ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ମାଲକାନଗିରି ଗସ୍ତ ନେଇ ପ୍ରସ୍ତୁତି ବୈଠକ ।

0 267

ମାଲକାନଗିରି ,୨୬/୦୬ (ପିପିଟି):ମାଲକାନଗିରି ଜିଲ୍ଲାରେ ଆସନ୍ତା ଜୁଲାଇ ୭ ତାରିଖରେ ଭାରତ ସରକାରଙ୍କ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଶିବିର ଅନୁଷ୍ଠିତ ହେବ। ଏଥି ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡ଼ା ପ୍ରଫୁଲ୍ଲ ନନ୍ଦ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ରଥ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ କହିଥିଲେ ,ଯେ କିଭଳି ଶୃଙ୍ଖଳିତ ଭାବେ ଶିବିର ଅନୁଷ୍ଠିତ ହେବ, ସେଥି ନିମନ୍ତେ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲାର ତିନିଟି ବ୍ଲକ୍ ଚିତ୍ରକୋଣ୍ଡା, ଖଇରପୁଟ ଓ ମାଥିଲିକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆକାଂକ୍ଷୀ ବ୍ଲକ୍ ଭାବେ ଘୋଷଣା କରିଛନ୍ତି। ଏହି ଆୟୋଗ ଜିଲ୍ଲାର ଖଇରପୁଟ ବ୍ଲକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ନିମନ୍ତେ ଜୁଲାଇ ୪ ଅର୍ଥାତ ଶିବିର ଅନୁଷ୍ଠିତ ହେବାର ଦୁଇ ଦିନ ପୂର୍ବରୁ ଆୟୋଗର ସଦସ୍ୟମାନେ ଜିଲ୍ଲା ଗସ୍ତ କରି ସମସ୍ତ କ୍ଷେତ୍ର ପରିଦର୍ଶନ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୂଚନା ଥାଉ କି, ଏହି ଆୟୋଗ ୧୮ ବର୍ଷରୁ କମ୍ କୌଣସି ଶିଶୁ ବିରୁଦ୍ଧରେ ଘଟିଥିବା ଶିଶୁ ଅଧିକାର ଉଲଂଘନ ସମ୍ପର୍କିତ ଅଭିଯୋଗ ଗ୍ରହଣ କରିବେ। ଶିଶୁ ଅଧିକାର ନିମନ୍ତେ କାର୍ଯ୍ୟ କରୁଥିବା ଯେକୌଣସି ବ୍ୟକ୍ତି ଯଥା ଶିଶୁ, ପିତାମାତା, ଅଭିଭାବକ, ଶିଶୁ ଯତ୍ନକାରୀ ଅନୁଷ୍ଠାନ କିମ୍ବା ଅନ୍ୟ ଯେକୌଣସି ବ୍ୟକ୍ତି ବିଶେଷ, ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ଅଭିଯୋଗ ଦାଖଲ କରିପାରିବେ।
ଏ ସମ୍ପର୍କିତ ଅଭିଯୋଗ ପତ୍ର ବା ଦରଖାସ୍ତ ଆସନ୍ତା ଜୁନ ୨୭ ଠାରୁ ଜୁଲାଇ ୬ ପର୍ଯ୍ୟନ୍ତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତଥା ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ଠାରେ ଗ୍ରହଣ କରାଯିବ। ଏତଦ ବ୍ୟତୀତ ସିଧାସଳଖ ଆସନ୍ତା ଜୁଲାଇ ୭ ତାରିଖରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଶିବିରରେ ମଧ୍ୟ ଅଭିଯୋଗ କରିପାରିବେ। ଖଇରପୁଟ ଠାରେ ଜୁଲାଇ ୭ ତାରିଖ ପୂର୍ବାହ୍ନ ୯ ଘଟିକା ଠାରୁ ୧୦ ଟା ପର୍ଯ୍ୟନ୍ତ ପଞ୍ଜିକରଣ ହେବ ଏବଂ ପୂର୍ବାହ୍ନ ୧୦ ଟାରେ ଶିବିର ଆରମ୍ଭ ହେବ।
ଏହା ଦ୍ବାରା ଶିଶୁ ସୁରକ୍ଷା ଓ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରାଯିବ ଏବଂ ତତ୍ ସହିତ ଏହା ସଂପର୍କିତ ସମସ୍ତ ଅଭିଯୋଗର ଶୁଣାଣି ହେବ । ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଏହି ବୈଠକର ଆଭିମୁଖ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ଏନ୍ ଜି ଓ ର ସଦସ୍ୟ ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.