ଭଞ୍ଜନଗର,୨୯/୦୧(ପିପିଟି); ଭଞ୍ଜନଗର ଥାନା ଅନ୍ତର୍ଗତ କୋଦଣ୍ଡା ଛକରେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣରେ ଜିଲୁଣ୍ଡି ମୁଖ୍ୟ ରାସ୍ତାର ବଳରାମ ପ୍ରଧାନ (୬୦)ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ବଳରାମ ଦିନ ୩ଟା ସମୟରେ ପୁଅ ଦୂତିକୃଷ୍ଣ ପ୍ରଧାନ ସହ କୌଣସି କାମରେ ଭଞ୍ଜନଗର ଆସି ଉକ୍ତ ସ୍ଥାନରେ ବାଇକ ରଖି ଛିଡା ହୋଇଥିବା ବେଳେ ଅଗଝୋଳ ଗ୍ରାମର ଲଖଣ ପ୍ରଧାନ ତାର କିଛି ସାଙ୍ଗଙ୍କୁ ଧରି ବଳରାମ ଓ ଦୂତିକୃଷ୍ଣ ସହ ଯୁକ୍ତିତର୍କ କରିଥିଲା। ଏହାପରେ ଏକ ଲୁହା ହାତୁଡ଼ିରେ ଆକ୍ରମଣ କରିବାରୁ ବଳରାମର ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା। ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ବଳରାମକୁ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ବଳରାମ ସୁସ୍ଥ ଥିବା ଜଣାପଡ଼ିଛି। ଏସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )