“ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ୍ ମିଶନ-ସୁଜଳ” ର ଶୁଭାରମ୍ଭ,୨୦୨୨ ସୁଦ୍ଧା ରାଜ୍ୟର ସବୁ ସହରର ସବୁ ଘରକୁ ପାଇପ ଜଳ ସଂଯୋଗ ଯୋଗାଇ ଦିଆଯିବ – ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର,ତା-୧୩/୧୦ :
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଓ ପୁରୀରେ “ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ୍ ମିଶନ -ସୁଜଳ” ଲୋକାର୍ପିତ କରିଛନ୍ତି । ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ଏହାଦ୍ବାରା ଲୋକମାନେ ଉନ୍ନତ ଦେଶର ଲୋକମାନଙ୍କ ପରି ସିଧାସଳଖ ଟ୍ୟାପ୍ରୁ ପାଣି ଆଣି ପିଇ ପାରିବେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମର ଆଧାରରେ ବ୍ୟବସ୍ଥାର ରୂପାନ୍ତର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ୫-ଟି ଗଭର୍ଣ୍ଣାନ୍ସରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆଜି ଭୁବନେଶ୍ବର ଓ ପୁରୀରୁ “ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ୍ ମିଶନ -ସୁଜଳ” ଆରମ୍ଭ କରାଗଲା । ଏହାଦ୍ବାରା ଏହି ଦୁଇ ସହରର ଏକ ଲକ୍ଷ ଅଶୀ ହଜାରରୁ ଅଧିକ ଲୋକ ଉପକାର ପାଇବେ। ଏହି “ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ୍ ମିଶନ ” ରାଜ୍ୟରେ ସବୁ ଅଞ୍ଚଳରେ ପର୍ଯ୍ଯାୟକ୍ରମେ କାର୍ଯ୍ୟକାରୀ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକଶିତ ଦେଶ ମାନଙ୍କରେ ଲୋକମାନେ ସିଧା ଟ୍ଯାପ୍ ରୁ ପାଣି ପିଅନ୍ତି । ପାଣି ଗରମ କରିବା, ଫିଲ୍ଟର କରିବା ବା ଆକ୍ବାଗାର୍ଡ ଆଦି ମେସିନ୍ ଦରକାର ହୁଏ ନାହିଁ । କାରଣ ସେମାନେ ସିଧା ଟ୍ଯାପ୍ ରୁ ଭଲ ପିଇବା ପାଣି ପାଆନ୍ତି । ଭୁବନେଶ୍ବରର ସାଲିଆ ସାହି ଓ ପୁରୀର ମଶାଣୀଚଣ୍ଡୀରେ ଏହି କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଥିଲା । ସାଲିଆ ସାହିରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ସୁଷାନ୍ତ ରାଉତ ଏବଂ ପୁରୀରେ ମନ୍ତ୍ରୀ ତୃଷାରକାନ୍ତି ବେହେରା ଓ ବିଧାୟକ ଜୟନ୍ତ ଷଡଙ୍ଗୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଲୋକାର୍ପଣ କରିଥିଲେ । ଜଳସାଥି ମାନଙ୍କୁ ଜଳର ମାନ ପରୀକ୍ଷା ଯନ୍ତ୍ର ପ୍ରଦାନ କରାଯାଇଥିଲା ଏବଂ ପାଣି ପାଇପ୍ ମିସ୍ତ୍ରୀ ମାନଙ୍କୁ ପ୍ରଶିକ୍ଷଣ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁରୀ ହେଉଛି ଏକ ବଡ ପର୍ଯ୍ୟଟନ କେନ୍ଦ୍ର। ପ୍ରତିଦିନ ବହୁତ ପର୍ଯ୍ୟଟକ ଏଠାକୁ ଆସନ୍ତି । ସେମାନେ ପାଣି ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରନ୍ତି । ତେଣୁ “ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ୍ ” ସୁବିଧା ଦ୍ବାରା ପୁରୀରୁ ପ୍ଲାଷ୍ଟିକ ପ୍ରଦ୍ୟୁଷଣ କମିଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।ଭୁବନେଶ୍ବର ସହିତ ଗୋପାଳପୁର, ଦିଗପହଣ୍ଡି ଓ କାଶୀନଗରରେ ସବୁ ଘରକୁ ଆମେ ପାଇପ୍ ଜଳର ସୁବିଧା ଦେଇପାରିଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇ ଦେବା ଆମର ପ୍ରାଥମିକତା। ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ମାନଙ୍କ ମଧ୍ୟ ରେ ଶତ ପ୍ରତିଶତ ପାଇପ ପାଣି ସବୁ ଘରକୁ ସଂଯୋଗ କ୍ଷେତ୍ରରେ ଭୁବନେଶ୍ବର ଦେଶର ପ୍ରଥମ ସହର ହୋଇପାରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳର ସବୁ ଘରକୁ ପାଇପ୍ ୱାଟର ସଂଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ କ୍ଷେତ୍ରରେ ଓଡିଶା ଦେଶର ପ୍ରଥମ ରାଜ୍ୟ ହେବ ।ଏହି ଅବସରରେ ସେ ରାଜ୍ୟର ଆଉ ୧୫ଟି ସହର ପାଇଁ “ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ୍ ମିଶନ ” ଘୋଷଣା କରିଥିଲେ। ଏହାଦ୍ବାରା ୧୫ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ ଏବଂ ଏଥିପାଇଁ ରାଜ୍ୟ ସରକାର ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଥିଲେ।
