ପୋଲସରା,୨୮/୦୧ (ପିପିଟି); ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗ୍ରାମ ଦୁର୍ଗାମାଧବ ସାହିରେ ଟଙ୍କାକିଆ ଚାଉଳ କୁ ନେଇ ଏକ ଅଭାବନୀୟ କାଣ୍ଡ ଘଟିଯାଇଛି । ଉତ୍ୟକ୍ତ ବାପାର ଶକ୍ତ ଚାପୁଡ଼ା ମାଡ଼ରେ ଭିନ୍ନକ୍ଷମ ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି । ଆକ୍ରମଣ କରିଥିବା ବାପା ବଳରାମ ପ୍ରଧାନ ଥାନାରେ ଅଟକ ଥିବା ବେଳେ, ପୋଲସରା ମେଡ଼ିକାଲରେ ପୁତ୍ର ମୃତବରଣ କରିଥିବା ଥାନାଧିକାରୀ ଠାରୁ ପ୍ରକାଶ । ଶବକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିବା ଖବର ମିଳିଛି । ପ୍ରାପ୍ତ ସୂଚନା ପ୍ରକାରେ କଳମ୍ବ ଗ୍ରାମର ଦୁର୍ଗାମାଧବ ସାହିରେ ବାପା ବଳରାମ ନିଜ ସ୍ତ୍ରୀ କୁ ନେଇ ନିଜ ଘରେ ରହୁଥିବା ବେଳେ ଭିନ୍ନକ୍ଷମ ପୁଅ ଅନୀଳ ପ୍ରଧାନ ନିଜ ସ୍ତ୍ରୀ ଗୀତାଞ୍ଜଳୀ ପ୍ରଧାନକୁ ନେଇ ଅନ୍ୟ ଏକ ସାହିରେ ଭଡ଼ା ଘରେ ରହୁଥିଲେ । ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ପରିବାର ୪ ଜଣ ସଦସ୍ୟଙ୍କ ନାମରେ ଗୋଟିଏ ରେସନ କାର୍ଡ଼ ହୋଇ ହୋଇଥିଲା । ଯାହା ଫଳରେ ଏକ ଟଙ୍କାରେ ମିଳୁଥିବା ସମସ୍ତ ଚାଉଳକୁ ବାପା ବଳରାମ ପ୍ରଧାନ ଭିନ୍ନକ୍ଷମ ଥିବା ପୁଅ ଓ ବୋହୁଙ୍କୁ ନଦେଇ ଜୋର୍ ଜବରଦସ୍ତ ନିଜେ ସବୁକିଛି ନେଇ ଯାଉଥିବା ଅଭିଯୋଗ ହୋଇ ଆସୁଥିଲା । ଯାହାକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା । ଗୋଟିଏ ରେସନ କାର୍ଡରେ ୪ ଜଣଙ୍କ ନାଁ ରହୁଥିବାରୁ ବାପା , ଉଭୟ ପୁଅ ଓ ବୋହୂକୁ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏଭଳି ଚାଉଳ କାର୍ଡ଼କୁ ନେଇ ମୃତ ଭିନ୍ନକ୍ଷମ ପୁଅ ଅନୀଳ ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ଯୋଗାଣ ଅଧିକାରୀ ଜଣାଇଥିଲେ । କିନ୍ତୁ ଭିନ୍ନକ୍ଷମ ପୁଅ , ବୋହୁ ସରକାରଙ୍କ ଯୋଗ୍ୟ ତାଲିକାରେ ଥାଇ ମଧ୍ୟ ଘରୋଇ କଳିରୁ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ରହି ବଡ଼ ଦୁର୍ଦ୍ଦିନରେ ଚଳୁଥିଲେ । ଆଜି ଗୁରୁବାର ଗାଁ ରେ ଚାଉଳ ବଣ୍ଟନ କେନ୍ଦ୍ରରେ ପୂର୍ବରୁ ପୁଅ ଚାଉଳ ନେବା ପାଇଁ କେନ୍ଦ୍ରରେ ଜଗି ରହିଥିଲା । ହେଲେ ବାପା ନିଜ ଜନ୍ମ କଲା ଭିନ୍ନକ୍ଷମ ପୁଅକୁ ଟଙ୍କା କିଆ ଚାଉଳ ଦେବା ବଦଳରେ ଅତି ନୃଶଂସ ଭାବେ ପୁଅକୁ ଶକ୍ତ ଚାପୁଡ଼ା ପିଟି ଘଟଣା ସ୍ଥଳରେ ଛାଡ଼ି ଚାଲିଯାଇଥିଲା । ବାପାର ମାଡ଼ରେ ଗୁରୁତର ହୋଇ ପଡ଼ି ଥିବା ପୁଅକୁ ଗ୍ରାମବାସୀଙ୍କ ସାହାୟତାରେ ପୋଲସରା ମେଡ଼ିକାଲକୁ ଅଣାଯାଇ ଥିବା ବେଳେ ଡାକ୍ତର ପୁଅ ଅନୀଳ କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ମୃତ ଅନୀଳର ସ୍ତ୍ରୀ ଗୀତାଞ୍ଜଳୀ ପ୍ରଧାନ ପୋଲସରା ଥାନାରେ ଏତଲା ଦେଇଥିବା ବେଳେ ,ଏନେଇ ପୋଲସରା ଥାନାରେ କେସ ନଂ ୨୪/୨୧ ରେ ମାମଲା ରୁଜ୍ଜୁ କରି ବାପା ବଳରାମକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି। (ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)