ମାଲକାନଗିରି,୨୮/୦୩(ପିପିଟି): ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ, ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା, ଉନ୍ନୟନ ସଚିବ ଅନୁ ଗର୍ଗ ମାଲକାନଗିରି ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ ସହ ସମୀକ୍ଷା କରିଛନ୍ତି। ଆଜି ଅପରାହ୍ନରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପ୍ରଥମେ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକରେ ପହଞ୍ଚିବା ପରେ ଶିବସାଗର ଯାଇ ସେଠାରେ ଶିବସାଗର,ମଧ୍ୟମ ଜଳସେଚନ ପ୍ରକଳ୍ପର ମ୍ୟାପ ଦେଖି ଉନ୍ନତିକରଣ ସମୀକ୍ଷା କରିଥିଲେ । ଏହା ବ୍ୟତୀତ ପ୍ରସ୍ତାବିତ ଜୟପୁର ମାଲକାନଗିରି ରେଳ ଲାଇନ ଓ ସପ୍ତଧରା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ କାର୍ଯ୍ୟର ଅଗ୍ରଗତି କରିବା ଲାଗି ନିର୍ଦ୍ଦେଶ ଦେଇ ସମୀକ୍ଷା କରିଥିଲେ । ଏହାପରେ କଲ୍ୟାଣ ମଣ୍ଡପଠାରେ ସାଧାରଣ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସବୁଧର୍ମର ପ୍ରାର୍ଥନା ପୀଠ, ମନ୍ଦିର, ମସଜିଦ, ଗୀର୍ଜା ପାଇଁ ଅନୁଦାନ ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ।
ଅପରାହ୍ନରେ ଖଇରପୁଟ ବ୍ଲକସ୍ଥ ମୁଦୁଲିପଡା ବଣ୍ଡା ଘାଟିକୁ ହେଲିକପ୍ଟରରେ ଯାଇଥିଲେ । ପବିତ୍ର ସୀତାକୁଣ୍ଡ ପରିଦର୍ଶନ କରି ସୀତା କୁଣ୍ଡର ଉନ୍ନତିକରଣ ସହ ବଣ୍ଡାଘାଟି ଉନ୍ନତିକରଣର ସମୀକ୍ଷା କରି ବଣ୍ଡା ସମ୍ପ୍ରଦାୟର ମୁଖିଆ ମାନଙ୍କ ସହ କଥାବାର୍ତ୍ତା ହେବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ତା’ପରେ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳ ହନ୍ତଳଗୁଡ଼ା ବିଏସଏଫ କ୍ୟାମ୍ପରେ ହେଲିକପ୍ଟର ଯୋଗେ ସନ୍ଧ୍ୟାରେ ପହଞ୍ଚି ହନ୍ତାଳଗୁଡା ଭିୟୁ ପଏଣ୍ଟର ନିର୍ମାଣ ଅନୁଧ୍ୟାନ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି । ସନ୍ଧ୍ୟାରେ ବିଏସଏଫ କ୍ୟାମ୍ପ ଏବଂ ବଡ଼ପଡାରେ ଥିବା ଏଜୁକେସନ କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି ।
ବୁଧବାର ମଧ୍ୟ ଫାଇଭ-ଟି ସଚିବଙ୍କ ଗୁରୁପ୍ରିୟା ସେତୁ,ଚିତ୍ରକୋଣ୍ଡା, ମାଲକାନଗିରି, କାଲିମେଳା, ମୋଟୁ ଅଞ୍ଚଳ ଗସ୍ତ କରି ଅନ୍ୟାନ୍ୟ ଉନ୍ନୟନ ମୂଳକ ପ୍ରକଳ୍ପର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ସଚିବଙ୍କ ସହ ଜିଲ୍ଲାପାଳ ଵିଶାଲ ସିଂ, ଏସପି ନିତେଶ ୱାଧନୀ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାଏକ, ତ୍ରିନାଥ ମାଝୀ, ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଉପଜିଲ୍ଲାପାଳ ଅକ୍ଷୟ କୁମର ଖେମୁଣ୍ଡୁ ଏବଂ ଅନ୍ଯାନ୍ଯ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ୫ଟି ସଚିବଙ୍କ ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଆଦିବାସୀ ମହିଳାମାନେ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ନିଜ ନିଜ ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ସ୍ବାଗତ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)