ଧାନ କ୍ରୟ ନକରିବାରୁ ଚାଷୀଙ୍କ ରାସ୍ତା ଅବରୋଧ ।

0 453

ମାଲକାନଗିରି,୦୨/୦୨(ପିପିଟି);ମଣ୍ଡିରେ ଧାନ କ୍ରୟ ନକରିବା ଯୋଗୁଁ ଆଜି ଚାଷୀମାନେ ଏକତ୍ରିତ ହୋଇ କୋରୁକୋଣ୍ଡା ମୁଖ୍ଯ ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ସମସ୍ତ ଯାନବାହାନ ଯାତାୟତ ସଂପୂର୍ଣ୍ଣ ଠପ ହୋଇ ପଡିଥିଲା। ପ୍ରଶାସନର ପ୍ରତିଶ୍ରୁତି ପରେ ଅପରାହ୍ନ ୪ଟାରେ ପଥ ଅବରୋଧ ହଟିଥିଲା ।ପ୍ରାପ୍ତ ସୂଚନା ଅନୁସାରେ ସକାଳ ୭ଟାରୁ ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର କୋରୁକୋଣ୍ଡା ସଦର ସ୍ଥିତ ଖିଲଗୁଡା ଛକ ନିକଟରେ ଶତାଧିକ ଚାଷୀ ଏକତ୍ରିତ ହୋଇ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ଦୁଇ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଥିବା ସହ ଦୁଇ ଚକିଆ ଯାନକୁ ମଧ୍ୟ ଚାଷୀମାନେ ଛାଡି ନଥିଲେ। ପ୍ରତି ବର୍ଷ ସରକାରଙ୍କ ପକ୍ଷରୁ ହେଉଥିବା ଧାନ ମଣ୍ଡିର ଅବ୍ୟବସ୍ଥା ନିମନ୍ତେ ଚାଷୀ ହନ୍ତସନ୍ତ ହେଉଥିବା ଆଜି ଦେଖିବାକୁ ମିଳୁଛି। ଚାଷୀମାନଙ୍କ ଧାନ କ୍ରୟରେ ସରକାର ସୁଧାର ଆଣିବା ବିଫଳ ହୋଉଥିବା ଅଭିଯୋଗ କରିଛନ୍ତି। ପ୍ରତି ବର୍ଷ ଅପେକ୍ଷା ଚଳିତ ବର୍ଷ ଧାନ ମଣ୍ଡି ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ କିପରି ଶୀଘ୍ର ମଣ୍ଡି ଶେଷ ହୋଇଯାଇଛି ତାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଛି। ଅଧିକାଂଶ ଚାଷୀଙ୍କର ଚଳିତ ଖରଫ ଋତୁ ପାଇଁ ଏକ କିଲୋ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିନଥିବା ଅଭିଯୋଗ କରିଛନ୍ତି । ସମସ୍ଯାର ସରଳ ସମାଧାନ ପାଇଁ ମଣ୍ଡିକୁ ଧାନ ଆଣିବା ନିମନ୍ତେ ଅନଲାଇନ ମାଧ୍ୟମରେ ଟୋକନ ପ୍ରଦାନ ବ୍ଯବସ୍ଥା କରାଯାଇଥିଲା। କିନ୍ତୁ ଜାନୁଆରୀ ୧୫ ଠାରୁ କୌଣସି ଚାଷୀ ମଣ୍ଡି ମାଧ୍ୟମରେ ଧାନ ବିକ୍ରି କରିନଥିବା ଅଭିଯୋଗ କରିଛନ୍ତି। ଏନେଇ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେଣୁ ଶେଷରେ ଆଜି ବାଧ୍ୟହୋଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଷୀମାନେ ସକାଳ ୭ଟା ଠାରୁ ରାସ୍ତା ଅବରୋଧ କରିଥିଲେ । ଆନ୍ଦୋଳନ ପ୍ରତ୍ଯାହାର ନିମନ୍ତେ ବିଡ଼ିଓ ଅଂଶୁମାନ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଯେ ପର୍ଯ୍ୟନ୍ତ ଚାଷୀଙ୍କ ସମସ୍ତ ଧାନ ଉଠିବା ନେଇ ପ୍ରତିଶ୍ରୁତି ମିଳିନାହିଁ ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଏପରି ଜାରି ରହିବ ବୋଲି ଚାଷୀମାନେ ଅଡି ବସିଥିଲେ। ଚାଷୀମାନେ ବିଡ଼ିଓଙ୍କ କଥାକୁ ଗୁରୁତ୍ବ ଦେଇନଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ଘଟଣା ସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିବା ସହ ଆଗାମୀ ଆଠ ଦିନ ଭିତରେ ଚାଷୀମାନଙ୍କ ଧାନ ଉଠିବାକୁ ପ୍ରତିଶୃତି ଦେବାପରେ ଅପରାହ୍ନ ୪ଟା ସମୟରେ ଚାଷୀ ମନେ ରାସ୍ତା ଅବରୋଧରୁ ଅପସାରଣ ହୋଇଥିଲେ।ଏହି ଚାଷୀ ଆନ୍ଦୋଳନରେ ଗୋବିନ୍ଦ ପାତ୍ର,ବନମାଳୀ ପାତ୍ର,ସୁରେନ୍ଦ୍ର ହାଲବା,ସୋନୁ ଖେମୁଡୁ ପ୍ରମୁଖ ନେତୃତ୍ବ ନେଇଥିଲ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.