ଗାଙ୍ଗପୁର,୦୧/୧୦(ପିପିଟି),ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହାର ଧୀରେ ଧୀରେ ହ୍ରାସ ପାଉଥିବାବେଳେ ଜିଲ୍ଲାବାସୀ କିନ୍ତୁ ପୂର୍ବ ଭଳି ସାବଧାନ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି । ଜିଲ୍ଲା ବାସୀଙ୍କୁ ଅଧିକ ରୁ ଅଧିକ ସଚେତନ କରିବା ପାଇଁ ସ୍ଵତନ୍ତ୍ର ଭାବେ କୋଭିଡ ସଖୀଙ୍କୁ ତାଲିମ ଦେବା ସହ ଜିଲ୍ଲାରେ କୋଭିଡ ସପ୍ତାହ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଜନ ସାଧାରଣଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ସ୍ଵଚ୍ଛତା, ନମୂନା ପରୀକ୍ଷଣ ଉପରେ ସଚେତନ କରାଯାଉଛି । କୋଭିଡ ସପ୍ତାହ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ର ବିଭିନ୍ନ ପଞ୍ଚାୟତରେ ମାସ୍କ ରାଲି ଅନୁଷ୍ଠିତ ହୋଇଯାଇଛି । ଆଜି ଗାଙ୍ଗପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ଆହ୍ଵାନରେ ଗାଙ୍ଗପୁରରେ ମାସ୍କ ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମ ସେବକ ସୁବାସ ଚନ୍ଦ୍ର ଦଳ ବେହେରାଙ୍କ ସମେତ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ବାଳକୃଷ୍ଣ ସାବତ, ନିରଞ୍ଜନ ବେହେରା,ଶିଶିର କୁମାର ସ୍ଵାଇଁ, ମନୋରଞ୍ଜନ ବିଷୋୟୀ ଏବଂ ଗାଙ୍ଗପୁର ପଞ୍ଚାୟତର ସମସ୍ତ ଆଶା କର୍ମୀ ଓ ଅଙ୍ଗନଓ୍ଵାଡ଼ି କର୍ମୀମାନେ ଯୋଗ ଦେଇଥିଲେ । ଏହି ରାଲିରେ ବହୁ ଜନ ସାଧାରଣ ମଧ୍ୟ ସାମିଲ ହୋଇ ଲୋକଙ୍କୁ ମାସ୍କ ବ୍ୟବହାର କରିବା ପାଇଁ ସଚେତନ କରିଥିଲେ । ରାଲି ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଗାଆଁର ଠାକୁରାଣୀ ମନ୍ଦିର ଠାରେ ସମାପ୍ତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ସରପଞ୍ଚ ଶ୍ରୀ ଡାକୁଆ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । (ରିପୋର୍ଟ – ଶିବରାମ ଚୌଧୁରୀ ।)