ମାଲକାନଗିରି,ତା:୦୪/୧୦(ପିପିଟି); ରବି ବାର ଆସିଲେ ମନ ହୁଏ ଆଇଁଷ ବଜାର । ଧନୀ ଠାରୁ ଗରିବ ସମସ୍ତ ପରିବାରଙ୍କ ତୁଣ୍ଡରେ ଆଇଁଷ ପାଣି ଟିକେ ନ ବାଜିଲେ ପାଟିରୁ ଅରୁଚି ଛାଡେ ନା । ତେଣୁତ ମଣିଷ କେଉଁ ଆବାହନ କାଳରୁ ଦେବୀ ପୀଠରେ ବଳୀ ଭୋଗ ଚଢାଇ ଛେଳି ମାଂସକୁ ଭକ୍ଷଣ କରିବାକୁ ପଶ୍ଚାତପଦ ହୋଇ ନଥାଏ । ମଙ୍ଗଳରେ ଅଧିକାଂଶ ଦୈବୀ ପୀଠରେ ବଳୀ ପଡିବାର ବିଧି ବିଧାନ ରହିଛି । କେଉଁଠି କେଉଁଠି ଦେବୀ ପୀଠରେ ମାଛ ରାନ୍ଧି ପରସା ଯାଏ ।ଭକ୍ତମାନେ ମଧ୍ଯ ଆମିଷ ଗ୍ରାସ ଲାଗି ବ୍ଯଗ୍ର ହୋଇ ପଡନ୍ତି । ଅନେକ ଲୋର ଅଛନ୍ତି ନିଜକୁ ନିରାମିଷାସୀ କହୁଥିଲେ ମଧ୍ଯ କିଛି କିଛି ବାରରେ ଆମିଷ ଘରେ ପୂରାଇ ଆକଣ୍ଠ ଭୋଜନ କରିଥାନ୍ତି । ଆଜି କାଲି ଆମିଷ ପ୍ରାୟ ରବିବାର ଦିନ ସରକାରି ଛୁଟି ହେତୁ ଅବାଧରେ ମଧ୍ଯ ଘରକୁ ଆମିଷ ପଶେ । ଯଦି ଘରକୁ ଆମିଷ ନଆସେ ଘରଣୀ ଗରଗର,ପୁଅଝିଅ ଖପା । ବିଚରା ଗେରସ୍ତ ରବିବାର ହେଲେ ମୁଣ୍ଡ ଘୂରେ ଆମିଷ ଦର ଶୁଣି ଏବେ ମାଲକାନଗିରିରେ ଛେଳି ମାଂସ କିଲୋ ୭୦୦ ଟଙ୍କା । ହଠାତ କରୋନା ମହାମାରି ପାଇଁ ମାଲକାନଗିରି ବଜାରରେ ମାଂସ ଦର ଅହେତୁକ ବୃଦ୍ଧି ପାଇଛି । ପୂର୍ବରୁ ଛେଳି ମାଂସ କିଲୋ ୪୪୦ ରେ ଦର ସୀମିତ ଥିଲା । କରୋନା ଯୋଗୁଁ ଛେଳି କାଟିବା ଦୀର୍ଘ ଦିନ ବନ୍ଦ ରହିଥିଲା । କେହି କେହି ଗଳି କନ୍ଦିରେ ଲୁଚେଇ ଲୁଚେଇ ପ୍ରଶାସନର ଦ୍ବାହିଦେଇ ଛେଳି କାଟି ଚଢାଦରରେ ବିକ୍ରି କଲେ । ଧୀରେ ଧୀରେ ଛେଳି ମାଂସର ଅଭାବି ବିକ୍ରି ଯୋଗୁଁ ଦର ଆକାଶ ଛୁଆଁ ହେଲା । ବର୍ତ୍ତମାନ ଚାରିଆଡେ ଲକ୍ ଡାଉନ୍ କି ସଟ୍ ଡାଉନ୍ ନାହିଁ । ସମସ୍ତ କଟକଣା ଉଠିବା ସତ୍ବେ ବଜାର ଦର ହ୍ରାସ ପାଇବାର ନାହିଁ ।ମାଲକାନଗିରି ଜିଲ୍ଲାରୁ ଛେଳି ଜୟପୁରକୁ ଚାଲାଣ କରାଯାଉଥିଲେ ମଧ୍ଯ ସେଠାରେ ମାଲକାନଗିରି ଅପେକ୍ଷା ଛେଳି ମାଂସ ଦର ହ୍ରାସ ରହିଛି । ମାତ୍ର ମାଲକାନଗିରି ବଜାରରେ ଛେଳି ମାଂସର ଦର ଆକାଶ ଛୁଆଁ ସତ୍ବେ ଖାଉଟିକୁ ସୁହାଇଲା ପରି ଦର ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିବା ଉତିତ କିନ୍ତୁ ପ୍ରଶାସନ ନିରବ ଯୋଗୁଁ ବେପାରୀମାନେ ମନ ଇଛା ମାଛ ମାଂସର ଦର ହୁହୁ ହୋଇ ବଢାଇ ଚାଲିଛନ୍ତି । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)