ବ୍ଲକ୍ ପ୍ରଶାସନକୁ ବିଦ୍ୟୁତ୍ ବିଭାଗର ବେଖାତିର ; ରାସ୍ତା ଉପରେ ବିଦ୍ୟୁତ୍ ଖୁଣ୍ଟ ସହ ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ୍ ତାର ।

0 179

ବେଲଗୁଣ୍ଠା,୧୭/୧୦((ପିପିଟି); ବିଦ୍ୟୁତ୍ ବିଭାଗର ଉନ୍ନତିକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଏହି ଖର୍ଚ୍ଚର ଭରଣା ପାଇଁ ଉପଭୋକ୍ତାଙ୍କ ଠାରୁ ନିୟମିତ ବ୍ୟବଧାନରେ ବର୍ଦ୍ଧିତ ବିଦ୍ୟୁତ୍ ଦେୟ ଆଦାୟ କରୁଛନ୍ତି କିନ୍ତୁ ବିଭାଗ ସରକାରଙ୍କ ହାତରୁ ଖସି ଯାଇ କିପରି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ କଥାକୁ ମଧ୍ୟ ଫୁ କରି ଉଡାଇଦେଉଛି ତାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଖୋଦ ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ । ସୂଚନା ପ୍ରକାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଏବଂ ସିଡିପିଓଙ୍କ କାର୍ଯ୍ୟାଳୟକୁ ଯାଇଥିବା ରାସ୍ତା ମଝିରେ ଏକ ବିଦ୍ୟୁତ୍ ଖୁଣ୍ଟ ରହିଛି ଯାହା ଅଧିକାରୀମାନଙ୍କ ଗାଡ଼ି ଯିବା ଆସିବାରେ ବହୁତ ସମସ୍ୟା ସୃଷ୍ଟି କରୁଛି । ଏହା ସହିତ ରାସ୍ତା ଉପରେ ମାତ୍ର ପାଞ୍ଚରୁ ସାତ ଫୁଟ ଉଚ୍ଚତାରେ ବିଦ୍ୟୁତ୍ ତାର ଗୁଡ଼ିକ ଝୁଲି ରହିଛି । ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସମ୍ମୁଖରେ ମାତ୍ର ପାଞ୍ଚ ଫୁଟ ଉଚ୍ଚତାରେ ବିଦ୍ୟୁତ୍ ଝୁଲି ରହିଛି ମୋଟର ସାଇକେଲ ରେ ଜିବା ଆସିବା ସମୟରେ ଏହି ତାର ଗୁଡାକ ମୁଣ୍ଡରେ ବାଜୁଛି । ଯାହା କର୍ମଚାରୀମାନଙ୍କ ମନରେ ଦୁର୍ଘଟଣାର ଭୟ ସୃଷ୍ଟି କରୁଛି I ଏହି ରାସ୍ତା ଦେଇ ପ୍ରତିଦିନ ବ୍ଲକ କାର୍ଯ୍ୟାଳୟ କର୍ମଚାରୀ ଯିବା ଆସିବା କରିବା ସହ ଅଙ୍ଗନଓ୍ଵାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଭିନ୍ନକ୍ଷମ, ବୃଦ୍ଧ ବୃଦ୍ଧା ନିଜ ନିଜର କାର୍ଯ୍ୟରେ ବ୍ଲକକୁ ଆସିଥାନ୍ତି । ତାର ଗୁଡ଼ିକ ଯେଉଁ ଅବସ୍ଥାରେ ଝୁଲି ରହିଛି ସେଗୁଡ଼ିକ ଯେ ଏକ ବଡ଼ ଦୁର୍ଘଟଣାର କାରଣ ନ ହେବ କିଛି କହି ହେବ ନାହିଁ । ଏ ନେଇ ବ୍ଲକ୍ ପ୍ରଶାସନ ତରଫରୁ ବାରମ୍ବାର ବିଦ୍ୟୁତ୍ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗର ବ୍ଲକ୍ ପ୍ରଶାସନର କଥା ପ୍ରତି କୌଣସି ଆନ୍ତରିକତା ଥିଲା ଭଳି ଜଣା ପଡ଼ୁନି । ବ୍ଲକ୍ କାର୍ଯ୍ୟାଳୟ ପ୍ରତି ମାସରେ ଥରେ ଦୁଇଥର ଜିଲ୍ଲାପାଳ, ତିନି ରୁ ଚାରି ଥର ଉପ ଜିଲ୍ଲାପାଳ, ତହସିଲଦାର ଏବଂ ବିଭିନ୍ନ ଉଚ୍ଚ ପଦସ୍ଥ କର୍ମଚାରୀ ଆସୁଥିଲେ ମଧ୍ୟ ଏହି ସମସ୍ୟା ପ୍ରତି କାହାର ନଜର ପଡ଼ୁନି । ଯଦି ଖୋଦ ପ୍ରଶାସନିକ ଅଧିକାରୀଙ୍କୁ ବିଦ୍ୟୁତ୍ ବିଭାଗ ଏମିତି ବେଖାତିର କରୁଛି ତେବେ ସାଧାରଣ ଜନତାଙ୍କ ପ୍ରତି ବିଦ୍ୟୁତ୍ ବିଭାଗ କେଉଁ ଭଳି ସେବା ଯୋଗାଉଥିବ ତାହା ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

(ରିପୋର୍ଟ- ସରୋଜ କୁମାର ଶତପଥୀ। )

Leave A Reply

Your email address will not be published.