କୋଦଳା,୦୬/୦୯(ପିପିଟି), ଶନିବାର କୋଦଳା ଉପ କାରାଗରକୁ ଜେଲ୍ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଅଚାନକ ପରିଦର୍ଶନରେ ଆସିଥିଲେ । ସେଠାରେ ପହଞ୍ଚି ବିଚାରାଧୀନ ବନ୍ଦିଙ୍କ ବିଷୟରେ ଜେଲ୍ ସୁପରିଟେଣ୍ଡେଣ୍ଟ ବିଭେନ୍ଦୁ ଭୂୟାଁ ଓ ଅତିରିକ୍ତ ଜେଲର ପ୍ରକାଶ ପାଣିଗ୍ରାହୀଙ୍କ ସହିତ ଆଲୋଚନା କରିଥିଲେ । ସେମାନଙ୍କ ସ୍ବାସ୍ଥ୍ୟ ଓ ଖାଦ୍ୟ ପରିବେଷଣ ଉପରେ ଫାର୍ମାସିଷ୍ଟ ଉପେନ୍ଦ୍ର ପଣ୍ଡାଙ୍କୁ ପଚାରି ବୁଝିଥିଲେ । ଜେଲ୍ ପରିସରରେ ଆବଶ୍ୟକତା ଠାରୁ ବହୁ ଅଧିକ ବନ୍ଦି ଥିବାରୁ ଉଦବେଗ ପ୍ରକାଶ କରିଥିଲେ ଓ ସଙ୍ଗେ ସଙ୍ଗେ ନିକଟରେ ଥିବା ପୋଲିସ ଡେପୁଟି ପ୍ରୋଜେକ୍ଟ ମେନେଜର ଗୌରହରି ପ୍ରଧାନଙ୍କୁ ଅତିଶୀଘ୍ର କାରାଗାର ପରିସର ରେ ୧୦୦ ବିଚାରାଧୀନ ବନ୍ଦି ରହିବା ନିମନ୍ତେ ଏକ ଗୃହ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ବନ୍ଦି ମାନଙ୍କ ପାଇଁ ରନ୍ଧାଖାଦ୍ୟ ର ମାନ ପରୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି । ଏହି ସମୟରେ କୋଦଳା ଉପକାରାଗାର କୁ ଖାଦ୍ୟସାମଗ୍ରୀ ଯୋଗାଉଥିବା ଠିକାଦାର ଅଭୟ କୁମାର ସାହୁଙ୍କ ସମେତ ସମସ୍ତ ଜେଲ କର୍ମକର୍ତ୍ତା ଉପସ୍ଥିତ ଥିଲେ ।