୪ ଶ୍ରମକୋଡ୍ ଲାଗୁ କରିବା ପ୍ରତିବାଦରେ ଆଇଏଫଟିୟୁ ପକ୍ଷରୁ କଳାଦିବସ ।

0 304

କୋରାପୁଟ,୦୧/୦୭(ପିପିଟି): ଶ୍ରମିକ ବିରୋଧୀ ଚାରି ଶ୍ରମ କୋଡକୁ ଆଜି ଠାରୁ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ସର୍ବଭାରତୀୟ ଶ୍ରମିକ ସଂଗଠନ ଆଇଏଫଟିୟୁ ପକ୍ଷରୁ ଆଜି ଦେଶବ୍ୟାପୀ କଳାଦିବସର ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଳକସ୍ଥିତ ଆମ୍ପାବାଲି ଠାରେ ଆଇଏଫଟିୟୁ ସହ ଅନୁବନ୍ଧିତ ତୋଷାଳୀ ସିମେଣ୍ଟ କାରଖାନାର ଶ୍ରମିକ ୟୁନିଅନ ପକ୍ଷରୁ କଳାଦିବସ ପାଳନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶୀ ବିଦେଶୀ କର୍ପୋରେଟମାନଙ୍କ ସୁପର୍ ମୁନାଫା ପାଇଁ ମୋଦି ସରକାର ଚାରୋଟି ଶ୍ରମକୋଡ୍ ଆଣି ଦେଶର ଶ୍ରମିକମାନଙ୍କ କଷ୍ଟାର୍ଜିତ ଅଧିକାର ଉପରେ ଆକ୍ରମଣ କରିଛନ୍ତି । ବ୍ରିଟିଶ ଶାସନ କାଳରୁ ଶ୍ରମିକମାନଙ୍କ ସ୍ଵାର୍ଥରେ ତିଆରି ହୋଇଥିବା ଦେଶର ୨୯ଟି ଶ୍ରମ ଆଇନକୁ ଇତି ମଧ୍ୟରେ ଉଚ୍ଛେଦ କରାଯିବା ସହ ତାରି ସ୍ଥାନରେ ଏହି ଶ୍ରମକୋଡର ପ୍ରଣୟନ କରିଛନ୍ତି । ମୋଦି ସରକାରଙ୍କ ଏଭଳି ପଦକ୍ଷେପ ଦେଶର କୋଟି କୋଟି ଶ୍ରମିକ ଓ କର୍ମଚାରୀଙ୍କୁ ସେମାନଙ୍କ ଶ୍ରମ ଅଧିକାର ଓ ସଂଗଠିତ ହେବାର ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରିବ । ଶ୍ରମିକ ଓ କର୍ମଚାରୀଙ୍କୁ ମନଇଚ୍ଛା ଲୁଟ୍ ପାଇଁ ମାଲିକମାନଙ୍କୁ ସୂବର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଇଏଫଟିୟୁ ପକ୍ଷରୁ କୁହାଯାଇଛି । ଏହା ଫଳରେ ବର୍ତ୍ତମାନ ଥିବା ଦୈନିକ ଆଠ ଘଣ୍ଟାର ଶ୍ରମଦିବସ ଏଣିକି ବାର ଘଣ୍ଟିଆ ହେବ । କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନଙ୍କୁ ସୁରକ୍ଷା ବ୍ୟବସ୍ଥା କରିବାକୁ ମାଲିକମାନେ ଆଉ ବାଧ୍ୟ ହେବେନି । କାର୍ଯ୍ୟକ୍ଷେତ୍ରରେ ଶ୍ରମିକମାନଙ୍କ ସ୍ଥିତିକୁ ଯାଞ୍ଚ କରିବାକୁ ଶ୍ରମ ଅଧିକାରୀମାନେ ଆଉ ଯିବେ ନାହିଁ । ଶ୍ରମିକମାନେ ନିଜର ୟୁନିଅନ କରିବେ ନା ନାହିଁ, ତାହା ମାଲିକଙ୍କ ସ୍ଵୀକୃତି ଉପରେ ନିର୍ଭର କରିବ । ସର୍ବୋପରି ଦେଶର ନବେ ଭାଗରୁ ଅଧିକ ଶ୍ରମିକ ସମସ୍ତ ପ୍ରକାର ଶ୍ରମ ଅଧିକାରରୁ ବଞ୍ଚିତ ହେବେ ।

ଏହି ପରିପ୍ରେକ୍ଷୀରେ ଆଜି ଦେଶସାରା କଳା ଦିବସ ପାଳନ ଅବସରରେ ପୂର୍ବାହ୍ନରେ ଆମ୍ପାବାଲି ସ୍ଥିତ ତୋଷାଳୀ ସିମେଣ୍ଟ କାରଖାନାର ମୁଖ୍ୟ ଫାଟକ ସମ୍ମୁଖ ଶ୍ରମିକ ସଂଘର ସଭାପତି ଏମ୍ କ୍ରୀଷ୍ଣା, ସମ୍ପାଦକ ଆପାଲସ୍ଵାମୀ, ରାମୁ, ସନ୍ତୋଷ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱ କାରଖାନାର ଶତାଧିକ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରି କଳାଦିବସ ପାଳନ କରିଥିଲେ । ଶ୍ରମିକ ନେତାମାନେ ମୋଦି ନେତୃତ୍ଵାଧିନ ବିଜେପି ଓ ଆର୍ ଏସ୍ ଏସ୍ ସରକାରଙ୍କ ଶ୍ରମିକ ବିରୋଧୀ ଓ କର୍ପୋରେଟ୍ ସପକ୍ଷବାଦୀ ନୀତିର ଦୃଢ ସମାଲୋଚନା କରିବା ସହ ନିଜ ଅଧିକାରର ସୁରକ୍ଷା ପାଇଁ ଲଢେ଼ଇ କରିବାକୁ ଶ୍ରମିକମାନଙ୍କୁ ଆହ୍ଵାନ ଦେଇଥିଲେ ।

Leave A Reply

Your email address will not be published.