ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅଚଳ ପ୍ରକଳ୍ପକୁ ରାସ୍ତା ନିର୍ମାଣ,ସରକାରଙ୍କ ଅର୍ଥ ଅଯଥାରେ ଖର୍ଚ୍ଚ, ଦୁର୍ନୀତି ଆଶଙ୍କା !

0 1,259

ବ୍ରହ୍ମପୁର,୧୦/୧୨(ପିପିଟି); ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀର ଶେରଗଡ ବ୍ଲକ ଅନ୍ତର୍ଗତ ତହଁର ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ କାଞ୍ଜିଆମା ଗ୍ରାମର ଆରଡି ରାସ୍ତା ଠାରୁ ପାଣି ଟାଙ୍କି ରାସ୍ତା ନିର୍ମାଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କାର କାର୍ଯ୍ୟ ଆରମ୍ଭ ହୋଇଛି। ଯେଉଁ ପାଣି ଟାଙ୍କିକୁ ରାସ୍ତା ନିର୍ମାଣ ହେଉଛି ତାହା ପାଞ୍ଚ ବର୍ଷ ଧରି ଅଚଳ ହୋଇ ପଡିଛି। ବର୍ତ୍ତମାନ ସେଠାରେ ପାଣି ପମ୍ପ ନାହିଁ କି ବିଦ୍ଯୁତ୍ ବ୍ଯବସ୍ଥା ନାହିଁ। ପାଣି ଟାଙ୍କି ଚତୁଃପାର୍ଶ୍ବରେ ଲଟାବୁଦା ରହିଛି। ପାନୀୟ ଜଳ ଯୋଗାଣ ପାଇଁ ଆଉ ଗୋଟିଏ ନୂତନ ପ୍ରକଳ୍ପ ନିର୍ମାଣ ହୋଇ ରହିଛି କିନ୍ତୁ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇ ନାହିଁ। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଯେତେବେଳେ ୫ ବର୍ଷ ଧରି ଅଦରକାରୀ ହୋଇ ପଡିଛି ତାହା କଣ ପୁନର୍ବାର ଚାଲୁ ହେବାର ସମ୍ଭାବନା ରହିଛି କି ? ସେ ସମ୍ପର୍କରେ ପଞ୍ଚାୟତ ଆଲୋଚନା କରି ସେଠାରେ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ କି? ଯଦି ପଞ୍ଚାୟତରୁ ପ୍ରସ୍ତାବ ଆସିଥିଲା ତାହାହେଲେ ଯନ୍ତ୍ରୀ ଓ ବିଡିଓଙ୍କ ଘଟଣା ସ୍ଥଳକୁ ଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ହେବାର ଯଥାର୍ଥତା ରହିଛି କି ନାହିଁ ସମୀକ୍ଷା କରିଥିଲେ କି ? ଜିଲ୍ଲା ପ୍ରଶାସନ ଚାପରେ ମନରେଗା ଅର୍ଥ ଖର୍ଚ୍ଚ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ପନୀୟ ଜଳ ପ୍ରକଳ୍ପ ନିର୍ମାଣ ଓ ରକ୍ଷଣାବେକ୍ଷଣ ରେ ଦୁର୍ନୀତି ସମ୍ପର୍କରେ ଦୁର୍ନୀତିର ଗନ୍ଧ ବାହାରିଲାଣି। କାଞ୍ଜିଆମା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଦରକାରୀ ବସ୍ଥାରେ ପଡି ରହିଥିବା କାରଣ ଯୋଗୁଁ ସେତେବେଳେ ଯିଏ ଯନ୍ତ୍ରୀ ଦାୟିତ୍ୱରେ ଥିଲେ ତାଙ୍କ ବିରୋଧରେ ପ୍ରଶାସନ କଣ ପଦକ୍ଷେପ ନେଇଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ମନରେଗା ଯୋଜନାରେ ଯେଉଁ ରାସ୍ତା ନିର୍ମାଣ ହେଉଛି ତହା ଦେଖିଲେ ଜଣାପଡିବ ତାର ଆବଶ୍ୟକତା କ’ଣ ? ରାସ୍ତା ପାଇଁ ଉଭୟ ପାର୍ଶ୍ବରୁ ମାଟି କାଡି ପକାଯାଇଛି। ବର୍ତ୍ତମାନ ସୁଦ୍ଧା ୧,୩୭,୯୨୦ ଟଙ୍କା ଶ୍ରମିକ ମଜୁରୀ ବାବଦରେ ପ୍ରଦାନ କରାଯାଇଥିବା ନେଇ ଶୁଣିବାକୁ ମିଳୁଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଯଥାର୍ଥତା ଓ ଆବଶ୍ୟକତା ଥିଲା କି ବୋଲି କନିଷ୍ଠ ଯନ୍ତ୍ରୀ ସୁଦର୍ଶନ ସାବତଙ୍କୁ ମୋବାଇଲ୍ ଫୋନ୍ ଯୋଗେ ପଚାରି ବୁଝିଥିଲୁ, ସେ ସନ୍ତୋଷ ଜନକ ଉତ୍ତର ନଦେଇ କହିଥିଲେ ପଞ୍ଚାୟତରୁ ପ୍ରସ୍ତାବ ଆସିଥିଲା ସେଥିପାଇଁ ସେଠା କାର୍ଯ୍ୟ ଆରମ୍ଭ ହୋଇଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ପଞ୍ଚ ବର୍ଷ ଧରି ଅଚଳ ହୋଇ ପଡିଥିବା ପାଣି ଟାଙ୍କି ଓ ପମ୍ପ ଗୃହକୁ ପ୍ରତିଦିନ କିଏ ଯିବା ଆସିବା କରିବ। ସରକାରଙ୍କ ଅର୍ଥ ଯେଉଁଠି ହେଲେ ଖର୍ଚ୍ଚ କରି ୟୁସି ଦାଖଲ କରିବାକୁ ପଡିବ ସେଥିପାଇଁ ଯୋଜନା ବିହୀନ ଖର୍ଚ୍ଚ ଚାଲିଛି ବୋଲି ରାସ୍ତା ଘାଟ ଚର୍ଚ୍ଚା ଜୋର ଧରିଛି। ସଂପୃକ୍ତ ରାସ୍ତା ନିର୍ମାଣ ହେବ ତେଣୁ ସେ ରାସ୍ତାରେ ଜିଲ୍ଲାପାଳ, ପିଡି,ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଓ ବିଡିଓ ପ୍ରମୁଖ ଥରେ ବୁଲି ଅଚଳ ବିକାଶ ଦେଖି ଆସନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Leave A Reply

Your email address will not be published.