ମିଶନ ଶକ୍ତିର ମା’ ମାନେ ଜଳ ସାଥି ଭାବରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଯେଭଳି ଦକ୍ଷତାର ସହ ଦାୟିତ୍ବ ତୁଲାଉଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଥିଲେ। ସେହିପରି ୱାଟକୋ ପକ୍ଷରୁ ପାଣି ପାଇପ ମିସ୍ତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ମଧ୍ୟ ସେ ଖୁସି ବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଭଦ୍ରକରୁ ଯୋଗ ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ପ୍ରେରଣା ଯୋଗୁ ଆଜି ଓଡିଶା “ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ୍ ମିଶନ ”ରେ ଦେଶର ପ୍ରଥମ ରାଜ୍ୟ ହୋଇପାରିଛି। ୫-ଟି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସବୁ କ୍ଷେତ୍ରରେ ରୂପାନ୍ତରୀକରଣ ପ୍ରକ୍ରିୟା ପାଇଁ ନିଷ୍ଠାର ସହ କାମ କରୁଛି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଦିଲ୍ଲୀରୁ ଯୋଗ ଦେଇ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗା ଶଂକର ମିଶ୍ର ଏହି କାର୍ଯ୍ୟକ୍ରମ ପାଇଁ ଓଡିଶା ସରକାରଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଓଡିଶା ଏମିତି କିଛି ସଫଳତା ପାଇଛି, ଯାହା କି ଦେଶରେ ପ୍ରଥମ । ଏହାଦ୍ବାରା ଅନେକ କ୍ଷେତ୍ରରେ ପରିବର୍ତ୍ତନର ଝଲକ ଦେଖିବାକୁ ମିଳୁଛି । ବୈଷୟିକ ଜ୍ଞାନର ବ୍ୟବହାର, ଜଳସାଥି ମାନଙ୍କର ନିୟୋଜନ, ଶକ୍ତି ସଂରକ୍ଷଣ, ଜଳବାହିତ ରୋଗର ନିୟନ୍ତ୍ରଣ, ଏହିପରି ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇପାରିବ ବୋଲି ସେ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଥିଲେ ଯେ କାର୍ଯ୍ୟକ୍ରମ ରୂପାୟନ ବୈଠକରେ ଅଧ୍ୟକ୍ଷତା କରିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ୍ କାର୍ଯ୍ୟକ୍ରମ ସାଲିଆ ସାହିରୁ ଆରମ୍ଭ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହାଦ୍ବାରା ସାଲିଆ ସାହିର ଗରିବ ଲୋକ ଆଧୁନିକ ବୈଷୟିକ ଜ୍ଞାନର ସୁଫଳ ପାଇପାରିବେ ଏବଂ ସବୁ ଘରକୁ ପାଣି ପାଇପ ସଯୋଗ ସହ କଳରୁ ସିଧାସଳଖ ବିଶୁଦ୍ଧ ପାଣି ବ୍ୟବହାର କରିପାରିବେ ବୋଲି ସେ କହିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର ହୋଇଛି ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ୱାଟର ଏଡ୍ ୟୁନାଇଟେଡ୍ କିଙ୍ଗଡମ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଟିମ୍ ୱେନରାଇଟ୍ କହିଲେ ଏହି କାର୍ଯ୍ୟକ୍ରମରେ ଜଳସାଥି ମାନଙ୍କର ନିୟୋଜନ ଏକ ଅଭିନବ ପ୍ରୟାସ । ଏଥିରୁ ସମଗ୍ର ବିଶ୍ବ ସମୁଦାୟକୁ ଶିଖିବାର ଅଛି। “ଡ୍ରିଙ୍କ୍ ଫ୍ରମ୍ ଟ୍ଯାପ୍ ମିଶନ ”ରେ ଭାରତ, ବିଶେଷକରି ଓଡିଶା ଯଥେଷ୍ଟ ଅଗ୍ରଗତି କରିଛି ବୋଲି ସେ କହିଥିଲେ। ଓଡିଶାକୁ ଏହି କାର୍ଯ୍ୟକ୍ରମ ପାଇଁ ୟୁନାଇଟେଡ୍ କିଙ୍ଗଡମ୍ ୱାଟର ଏଡ୍ ସବୁପ୍ରକାର ସହାୟତା ଯୋଗାଇ ଦେବ ବୋଲି ସେ ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଏବଂ ପିଏଚଇଓ ର ଇଆଇସି ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ଭୁବନେଶ୍ବରରେ ଓ ପୁରୀରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।