କନ୍ଧମାଳ ଜିଲ୍ଲାରେ ୪୨୦ ସ୍କୁଲ ବନ୍ଦ ହେବ, ସର୍ବ ଶିକ୍ଷା ଅଭିଯାନ ଜିଲ୍ଲାରେ ବିଫଳ ହୋଇଛି।

0 178

ଫୁଲବାଣୀ, ୧୨/୧୧(ପିପିଟି); ସରକାରଙ୍କ ସର୍ବ ଶିକ୍ଷା ଅଭିଯାନ ଜିଲ୍ଲାରେ ସମ୍ପୂର୍ଣ୍ଣ ପ୍ରତାରଣାରେ ପରିଣତ ହୋଇଛି । କେବଳ କୋଠା ବାଡ଼ି ନିର୍ମାଣ ଶିକ୍ଷକ ତାଲିମ ବିଭିନ୍ନ ବୈଠକରେ କୋଟି କୋଟି ଟଙ୍କା ସରିଲା କିନ୍ତୁ ବାସ୍ତବରେ ଯୋଜନାର ମୁଖ୍ୟ ଲକ୍ଷ ସଭିଏଁ – ପଢିବେ ଲକ୍ଷ ହାସଲ ହୋଇପାରିଲା ନାହିଁ । ଫଳରେ ସରକାରଙ୍କର ନୂଆ ଶିକ୍ଷା ନୀତିରେ ୨୦ ଛାତ୍ର ଛାତ୍ରୀ ରୁ କମ ଥିବା ସ୍କୁଲକୁ ବନ୍ଦ କରିବା ନିୟମ ଆସିବା ପରେ ଜିଲ୍ଲାର ୧୭୩୮ ସ୍କୁଲ ମଧ୍ୟରୁ ୯୮୫ ଟି ବିଦ୍ୟାଳୟରେ ୨୦ ରୁ କମ ଛାତ୍ର ଛାତ୍ରୀ ଥିବାରୁ ବନ୍ଦ କରାଯିବା ନେଇ ସଙ୍କଟ ଦେଖାଦେଲା । ଏହା ପୁଣି ସର୍ବ ଶିକ୍ଷା ଅଭିଯାନର ସର୍ଭେ ରିପୋର୍ଟକୁ ଆଧାର କରି । ରିପୋର୍ଟ ପ୍ରଦାନ ପରେ ଦୁର୍ଗମ ଅଞ୍ଚଳ ଓ ପଛୁଆ ଜିଲ୍ଲାର ଦ୍ୱାହି ଦେଇ ୯୮୫ ମଧ୍ୟରୁ ୪୨୦ ସ୍କୁଲକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଫଳରେ ଜିଲ୍ଲା ବ୍ୟାପି ଆନ୍ଦୋଳନ ମୁଣ୍ଡ ଟେକିଛି । ବନ୍ଦ ଘୋଷଣା କରାଯାଇଥିବା ସ୍କୁଲର ଗ୍ରାମବାସୀ ଏହାକୁ ବିରୋଧ କରି ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରତିବାଦ ମଧ୍ୟ କରିଛନ୍ତି ଓ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର କରିବା ନେଇ ସୂଚନା ମିଳୁଛି । ଯୋଜନା କାର୍ଯ୍ୟକାରୀ ହେବା ପ୍ରାୟ ୨୦ ବର୍ଷ ହେବ , କେବଳ କୋଠା ବାଡ଼ି ତିଆରି କରି ପିସି ଆଦାୟ କରିବା , ଶିକ୍ଷକ ତାଲିମ ନାମରେ ମିଥ୍ୟା ବିଲ୍ କରି ଖାଇବା ଛଡା ଯୋଜନାର ପ୍ରକୃତ ଲକ୍ଷ ପ୍ରତି ଗୁରୁତ୍ୱ ଦିଆ ନ ଯିବାରୁ ଆଜି ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଜିଲ୍ଲାର ବୁଦ୍ଧିଜୀବୀ ମତ ରଖିଛନ୍ତି । ଜିଲ୍ଲାରେ ଥିବା ସ୍କୁଲର ଅଧାରୁ ଅଧିକ ସ୍କୁଲରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ଯୋଜନାରୁ କିଏ ଲାଭ ପାଇଲା ,ଜିଲ୍ଲା ବାସୀ ନା କର୍ମଚାରୀ ? ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।
(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Leave A Reply

Your email address will not be published.