୫୦ଲକ୍ଷ ଟଙ୍କା ପାଇଁ ହିତେନ୍ କୁ ହତ୍ୟା ।

0 479

ଭଞ୍ଜନଗର,୨୫/୧୨(ପିପିଟି): ଭଞ୍ଜନଗର କେନାଲ ସାହିର ହିତେନ୍ ସ୍ୱାଇଁଙ୍କୁ ଗତ ୧୩ତାରିଖ ସନ୍ଧ୍ୟାରେ ଭେଜିପୁଟର ସୁଧାଂଶୁ ଶେଖର ସ୍ୱାଇଁ ଅପହରଣ କରି ହତ୍ୟା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଏହି ଘଟଣାରେ ଜଡ଼ିତ ସମସ୍ତ ଅଭିଯୁକ୍ତ ମାନେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଭେଜିପୁଟ ଅଞ୍ଚଳର ସୁଧାଂଶୁ ଶେଖର ସ୍ୱାଇଁ ସହ ତାର ବାପା ବିକ୍ରମ ସ୍ୱାଇଁ, ଜଗନ୍ନାଥ ଭୂୟାଁ, ପ୍ରଦ୍ୟୁମ୍ନ ପାତ୍ର, ଚିତ୍ରସେନ ସାହୁ, ପ୍ରୀତିକୃଷ୍ଣ ସ୍ୱାଇଁ ଏବଂ ପୂର୍ବରୁ ଗିରଫ ହୋଇଥିବା ଅନ୍ୟଜଣେ ଅଭିଯୁକ୍ତ ତ୍ରିପତି ଦାସ ଓରଫ ବାୟା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ କିଛି ବର୍ଷ ପୂର୍ବେ ଭଞ୍ଜନଗର ହାଇସ୍କୁଲ ଛକରେ ଥିବା କିନୀ ଇମ୍ଫୋଟେକ ଚିଟ ଫଣ୍ଡ ସଂସ୍ଥାରେ ସୁଧାଂଶୁ ମୃତ ହିତେନ୍ ମାଧ୍ୟମରେ ୫୦ଲକ୍ଷ ଟଙ୍କା କାରବାର କରିଥିଲା।ହେଲେ ସଂସ୍ଥା ବନ୍ଦ ହେଇଯିବା ପରେ ସୁଧାଂଶୁ ବାରମ୍ବାର ହିତେନ୍ କୁ ନିଜ ପଇସା ଫେରି ପାଇବା ପାଇଁ ମାଗୁଥିଲା।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।ଗତ ୧୩ ତାରିଖ ସନ୍ଧ୍ୟାରେ ସମୟରେ ସୁଧାଂଶୁ ହିତେନ୍ ଘରକୁ ଯାଇ ସୋଲାର ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିବା ପାଇଁ ତାକୁ ନିଜ ବାଇକରେ ବସାଇ ବାଉଁଶ ଲୁଣ୍ଡି ସ୍ଥିତ ଏକ ଧୂପକାଠି ଗୋଦାମକୁ ଡ଼ାକି ଆଣିଥିଲା।ସେଠାରେ ହିତେନ୍ ର ମୁହଁକୁ ଗାମୁଛାରେ ଗୁଡ଼ାଇ ଶ୍ୱାସରୁଦ୍ଧ କରି ଅନ୍ୟ ସହଯୋଗୀଙ୍କ ଉପସ୍ଥିତିରେ ହତ୍ୟା କରିଥିଲା। ଏହାପରେ ହିତେନ୍ ର ମୃତଦେହକୁ ନିଜ କାରରେ ନେଇ ଦାରିଙ୍ଗବାଡି ଘାଟିରେ ଫୋପାଡ଼ି ଦେଇଥିଲା।ହିତେନ୍ ରାତିରେ ଘରକୁ ନ ଫେରିବାରୁ ୧୪ତାରିଖରେ ତାର ପତ୍ନୀ ମିନତୀ ଭଞ୍ଜନଗର ଥାନାରେ ଅପହରଣ ଅଭିଯୋଗ କରିଥିଲେ।ଏହାପରେ ଆଇଆଇସି ଧିରେସ କୁମାର ଦାସଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୮ତାରିଖରେ ସନ୍ଦିଗ୍ଧ ତ୍ରିପତି ଦାସ ଠାରୁ ସୂଚନା ପାଇ ଉକ୍ତ ସ୍ଥାନରୁ ହିତେନ୍ ର ମୃତଦେହ ଠାବ କରିବାରେ ସକ୍ଷମ ହୋଇଥିଲେ।ମାଷ୍ଟର ମାଇଣ୍ଡ ସୁଧାଂଶୁକୁ ଶୁକ୍ରବାର ଅପରାହ୍ନରେ ବିଭିନ୍ନ ସ୍ଥାନକୁ ନେଇ ପୁଲିସ କ୍ରାଇମ ରି-କ୍ରିଏସନ କରିଥିଲା। ସମସ୍ତ ତଥ୍ୟ ଆଧାରରେ ସେମାନଙ୍କୁ ଗିରଫ କରି ହତ୍ୟାକାଣ୍ଡରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ, ମାରଣାସ୍ତ୍ର ଆଦି ଜବତ କରିଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.