ଫୁଲବାଣୀ, ୨୮/୧୧(ପିପିଟି); ଫୁଲବାଣୀ ସହରର ମୁଖ୍ୟ ବଜାର ଲକ୍ଷ୍ମୀ ମାର୍କେଟ ଓ ହାଟପଦାରେ ପ୍ରଭାବଶାଳୀଙ୍କ ଦ୍ଵାରା ସରକାରୀ ଜମି ଜବରଦଖଲ କରାଯାଉଥିବା ବେଳେ ପ୍ରଶାସନର ନୀରବତା ଏହି ଜବରଦଖଲ କାରୀଙ୍କୁ ଏକ ପ୍ରକାର ପ୍ରଛାହନ ଦେଉଛି ଓ ପ୍ରଶାସନର ନିରପେକ୍ଷତା ପ୍ରତି ପ୍ରଶ୍ନ ଛିଡା କରିଛି । ଏହି ପ୍ରଭାବଶାଳୀ ପରିବାର ପୌରପରିଷଦର ସାପ୍ତାହିକ ହାଟ ଜାଗାକୁ ଜବରଦଖଲ କରି ନିଜର କୋଠା ନିର୍ମାଣ କରିବା ଓ ସହରର ମୁଖ୍ୟ ରାସ୍ତାରେ ମାଷ୍ଟର ପ୍ଲାନରେ ଥିବା କିଛି କଲଭଟକୁ ନିଜ ଦଖଲକୁ ନେବା ଓ ପୌରପରିଷଦର କୂଅ ଓ ଡ୍ରେନକୁ ନିଜ ଦଖଲକୁ ନେଇ ଚଞ୍ଚକତା କରି ନିଜ ନାଁରେ ଅସାଧୁ କର୍ମଚାରୀଙ୍କ ସହାୟତା ନେଇ ରେକର୍ଡ କରାଇବା ଭଳି ଅଭିଯୋଗ ଥିବା ବେଳେ ବର୍ତ୍ତମାନ ଲକ୍ଷ୍ମୀ ମାର୍କେଟର ଏଲ.ଆଇ.ସି ଅଫିସ ସାମ୍ନା ଏକ ସରକାରୀ ଜମିରେ ଥିବା ପୌରପରିଷଦର କୂଅ ଡ୍ରେନ ସହ ସରକାରୀ ଜମିକୁ ଜବରଦଖଲ କରି ତାର ବାଡ଼ ବୁଜିବା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ଦିନ ଦି ପହରେ ସହରର ମଧ୍ୟ ଭାଗରେ ଏହି ଜବରଦଖଲ ଚାଲିଥିବା ବେଳେ ପ୍ରଶାସନର ନୀରବତା ପ୍ରଶାସନର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ପୂର୍ବରୁ ଏହିଭଳି ପ୍ରଭାବଶାଳୀଙ୍କ ଜବରଦଖଲ ଯୋଗୁଁ ସହରରେ କୁତ୍ରିମ ବନ୍ୟା ଓ ହାଟପଦା ଜବରଦଖଲ ଯୋଗୁଁ ଗ୍ରାମାଞ୍ଚଳ ଚାଷୀଙ୍କ ପାଇଁ ଜାଗା ନ ପାଇ ପ୍ରତିବାଦ ଘଟି ଯାଇଥିଲେ ମଧ୍ୟ ପ୍ରଶାସନ ଏଥିରୁ କିଛି ଶିକ୍ଷା ପାଇ ପାରି ନାହିଁ । ବର୍ତ୍ତମାନ ଲକ୍ଷ୍ମୀ ମାର୍କେଟରେ ଚାଲିଥିବା ଜବରଦଖଲ ଜାଗାଟି ୱାର୍ଡର ଅଙ୍ଗନୱାଡି କେନ୍ଦ୍ର ପାଇଁ ୱାର୍ଡ ବାସୀଙ୍କ ପ୍ରସ୍ତାବ ଥିବା ବେଳେ ଏହାକୁ ଅଣଦେଖା କରି ପ୍ରଭାସଶାଳୀଙ୍କ ଜବରଦଖଲ ପ୍ରତି ପ୍ରଶାସନର ନିରବ ସମର୍ଥନ ପଛରେ କି ରହସ୍ୟ ରହିଛି ଏହା ତଦନ୍ତ ସାପେକ୍ଷ । ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରି ଜନସାଧାରଣଙ୍କ ହିତ ପାଇଁ ଏହିସବୁ ଜାଗାକୁ ତୁରନ୍ତ ଜବରଦଖଲ ମୁକ୍ତ କରି ଜନସାଧାରଣଙ୍କ ଦାବିକୁ ସମାନ ଜଣାଇବା ପାଇଁ ଦାବି ହେଉଛି ।
(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )