ବେଲଗୁଣ୍ଠା,୧୬/୧୦(ପିପିଟି);ରାଜ୍ୟରେ ଗରିବ ଏବଂ ଭିନ୍ନକ୍ଷମଙ୍କୁ ବହୁ ସୁବିଧା ସୁଯୋଗ ଯୋଗାଉଥିବା କଥା ସରକାର ଡିଣ୍ଡିମ ବିଭିନ୍ନ ସମୟରେ ଏହାର ବାସ୍ତବ ଚିତ୍ର ସରକାରଙ୍କର ଦୋଷ ଦୁର୍ବଳତାକୁ ପଦାରେ ପକାଇଦେଉଛି । ଆଜି ଏହିଭଳି ଏକ ଘଟଣାର ନଗ୍ନ ଚିତ୍ର ବେଲଗୁଣ୍ଠା ବ୍ଲକ୍ ରେ ଦେଖା ଦେଇଛି । ସୂଚନା ପ୍ରକାରେ ଭିନ୍ନକ୍ଷମ ସୁଶାନ୍ତ ବେହେରା (୩୫) ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ନୁଣିପଡ଼ା ଗ୍ରାମରେ ନିଜର ବୃଦ୍ଧ ପିତା ମାତା ଏବଂ ସାନ ଭଉଣୀ ସହ ରହି ଆସୁଛନ୍ତି । ସୁଶାନ୍ତ ଭିନ୍ନକ୍ଷମ ହୋଇଥିବା ବେଳେ ଖାଦ୍ୟ ନିରାପତ୍ତା ଯୋଜନାରେ ଆଜି ପର୍ଯ୍ୟନ୍ତ ତାଙ୍କୁ ରାସନ୍ କାର୍ଡ ଖଣ୍ଡିଏ ମିଳିନାହିଁ । ନିଜର ଚାରି ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ ପାଇଁ ସୁଶାନ୍ତ ନିଜର ଏକ ମାତ୍ର ଭଙ୍ଗା ତିନି ଚକିଆ ସାଇକେଲରେ ବିଭିନ୍ନ ଗ୍ରାମରେ ବୁଲି ବୁଲି ଭିକ୍ଷା ବୃତ୍ତି କରନ୍ତି । ସେ ପ୍ରତିଦିନ ବିଞ୍ଚଣା , ଗୋବରା , ଷଡ଼ଙ୍ଗୀପୋଲି ଓ କଣ୍ଟେଇପଲ୍ଲୀ ଛକ ପର୍ଯ୍ୟନ୍ତ ଯାଇ ଭିକ ମାଗି ସନ୍ଧ୍ୟା ପାଞ୍ଚଟା ପୂର୍ବରୁ ନିଜ ଗ୍ରାମ ନୁଣିପଡ଼ାକୁ ଫେରି ଆସନ୍ତି । କିନ୍ତୁ ସବୁଦିନ ସମାନ ଯାଏନି । ଆଜି କୌଣସି କାରଣରୁ ତାଙ୍କୁ ସବୁଦିନ ଅପେକ୍ଷା କମ୍ ଭିକ୍ଷା ମିଳିଥିବା ବେଳେ ସେ ମଧ୍ୟ ଦିନ ସାରା ନ ଖାଇ ଭୋକିଲା ରହିଥିଲେ । ଅଧିକ କିଛି ମିଳିବା ଆଶାରେ ଅପେକ୍ଷା କରି କରି ସନ୍ଧ୍ୟା ହୋଇଯାଇଥିଲେ ମଧ୍ୟ ତାଙ୍କ ଆଶା ପୂରଣ ହୋଇନଥିଲା । ତେଣୁ ସେ ଆଜି ଅନ୍ଧାର ହେବା ପର୍ଯ୍ୟନ୍ତ ଘରକୁ ଫେରି ପାରି ନଥିଲେ । ଅନ୍ଧାରରେ ଘରକୁ ଫେରିବା ସମୟରେ ସନ୍ଧ୍ୟା ପ୍ରାୟ ସାତ ଘଣ୍ଟା ସମୟରେ ବିଞ୍ଚଣା ଏବଂ କ୍ଷତ୍ରିୟବରପୁର ମଝିରେ ଥିବା ଉଠାଣିରେ ତାଙ୍କ ସାଇକେଲ ଆଉ ଆଗକୁ ଗଡ଼ି ନଥିଲା । ଅନ୍ଧାର ରାତି ସାଙ୍ଗକୁ ଭଙ୍ଗା ସାଇକେଲ, ସେଥିରେ ପୁଣି ସେ ଭୋକିଲା ଥିବା ଯୋଗୁଁ ଚେଷ୍ଟା କରି ମଧ୍ୟ ନିଜ ସାଇକେଲର ପେଡେଲ ମାରି ଆଗକୁ ଉଠାଇ ପାରି ନଥିଲେ । ସୁଶାନ୍ତ ବାଧ୍ୟ ହୋଇ ରାସ୍ତାରେ ଯାଉଥିବା ଲୋକମାନଙ୍କୁ କାକୁତି ମିନତି ହୋଇ ସାହାଯ୍ୟ ମାଗିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନଥିଲେ I ଏହି ସମୟରେ କ୍ଷତ୍ରିୟବରପୁର ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ ନିଜ ମୋଟରସାଇକେଲରେ ଅନ୍ୟ ମନସ୍କ ହୋଇ ପଳେଇଯାଉଥିଲା ବେଳେ ଭିନ୍ନକ୍ଷମ ସୁଶାନ୍ତର ଅବସ୍ଥା ଦେଖି ପୁଣି ପଛକୁ ଫେରି ଆସିଥିଲେ I ସେ ନିଜ ମୋଟରସାଇକେଲରୁ ଓହ୍ଲାଇ ସୁଶାନ୍ତର ସାଇକେଲକୁ ପଛ ପଟୁ ଠେଲି ଠେଲି ଉଠାଣି ପାର କରିଦେଇଥିଲେ I ଉଠାଣି ପାର ହେବା ପରେ ସୁଶାନ୍ତ ମୁହଁରେ ହସ ଖେଳି ଯାଇଥିଲା I ସେ ସରପଞ୍ଚ ଗୌଡଙ୍କୁ ଧନ୍ୟବାଦ ଦେଇ ନିଜ ଗ୍ରାମକୁ ଯାଇଥିଲେ I ସରପଞ୍ଚଙ୍କର ଏହି ଭଳି ମହାନ୍ କାର୍ଯ୍ୟକୁ ପ୍ରତ୍ୟକ୍ଷଦର୍ଶୀ ମାନେ ସାଧୁବାଦ ଜଣାଇବା ସହ ଭିନ୍ନକ୍ଷମ ସୁଶାନ୍ତ ଏବଂ ତା’ର ପରିବାରକୁ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି ।
(ରିପୋର୍ଟ- ଶିବରାମ ଚୌଧୁରୀ। )