୬୦ ବର୍ଷ ପରେ ମଧ୍ଯ ବିସ୍ଥାପିତ ଗାଁ ପଦ୍ମପୁରକୁ ରାସ୍ତା ନାହିଁ; ଆଦିବାସୀଙ୍କ ଦୁର୍ଦ୍ଦଶାର ଅନ୍ତ କେବେ ?

0 333

ମାଲକାନଗିରି,୧୯/୦୯(ପିପିଟି): ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୫ କିମି ଦୂରରେ ଅବସ୍ଥିତ ପଦ୍ମପୁର ଏକ ବିସ୍ଥାପିତ ଆଦିବାସୀ ଗ୍ରାମ । ଏଠି ବିଶେଷ କରି ଆଦିବାସୀ କନ୍ଧ ସଂପ୍ରଦାୟର ଲୋକମାନେ ରହନ୍ତି । ତେବେ ବାଲିମେଳା ଜଳ ଭଣ୍ଡାର ନିର୍ମାଣ ସମୟରେ ପ୍ରାୟ ୮୦ ଗୋଟି କନ୍ଧ ପରିବାର ନିଜ ଭିଟାମାଟି (ଟାଇମାଲ) ତ୍ଯାଗ କରି ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତର ଏକ ଜଙ୍ଗଲ ଜମିକୁ ସଫାକରି ନୂତନ ଜନ ବସତି ୧୯୬୨ ମସିହାରେ କରିଥିଲେ । ଏହି ଗାଁର ନାମ ପଦ୍ମପୁର ରଖିଥିଲେ । ଆଜି ଏହି ଗାଁରେ ପ୍ରାୟ ୬୦୦ ରୁ ଅଧିକ ଲୋକ ବସବାସ କରନ୍ତି । ଦୈନିକ ଯିବା ଆସିବା ଲାଗି ଗମନା ଗମନର ସୁବିଧା ନାହିଁ । ବର୍ଷା ଦିନେ କାଦ ପଚ ପଚ । କାଦୁଅ ରାସ୍ତାରେ ଚାଲିଲେ ପାଦ ବୁଡି ଯାଉଛି ମାଟିରେ । ଗାଁରେ ଏକ ପ୍ରାଥମିକ ବିଦ୍ଯାଳୟ ୫ମ ପର୍ଯ୍ଯନ୍ତ ରହିଛି । ଛୋଟ ଛୋଟ ପିଲାମାନେ କାଦୁଅ ରାସ୍ତାରେ କେତେ କଷ୍ଟରେ ଯାତାୟତ ରନ୍ତି, ଯାହାକି ସ୍ବଚକ୍ଷୁରେ ନଦେଖିଲେ ବିଶ୍ବାସ ମନେ ହେବ ନାହିଁ । ମାଲକାନଗିରି-ଜୟପୁରକୁ ଜାତୀୟ ରାଜପଥ ପାର୍ଶ୍ବରେ ସିନ୍ଧ୍ରିମାଳ ପଞ୍ଚାୟତ,ଏଠାରୁ ପଦ୍ମପୁର ଗାଁ ମାତ୍ର ୩ କିମି ଦୂର । ପ୍ରାୟ ଏକ କିମି ପକ୍କା ରାସ୍ତା ଆରଡି ଦ୍ବାରା ନିର୍ମାଣ କରିଥିଲା ବେଳେ ବାକି ୨ କିିମି ରାସ୍ତା ନିର୍ମାଣ ହୋଇ ନାହିଁ । ଏହି ୨ କିିମି ରାସ୍ତା ଦୁର୍ଗମ ଏବଂ ପାହାଡିଆ । ପଦ୍ମପୁର ଗାଁ ରାସ୍ତା ବର୍ଷା ଦିନେ ଜଳ ମଗ୍ନ । ଗାଁ ଦାଣ୍ଡରେ କଂକ୍ରଟି ରାସ୍ତା ନାହିଁ । ଗାଁ ଲୋକେ ମାଲକାନଗିରି ବ୍ଲକ୍ ବିଡିଓ, ଆରଡିର