ଭଞ୍ଜନଗର,୨୪/୦୧(ପିପିଟି); ଘୁମୁସର ମାଟିର ମହାନ ବିପ୍ଳବୀ, ବୀର ତଥା ସ୍ୱାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ ୧୯୮ତମ ଜୟନ୍ତୀ ଭଞ୍ଜନଗର ବାଇପାସ ଛକରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ପ୍ରଥମେ ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ମୁଖ୍ୟ ବକ୍ତା ମନ୍ମଥ କୁମାର ଶତପଥି,ସମ୍ମାନିତ ଅତିଥି ରୂପେ ପୂର୍ବତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ,ଅଧ୍ୟକ୍ଷ ନିଳାଞ୍ଚଳ ମୁନି,ଆର.ଟି.ଓ ଶୁଭେନ୍ଦୁ ରାୟ,ଶିକ୍ଷକ ଜଗବନ୍ଧୁ ଜେନା, ଆଇନଜୀବୀ ଏମ.ତାଜ ଆଦେନୀ, ଏନ୍ଏସି କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ମଞ୍ଚରେ ଉପସ୍ଥିତ ଥିଲେ।ଶୂଳପାଣି ଶତପଥି ଏଥିରେ ସଂଯୋଜନା କରିଥିଲେ। ଚକରା ୧୩ବର୍ଷ ବୟସରେ ସଂଗ୍ରାମ ଆରମ୍ଭ କରି ଗରିଲା ଯୁଦ୍ଧରେ ଇଂରେଜମାନଙ୍କ ନିଦ ହଜେଇ ଦେଇଥିଲେ। ତାଙ୍କୁ ଧରିବା ପାଇଁ ଇଂରେଜ ସରକାରଙ୍କ ସମସ୍ତ ରଣନୀତି ଫେଲ ମାରିଥିଲା। ଏଭଳି ଜଣେ ମହାନ ଯୋଦ୍ଧା ଆଜି ଅବହେଳିତ ହୋଇ ରହିଛନ୍ତି।ତେଣୁ ତାଙ୍କ ସମ୍ପର୍କରେ ଅତ୍ୟଧିକ ପ୍ରଚାର ଓ ପ୍ରସାରର ଆବଶ୍ୟକତା ରହିଛି ଯାହାଫଳରେ ବିଶ୍ୱ ଦରବାରରେ ଏହି ମହାନ ବ୍ୟକ୍ତିତ୍ୱଙ୍କୁ ଉଚିତ ସମ୍ମାନ ମିଳିପାରିବ ବୋଲି ଅତିଥିମାନେ କହିଥିଲେ। ଶିଳ୍ପୀ ଧ୍ରୁବ ମହାରଣାଙ୍କ ତଦାରଖ ରେ ଚକରାଙ୍କ ପ୍ରତିମୂର୍ତ୍ତି ନିର୍ମିତ ହୋଇଥିବାରୁ ତାଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଶେଷରେ ଭଞ୍ଜ ସଙ୍ଗୀତ ପରିବେଷଣ କରାଯାଇଥିଲା।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )