ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଗୁଡିକୁ ବିକ୍ରି ପ୍ରତିବାଦରେ ମା ତାରିଣୀ-ଅରବିନ୍ଦ ନଗର ମିଳିତ ବସ୍ତି କମିଟି ପକ୍ଷରୁ ସ୍ମାରକପତ୍ର ପ୍ରଦାନ ।

0 535

ଭୁବନେଶ୍ୱର,୨୮/୧୨; ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଗୁଡିକୁ ଜାଲିଆତି କରି ଅଣବସ୍ତି ଲୋକଙ୍କ ଠାରୁ ଭିତିରିଆ ଟଙ୍କା ନେଇ ବିକ୍ରି କରୁଥିବା ବେଳେ ଦଶନ୍ଧି ଦଶନ୍ଧି ଧରି ବସ୍ତିରେ ରହି ଆସୁଥିବା ପ୍ରକୃତ ଗରୀବ ଶ୍ରମଜୀବୀ ଲୋକଙ୍କ ଘର ବଳପୂର୍ବକ ଉଛେଦ ବିରୁଦ୍ଧରେ ଆଜି ମା ତାରିଣୀ-ଅରବିନ୍ଦ ନଗର ମିଳିତ ବସ୍ତି କମିଟି ପକ୍ଷରୁ ଶତାଧିକ ବାସିନ୍ଦା ଯାଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଫାଇବ ଟି ସଚିବ ଭିକେ ପାଣ୍ଡିଆନ, ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏବଂ ବିଡିଏ ଉପାଧ୍ୟକ୍ଷଙ୍କୁ ସାକ୍ଷାତ କରି ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶଯୋଗ୍ୟ ଏହି ଉଭୟ ବସ୍ତିର ମାତ୍ର କିଛି ପରିବାରଙ୍କୁ ବିଏସୟୁପି ଯୋଜନାରେ କୋଠାଘର ଦେଇ ବାକି ସବୁ ପରିବାରଙ୍କ ଘରକୁ ବଳପୂର୍ବକ ଭାଙ୍ଗିଦେବାକୁ ଲଗାତର ଉଦ୍ୟମ ଚାଲିଛି। ଯେଉଁମାନେ ଘର ପାଇଛନ୍ତି କେବଳ ସେମାନଙ୍କ ଘର ଭାଙ୍ଗିବା ବାହାନାରେ ଘର ପାଇନଥିବା ଲୋକଙ୍କ ଘର ଭାଙ୍ଗି ଦେଉଛନ୍ତି। ବସ୍ତିର ସବୁଠାରୁ ପୁରୁଣା ଓ ଅତି ଗରିବ ବୁଦ୍ଧି ପ୍ରଧାନକୁ ପ୍ରଥମ ପର୍ଯ୍ୟାୟରେ କୋଠାଘର ନଦେଇ ୪ ନଭେମ୍ବରରେ ତା ଘର ଭାଙ୍ଗି ଦେଇଛନ୍ତି। ତାରିଣୀ ଓ ଅରବିନ୍ଦ ନଗର ଦୁଇ ବସ୍ତିରେ ୫ ଶହ ପରିବାର ରହୁଥିବା ବେଳେ ମାତ୍ର ୧୭୯ ପରିବାରଙ୍କୁ ବହୁତଳ ପ୍ରସାଦ ଭିତରେ ଗୋଟିଏ ଗୋଟିଏ ଅତି ନିମ୍ନ ମାନର ଛୋଟିଆ କୋଠରୀଟିଏ ଦେଇ ବାକି ସମସ୍ତ ପରିବାରଙ୍କୁ ଉଛେଦ ଉଦ୍ୟମ ବିରୁଦ୍ଧରେ ଉଭୟ ବସ୍ତି ଲୋକଙ୍କ ପକ୍ଷରୁ ପ୍ରତିବାଦ ଲଢେଇ ଜାରୀ ରହିଛି। ଏହି ପରିପ୍ରେକ୍ଷୀରେ ୨ୟ ପର୍ଯ୍ୟାୟ ଥଇଥାନ ପାଇଁ ପ୍ରତି ପରିବାର ୧ ଲକ୍ଷ ୨୦ ହଜାର ଟଙ୍କା ଡିପୋଜିଟ ଗତ ଏକ ସପ୍ତାହ ତଳେ ଆରମ୍ଭ ହୋଇଛି। କିନ୍ତୁ ଦଶନ୍ଧି ଦଶନ୍ଧି ଧରି ବସ୍ତିରେ ରହୁଥିବା ଅନେକ ଶ୍ରମଜୀବୀ ପରିବାରଙ୍କୁ ଏହି ତାଲିକାରୁ ବାଦ ଦିଆଯାଇଛି। ଯେଉଁମାନେ ବସ୍ତିରେ କେବେ ରହି ନାହାନ୍ତି, ଆଦୌ ବସ୍ତି ଲୋକ ନୁହଁନ୍ତି ଅବା ବସ୍ତି ଲୋକଙ୍କ ସମ୍ପର୍କୀୟ ଯେଉଁମାନେ କି କେବେ ମଧ୍ୟ ବସ୍ତିରେ ନଥିଲେ, ଗାଁରେ ରହୁଥିଲେ ଅବା ଅନ୍ୟ ସହରରେ ରହୁଥିଲେ ସେଭଳି ବେଆଇନ ଲୋକଙ୍କ ନାମରେ ଏହି ଘର ଆଲଟମେଂଟ ଉଦ୍ୟମ ଚାଲିଛି। ୧୭୯ ଘର ଆଲଟମେଂଟ ସମୟରେ ମଧ୍ୟ ଏଭଳି ଚଞ୍ଚକତା କରି ବେଶକିଛି ଘରକୁ ଅଣବସ୍ତି ଲୋକଙ୍କୁ ବିକ୍ରୀ କରିବାରେ ସଫଳ ହେବା ପରେ ବିଏମସି-ବିଡିଏ ଅଧିକାରୀ, ସ୍ଥାନୀୟ ନେତା ଓ ବସ୍ତିର କିଛି ଦଲାଲଙ୍କ ମଧ୍ୟରେ ଅସାଧୁ ମେଣ୍ଟ କରି ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଗୁଡିକୁ ବିକ୍ରି ଉଦ୍ୟମ ଆରମ୍ଭ କରିଛନ୍ତି। ଯେଉଁମାନେ ହଜାର ହଜାର ଟଙ୍କା ଲାଞ୍ଚ ଦେଇ ପାରୁଛନ୍ତି ସେମାନଙ୍କ ନାଁ ତାଲିକାରେ ଆସୁଛି। ପୁଣି ବସ୍ତି ଦଲାଲଙ୍କ ଜରିଆରେ ସେମାନଙ୍କ ସହ ଚୁକ୍ତି କରୁଛନ୍ତି, ୨୦ ଲକ୍ଷ ଟଙ୍କାର ଘର ପାଇବେ ଆଗୁଆ ସର୍ବନିମ୍ନ ଦେଢ଼ ଲକ୍ଷରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ଯେହେତୁ ପ୍ରଥମ ପର୍ଯ୍ୟାୟରେ ୫୫ ଘରକୁ ଏଭଳି ବିକ୍ରି କରିବାରେ ସଫଳ ହୋଇଛନ୍ତି, ସବୁ ସରକାରୀ ଦପ୍ତରରେ ପ୍ରତିବାଦ ପରେ ମଧ୍ୟ କୌଣସି ଫଳ ହେଲାନି, ତେଣୁ ଏହି ଅସାଧୁ ମେଣ୍ଟ ଜରିଆରେ ଘର ବିକ୍ରି ଅଭିଯାନ ଜୋରଦାର ହୋଇଛି। ବସ୍ତି ଆଇନର ସଂଜ୍ଞା ଅନୁସାରେ ବସ୍ତିର ସବୁ ପରିବାରକୁ ଘର ନଦେଇ ଗୋଟିଏ ଟାଇଟଲର ୪-୫ ପରିବାରକୁ ଗୋଟିଏ ଘର ଦେଇ ବାକି ଘରକୁ ହଡପ ଉଦ୍ୟମ ଚାଲିଛି। ଫଳରେ ବସ୍ତିରେ ଜନ୍ମ ହୋଇଥିବା ଏବଂ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ରହିଥିବା ଅନେକ ପରିବାର ଏଥିରୁ ବଂଚିତ ହୋଇଛନ୍ତି। ବସ୍ତି ଆଇନର ପରିବାର ସଂଜ୍ଞା ଅନୁସାରେ ପ୍ରକୃତରେ ବସ୍ତିରେ ରହୁଥିବା ସବୁ ପରିବାରଙ୍କୁ ଥଇଥାନ ଅନ୍ତର୍ଭୁକ୍ତ କରି କୋଠାଘର ଯୋଗାଇ ଦେବା ଦାବିରେ ମା ତାରିଣୀ ଓ ଅରବିନ୍ଦ ନଗର ମିଳିତ ବସ୍ତି କମିଟି ପକ୍ଷରୁ ବସ୍ତି ନେତା ଦୀନବନ୍ଧୁ ସାହୁ, ପର୍ଶୁରାମ ମହଲା, ଜୟ ଶର୍ମା, ପ୍ରଶାନ୍ତ ବେହେରା, ଜଗବନ୍ଧୁ ସାହୁ, ପ୍ରଶାନ୍ତ ରଣା, ଶୈଳବାଳା ସାହୁ, ରଜନୀ ପଣ୍ଡା ଆଦିଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ଯାଇ ସବୁ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ। ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଆଲଟମେଂଟରେ ହୋଇଥିବା ଜାଲିଆତିର ସିବିଆଇ ତଦନ୍ତ, ଡକ୍ୟୁମେଣ୍ଟ ଟାମ୍ପେରିଂ ର ୩ୟ ପକ୍ଷ ଦ୍ୱାରା ତଦନ୍ତ ଏବଂ ବେଆଇନ ଘର ବିକ୍ରି କାରବାରରେ ଲିପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ କରିବା ଏବଂ ସେମାନଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତ କରିବାକୁ ଏହି ବସ୍ତିବାସିନ୍ଦାମାନେ ଦାବି କରିଛନ୍ତି। ପ୍ରକାଶଯୋଗ୍ୟ ଗତ ୨୪ ଡିସେମ୍ବରରେ ଏହି ଉଭୟ ବସ୍ତିର ବାସିନ୍ଦା ଓ ମହିଳାମାନେ ମାଣବସା ଛାଡି ମାର୍ଗଶିର ମାସ ଶେଷ ଗୁରୁବାରରେ ଦିନତମାମ ଧାରଣାରେ ବସି ବଳପୂର୍ବକ ଘର ଭଙ୍ଗାର ପ୍ରତିବାଦ କରିଥିଲେ।

Leave A Reply

Your email address will not be published.