ଜିଲ୍ଲାପାଳଙ୍କ ନେତୃତ୍ବରେ ମା ତାରାତାରିଣୀଙ୍କ ନୂତନ ଟ୍ରଷ୍ଟବୋର୍ଡ ଗଠିତ,ମା ତାରାତାରିଣୀଙ୍କ ନବରାତ୍ର ପୂଜା ଉପଲକ୍ଷେ ପ୍ରସ୍ତୁତି ବୈଠକ ।

0 810

ଛତ୍ରପୁର, ତା.୧୫/୧୦(ପିପିଟି); ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଚଳିତ ବର୍ଷ ର ମା ତାରାତାରିଣୀଙ୍କ ନବରାତ୍ର ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ନୂତନ ଭାବେ ମନ୍ଦିର ପରିଚାଳନା ଟ୍ରଷ୍ଟ ଗଠନ କରାଯାଇଛି । ଏକବର୍ଷ ସକାଶେ ଗଠନ କରାଯାଇଥିବା ଏହି ସାତ ଜଣିଆ ଟ୍ରଷ୍ଚ ବୋର୍ଡରେ ଗଞ୍ଜାମ ଜିଲ୍ଲାପାଳ ଟ୍ରଷ୍ଟି, ଆରକ୍ଷୀ ଅଧୀକ୍ଷକ ଗଞ୍ଜାମ, ଛତ୍ରପୁର ଉପଜିଲ୍ଲାପାଳ, ସୁପରିନଟେଣ୍ଡେଣ୍ଟ ଇଞ୍ଜିନିୟର୍, ପି.ଡବ୍ଲ୍ୟୁ.ଡି. ବ୍ରହ୍ମପୁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମପୁର, ତହସିଲଦାର ପୁରୁଷୋତ୍ତମପୁର ଏବଂ ପ୍ରମୋଦ କୁମାର ପଣ୍ଡାଙ୍କୁ କମିଟିର ପ୍ରଥମ ବୈଠକ ହେତୁ ସେବାୟତ ମାନଙ୍କ ତରଫରୁ ସ୍ବାଗତ କରାଯାଇଥିଲା । ମନ୍ଦିରର ଉନ୍ନତି କରଣ ସକାଶେ ଯେଉଁ ସବୁ କାର୍ଯ୍ୟ ଚାଲିଛି ତାହା ତୁରନ୍ତ ସମାପନ କରିବା ସକାଶେ ଜିଲ୍ଲାପାଳ କମିଟିର ସଦସ୍ୟ ମାନଙ୍କୁ ଅବଗତ କରାଇ ଆସନ୍ତା ମାଘ ମାସରେ ନବନିର୍ମାଣ ମନ୍ଦିରର ପ୍ରତିଷ୍ଠା ଯେମିତି ହେବ ସେ ଦିଗରେ ପଦକ୍ଷେପ ନେବାକୁ ଜଣାଇଥିଲେ । ପର୍ଯ୍ୟଟନ ବିଭାଗରୁ ପ୍ରାପ୍ତ ହୋଇଥିବା ୫ କୋଟି ଅନୁଦାନ ପାଣ୍ଠି ରୁ ୨.୪୨ କୋଟିର କାର୍ଯ୍ୟ ସକାଶେ ଚଳିତ ମାସ ୨୦ ତାରିଖରେ ଟେଣ୍ଡର ଖୋଲାଯାଇ କାର୍ଯ୍ୟ ଆରମ୍ଭ କରାଯିବ । ଯୋଜନା ଓ ସମନ୍ବୟ ବିଭାଗ ଦ୍ବାରା ପ୍ରାପ୍ତ ୫ କୋଟି ଅନୁଦାନର କାର୍ଯ୍ୟ ମଧ୍ୟ ଶେଷ କରିବାକୁ କୁହାଯାଇଛି । ରାଜସ୍ବ ବିଭାଗରୁ ପ୍ରାପ୍ତ ୨ କୋଟି ଅନୁଦାନର ଦିଗନ୍ତ ଆଇ.ବି. କାର୍ଯ୍ୟ ମଧ୍ୟ ଶେଷ କରିବାକୁ କୁହାଯାଇଥିଲା । ପଥପ୍ରାନ୍ତ ସୁବିଧା କେନ୍ଦ୍ର ର କାର୍ଯ୍ୟ ମଧ୍ୟ ଶେଷ କରିବାକୁ କୁହାଯାଇଥିଲା । କରୋନା ସଂକ୍ରମଣରୁ ସେବାୟତ ଓ ଭକ୍ତ ମାନଙ୍କର ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷର ନବରାତ୍ର ପୂଜା ସମୟରେ ଭକ୍ତ ମାନଙ୍କର ଦର୍ଶନ ବନ୍ଦ କରାଯାଇଅଛି । ନବରାତ୍ରପୂଜା ଯେପରି ଶାନ୍ତି ଓ ଶୃଙ୍ଖଳାର ସହିତ ସମାପନ ହୋଇ ପାରିବ ସେଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ । ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମଙ୍କ ତରଫରୁ ପୋଲିସ୍ ଅଧିକାରୀ ଉତ୍କଳ କେଶରୀ ଦାଶ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ପି.ଡବ୍ଲ୍ୟୁ.ଡି. ଅଧୀକ୍ଷଣ ଯନ୍ତ୍ରୀ ତୁଷାରକାନ୍ତ ପଣ୍ଡା, ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ପୁରୁଷୋତ୍ତମପୁର ତହସିଲଦାର ଅରୁଣ ନାୟକ, ପ୍ରମୋଦ କୁମାର ପଣ୍ଡା, ତାରାତାରିଣୀ ମନ୍ଦିର ପ୍ରଶାସନିକ ଅଧିକାରୀ ଟି.କେ.ରେଡ୍ଡୀ ଏବଂ ତପନ କୁମାର ରଣା, ବାପୁଜୀ ରଣା ସେବାୟତ ଉପସ୍ଥିତ ଥିଲେ ।

Leave A Reply

Your email address will not be published.