ମୁତାଆମ୍ବ ୮ଟି ପରିବାର ଗ୍ରାମ ଛାଡିଥିବା ବେଳେ ବଡପଦର ପଞ୍ଚାୟତର ୪ଟି ପରିବାର, ଅଣ୍ଡ୍ରାପାଲୀ ପଞ୍ଚାୟତର ୭ଟି ପରିବାର, ବଡପଡା ପଞ୍ଚାୟତର ୪ଟି ପରିବାର, ନାକାମାମୁଡି ପଞ୍ଚାୟତର ଗୋଣ୍ଡିଆପଡା ଗ୍ରାମର ୪ ପରିବାର ଏବଂ ଡୁମୁରିପୁଟ ଗ୍ରାମର ୨ଟି ପରିବାର ଗ୍ରାମ ଛାଡିଥିବା ସୂଚନା ମିଳିଛି । ଗ୍ରାମବାସୀ ନିଜର ପୈତୃକ ଘର ସମେତ ନିଜର ଘରଦ୍ବାର ସବୁ ଛାଡି ଏବେ ଚିତ୍ରକୋଣ୍ଡାର ରାଜୁଲକୋଣ୍ଡାରେ ବସବାସ କରିବା ପାଇଁ ଆସିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଯଡାମ୍ବ ପଞ୍ଚାୟତର ଚାରିପଟେ ସୁରକ୍ଷାର ବ୍ୟବସ୍ଥା ରହିଥିବା ବେଳେ ଏହି ପଞ୍ଚାୟତର ଏତେ ୬୦ରୁ ଉର୍ଦ୍ଧ୍ବ ପରିବା ଗ୍ରାମ ଛାଡିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦିନ ଥିଲା ସ୍ବାଭିମାନ ଅଂଚଳକୁ ନକ୍ସଲ ନିଜର ଗଡ ଭାବେ ଅକ୍ତିଆର କରିନେଇଥିଲେ,ଯେଉଁଠି ପୋଲିସ କିମ୍ବା ପ୍ରଶାସନ ପହଞ୍ଚିବା ଏକ ପ୍ରକାର କଷ୍ଟ ସାଧ୍ଯ ରହିଥିଲା। କିନ୍ତୁ ଏବେ ସ୍ବାଭିମାନ ଅଂଚଳର ଅଧିକାଂଶ ଗ୍ରାମକୁ ସୁରକ୍ଷା ବ୍ୟବସ୍ଥା ପହଞ୍ଚିଥିଲେ ମଧ୍ୟ ନକ୍ସଲ ନିଜର ପତିଆରା ଜାହିର କରୁଛନ୍ତି । ଫଳରେ ଲୋକମାନେ ଗ୍ରାମ ଛାଡିଥିବା କୁହାଯାଇଛି। ଏହି ଗ୍ରାମର ଲୋକମାନେ ପୋଲିସକୁ ସମର୍ଥନ କରିବା ସହ ବିକାଶକୁ କିପରି ତ୍ବରାନ୍ବିତ ହେବ ସେଥି ଲାଗି ପ୍ରଶାସନକୁ ପୂର୍ଣ୍ଣ ସମର୍ଥନ କରୁଥିବାରୁ ମାଓବାଦୀଙ୍କର ଟାର୍ଗେଟ ହୋଇଥିବା କୁହାଯାଇଛି। ଏଣୁ ନିଜର ଭିଟାମାଟି ଛାଡି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଅନ୍ୟ ଦିଗରେ କିଛି ଲୋକ ସେଠାରେ କାମଧନ୍ଦା ନପାଇ ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ଯ ବୋଲି ପ୍ରକାଶକରିଥିଲେ। କର୍ମ ଅନ୍ବେଷଣରେ ଗ୍ରାମରୁ ବାହାରକୁ ବାହାରିଲେ ମାଓବାଦୀଙ୍କ ଟାର୍ଗେଟ ହେଉଥିବା ବେଳେ । କେତେ ଦିନ ଗ୍ରାମରେ ରହି ଭୋକ ଓପାସରେ ପଡି ରହିବେ ବୋଲି କହିଛନ୍ତି। ତେଣୁ ଚିତ୍ରକୋଣ୍ଡାକୁ ଆସି ଏଠାରେ କାମଧନ୍ଦା କରି ବଂଚିବେ ବୋଲି ଚିନ୍ତା କରି ଗ୍ରାମରୁ ଚାଲିଆସିଥିବା କହିଛନ୍ତି। ତେବେ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରା ଏମାନଙ୍କ ପାଖରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥାବା ବେଳେ ପୋଲିସ ମଧ୍ୟ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଉଛି। କିନ୍ତୁ ଲୋକେ ଏମାନଙ୍କ କଥାକୁ କର୍ଣ୍ଣପାତ କରୁନଥିବା ଜଣାପଡିଛି । ଆଉ ନିଜ ଭିଟାମାଟିକୁ ନ ଫେରିବାକୁ ନିଜ ନିଜ ଜିଦ୍ ଅଟଳ ରହଛନ୍ତି। ଜିଲ୍ଲାପାଳ ଏଥି ପ୍ରତି ଧ୍ଯାନ ଦେଇ ସର୍ବହରା ଆଦିବାସୀଙ୍କ ଜୀବନ ଓ ଜୀବୀକା ପ୍ରତି ଗୁରୁତ୍ବ ଦେବାକୁ ଦୃଢ ଦାବି ହୋଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.