ମା ବିରଜାଙ୍କ ରଥଯାତ୍ରା ମାମଲା : ଜିଲ୍ଲାପାଳ ଓ ଏସପିଙ୍କୁ ଜବାବ ତଲବ କଲେ ହାଇକୋର୍ଟ ।

0 422

ଯାଜପୁର,୨୮/୦୯(ପିପିଟି) : ହାଇକୋର୍ଟରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ମାମଲାର ଶୁଣାଣି । ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ। ୮ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମା ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୁକ୍ତି ମଣ୍ଡପ ସେବାୟତ ପରିଷଦ ।ପ୍ରତିବର୍ଷ ଦୂର୍ଗା ପୂଜା ଅବସରରେ ମା ବିରଜାଙ୍କର ସ୍ୱତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ଯୋଗୁ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ନିୟମ ରହିଛି । ଚଳିତ ବର୍ଷ ମଳ ମାସ ପଡୁଥିବାରୁ ମାଙ୍କ ଦୂର୍ଗାପୂଜା ୪୬ ଦିନ ଧରି ଚାଲିବ ଏବଂ ମାଙ୍କ ରଥଯାତ୍ରା ଆସନ୍ତା ଅକ୍ଟୋବର ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ୯ ଦିନ ଧରି ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ସେଥିପାଇଁ ମାଙ୍କ ରଥଯାତ୍ରା ପରମ୍ପରାକୁ ରକ୍ଷା କରିବା ପାଇଁ ମୁକ୍ତି ମଣ୍ଡପ ସେବାୟତ ପରିଷଦ ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ନିବେଦନ କରାଯାଇଛି ।ରଥଯାତ୍ରା ସମୟରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ସହିତ ହାଇକୋର୍ଟ ଅନ୍ୟ ଯେଉଁ ସବୁ ସର୍ତ ରଖିବେ ତାକୁ ମାନି ରଥାଯାତ୍ରା କରାଯିବ ବୋଲି ସେବାୟତ ପରିଷଦ ପକ୍ଷରୁ ଅଦାଲତଙ୍କୁ ଦର୍ଶାଯାଇଛି । ବିରଜା ରଥଯାତ୍ରା ନେଇ ହାଇକୋର୍ଟରେ ଏ ପର୍ଯ୍ୟନ୍ତ ୪ଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ମୁକ୍ତି ମଣ୍ଡପ ସେବାୟତ ପରିଷଦ, ଜିଲା ଓକିଲ ସଂଘ,ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ଓ ବିରଜା ବାହିନୀ ପକ୍ଷରୁ ପୃଥକ ପୃଥକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.