କାର୍ଯ୍ଯ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲାପାଳଙ୍କୁ ବହୁବାର ଦରଖାସ୍ତ ଲେଖି ଲେଖି ଥକି ପଡିଲେଣି । ଆପତ୍ତି ଅଭିଯୋଗ ନେତା ମନ୍ତ୍ରୀଙ୍କୁ ବହୁବାର କଲେଣି । ହେଲେ ଏହି ବିସ୍ଥାପିତ ଆଦିବାସୀଙ୍କ ଗୁହାରୀ କାହାରି କର୍ଣ୍ଣରେ ପଡୁ ନାହିଁ । ଜିଲ୍ଲାପାଳଙ୍କ ନାକ ତଳେ ଏହି ଆଦିବାସୀ କନ୍ଧ ସଂପ୍ରଦାୟର ଗାଁଟି ଅବସ୍ଥିତ । ତେବେ ଏହି ଗାଁକୁ କେବେ ସରକାରୀ ବାବୁଙ୍କ ପାଦ ପଡେ ନି ।ଗମନା ଗମନର ସୁବିଧା ନାହିଁ,ଯିବ କିଏ ? ନବୀନ ସରକାର ଏକ ସ୍ଥାୟୀ ସରକାର । ମାଳ ମାଳ ଯୋଜନାର କାହାଣୀକୁ ନେଇ ନିର୍ବାଚନ ବେଳେ ନେତାମାନେ ଅନର୍ଗଳ ଭାଷଣ ମାରନ୍ତି,ମାତ୍ର ବିସ୍ଥାପିତ ଗାଁକୁ ଥରେ କାହାର ପାଦ ପଡିଲେ ବିକାଶର ବାସ୍ତବ ଚିତ୍ର ଜଣାପଡିବ ? ପ୍ରକାଶ ଥାଉ କି ବାଲିମେଳା ନଦୀବନ୍ଧ ଯୋଜନାଟି ୧୯୬୨ ମସିହାରେ ଆରମ୍ଭ ହୋଇ ୧୯୭୭ ମସିହାକେ ସମାର୍ତ ହୋଇଥିଲା । ଏହା ଓଡିଶା ଏବଂ ଆନ୍ଧ୍ର ସରକାରଙ୍କ ୫୦:୫୦ ଅଂଶ ଧନରେ ଏହି ଯୋଜନପାଟି ନିର୍ମିତ ହୋଇଥିଲା । ମୁଖ୍ଯ ଉଦ୍ଦେଶ୍ଯ ଥିଲା ଜଳସେଚନ ଓ ବିଦ୍ଯୁତ ଉତ୍ପଦନ । ସରକାରଙ୍କ ଉଦ୍ଦେଶ୍ଯ ପୂର୍ଣ୍ଣ ହେଲା, ଏହି ଜଳ ଭଣ୍ଡାରରେ ବସବାସ କରୁଥିବା ଯେଉଁ ଆଦିବାସୀ ଗାଁ ଗୁଡିକ ଜଳ ମଗ୍ନ ହେଲା,ସେମାନେ ଭିଟାମାଟି ଛାଡି,ସେଠାରୁ ବିସ୍ଥାରିତ ହୋଇ ଯେଉଁ ଜଙ୍ଗଲ ଜମି ସଫା କରି ବିଭିନ୍ନ ସ୍ଥାନରେ ନୂତନ ବସ୍ଥି ସ୍ଥାପନ କଲେ,ଏବେ ବି ସେହି ଗାଁ ଗୁଡିକରେ ଜୀଇଁବା ପାଇଁ ମୌଳିକ ସୁବିଧା ନାହିଁ, ତନ୍ମଧ୍ଯରୁ ପଦ୍ମପୁର ଗାଁଟି ଅନ୍ଯତମ । ତେବେ ଏହି ଆଦିବାସୀ ଗାଁକୁ କେବେ ଜିଲ୍ଲା ପ୍ରଶାସନ ରାସ୍ତାଟିଏ ନିର୍ମାଣ କରିବେ ଦେଖିବାକୁ ବାକି ରହିଲା
(ରିପୋର୍ଟ:ବରିଷ୍ଠ ସା୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.