ଜିଲ୍ଲାର କରୋନା ଯୋଦ୍ଧା ନିଜ ଜୀବନ ପ୍ରତି ଭୟ ନ କରି ନିର୍ଭୟର ସହିତ ସେବା ଯୋଗାଇଥିଲେ-ଜିଲ୍ଲାପାଳ ।

0 671

ଛତ୍ରପୁର,ତା.୨୭/୧୨(ପିପିଟି); ରବିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଆର୍ଥିକ ସହାୟତା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଜଣାଇଥିଲେଯେ, ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ଫେରିଥିଲେ, ସେମାନଙ୍କୁ ସେବା ଯୋଗାଇଦେବା କ୍ଷେତ୍ରରେ ପ୍ରଶାସନର କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଅଧିକାରୀ ଗଣ ନିଜ ଜୀବନପ୍ରତି ବିପଦ ଥାଇମଧ୍ୟ ସାହସୀକତାର ସହ ଅହରହ ସେବା ଯୋଗାଇଥିଲେ । ସେଥି ସକାଶେ ଜିଲ୍ଲାବାସୀଙ୍କ ଅମୂଲ୍ୟ ଜୀବନ ବଞ୍ଚିପାରିଥିଲା । ପ୍ରଶାସନର ପ୍ରତ୍ୟେକ ପଦାଧିକାରୀଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ଅହରହ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ତେଣୁ ସେମାନେ ସମସ୍ତେ ପ୍ରଶଂସାର ପାତ୍ର ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । କୋଭିଡ୍-୧୯ କାର୍ଯ୍ୟରେ ନିୟୋଜିତ ଥାଇ ସେବା ଯୋଗାଇ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସାହାଯ୍ୟ ସେମାନଙ୍କ ପରିବାର ବର୍ଗଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲାର ୨୬ ଜଣ କରୋନା ଯୋଦ୍ଧା ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ମନୋନୟନ ହୋଇଥିଲେ । ତନ୍ମଧ୍ୟରୁ ୧୨ ଜଣଙ୍କୁ ଏଥି ପୂର୍ବରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଆଜି ୬ ଜଣ କରୋନା ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରାଯାଇଥିଲା । ଆସନ୍ତା ସପ୍ତାହରେ ଆଉ ୮ ଜଣ କରୋନା ଯୋଦ୍ଧା ପରିବାରବର୍ଗଙ୍କ ସଦସ୍ୟଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର ଏଥିରେ ସମ୍ମାନୀତ ଅତିଥିରୂପେ ଯୋଗଦେଇ ଆଗାମୀ ଦିନରେ ଉକ୍ତ କରୋନା ଯୋଦ୍ଧା ପରିବାର ବର୍ଗଙ୍କ ମଧ୍ୟରୁ ଜଣକୁ ରିହାବିଲିଟେସନ୍ ରେ କର୍ମନିଯୁକ୍ତି ଦେବାର ବ୍ୟବସ୍ଥା କରିବା ସକାଶେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଇଥିଲେ । ସଭାକାର୍ଯ୍ୟ ଆରମ୍ଭରେ କରୋନା ଯୋଦ୍ଧା ମାନଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ଆସ୍କା ବିଜ୍ଞାପିତ ଅଞ୍ଚଳର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବର୍ଗତ ଅଶୋକ କୁମାର ପଣ୍ଡାଙ୍କ ସୁପୁତ୍ର ଅନୀଲ୍ କୁମାର ପଣ୍ଡା, ହିଞ୍ଜିଳି ପୌରାଞ୍ଚଳର ପୂର୍ବତନ ଟ୍ୟାକ୍ସ କଲେକ୍ଟର ସ୍ବର୍ଗତ ଧନୁର୍ଦ୍ଧର ସ୍ବାଇଁଙ୍କ ଧର୍ମପତ୍ନୀ ସବିତା ସ୍ବାଇଁ, ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ସହକାରୀ ଯନ୍ତ୍ରୀ ସ୍ବର୍ଗତ କୈଳାସ ଚନ୍ଦ୍ର ନାୟକଙ୍କ ଧର୍ମପତ୍ନୀ ବିଷ୍ଣୁପ୍ରିୟା ନାୟକ, ପୂର୍ବତନ ମୁଖ୍ୟ ସହାୟକ ସ୍ବର୍ଗତ ଉପେନ୍ଦ୍ର ମାଝିଙ୍କ ଧର୍ମପତ୍ନୀ ସୌଦାମିନୀ ମାଝି, ପୂର୍ବତନ ଡ୍ରାଫ୍ଟସ୍ ମ୍ୟାନ୍ ସ୍ବର୍ଗତ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଧର୍ମପତ୍ନୀ ସବା ପଣ୍ଡା ଏବଂ ପୂର୍ବତନ ଖଲାସୀ ସ୍ବର୍ଗତ ବାବୁ ଲକ୍ଷ୍ମଣ ମୁଳିଙ୍କ ଧର୍ମପତ୍ନୀ ଚୁମୀ ମୁଳିଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ କରୋନାର ଘଡିସନ୍ଧି ମୁହୂର୍ତ୍ତରେ କାର୍ଯ୍ୟ କରିଥିବା ଯୋଦ୍ଧା ମାନଙ୍କର ଭୂମିକା ପ୍ରଶଂସା କରି ଆର୍ଥିକ ଅନୁଦାନ ସକାଶେ କିଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା ତାହା ବର୍ଣ୍ଣନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବହୁ ସାମ୍ବାଦିକ ବନ୍ଧୁମାନେ ଏଥିରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.