୩୨ତମ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ସମାରୋହ; ଭଞ୍ଜ ମାଟିରେ ଭଞ୍ଜ ସଙ୍ଗୀତ ଓ ଶାସ୍ତ୍ରୀୟ ନୃତ୍ୟକୁ ପ୍ରାଧାନ୍ୟ ।

0 238

ଭଞ୍ଜନଗର,୧୭/୦୩(ପିପିଟି): ଦିନକୁ ଦିନ ଆଧୁନିକ ସଙ୍ଗୀତ ଓ ନୃତ୍ୟ ପ୍ରତି ନୂତନ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି। ଯାହାଫଳରେ ଭଞ୍ଜ ସଙ୍ଗୀତ ଓ ଶାସ୍ତ୍ରୀୟ ନୃତ୍ୟ ଆଜି ଅବହେଳିତ ହୋଇ ନିଜର ସତ୍ତା ହରେଇବାକୁ ବସିଲାଣି। ସତର୍କ ନହେଲେ ଦେଶ ବିଦେଶରେ ଚର୍ଚ୍ଚିତ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ବିଭିନ୍ନ କାବ୍ୟ, କବିତା,ଓଡିଶୀ, ଛାନ୍ଦ ଓ ଶାସ୍ତ୍ରୀୟ ସଙ୍ଗୀତ କ୍ରମଶଃ ଲୋପ ପାଇଯିବ। ତେଣୁ ଲୋକକଳା, ସାହିତ୍ୟ ଓ ସଂସ୍କୃତି ସମ୍ପର୍ଣ୍ଣ ଭଞ୍ଜ ମାଟିରେ ନୂତନ କଳାକାର ମାନେ କିଭଳି ଭଞ୍ଜ ସଙ୍ଗୀତ ଓ ଶାସ୍ତ୍ରୀୟ ନୃତ୍ୟ ପ୍ରତି ଆକୃଷ୍ଟ ହୋଇ ଏହାର ପ୍ରଚାର ଏବଂ ପ୍ରସାରରେ ନିୟୋଜିତ ହେବେ ସେ ସମ୍ପର୍କରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ମାଟି କୁଲାଡ଼ ଠାରେ ବୁଧବାର ସ୍ୱେଚ୍ଛାସେବୀ ସଙ୍ଗଠନ ବାର୍ଡ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ୩୨ତମ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ସମାରୋହରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ନିଜର ମତାମତ ରଖିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ପ୍ରସାଦ କଲେଜର ପ୍ରାକ୍ତନ ଅଧ୍ୟାପକ ଲୋକନାଥ ମହାନ୍ତି, ସମ୍ମାନିତ ଅତିଥି ଆନନ୍ଦ ସଙ୍ଗୀତାୟନର ଗୁରୁ ଅଶୋକ କୁମାର ମହାପାତ୍ର, ନୃତ୍ୟାୟନର ଗୁରୁ ରବି ନାରାୟଣ ଦାଶ, ସ୍ୱୟଂ ସିଦ୍ଧି ଅନୁଷ୍ଠାନରୁ ଗୁରୁ ଅଶୋକ କୁମାର ସ୍ଵାଇଁ, ନାଟ୍ୟକାଟ ତଥା ୟୁନିକ ଡ୍ୟାନ୍ସ ଏକାଡେମୀର ଜୟକୃଷ୍ଣ ପଟ୍ଟନାୟକ, ଅଭିନେତା ତଥା ମୁଭ ଦି ୱାର୍ଲଡ଼ର ଆଶିଷ କୁମାର ଗୌଡ଼,ପ୍ରଜ୍ଞା ଅନୁଷ୍ଠାନର ପ୍ରଭାତ କୁମାର ମହାରଣା ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ସେନା କର୍ମଚାରୀ ତ୍ରିନାଥ ଗୌଡ଼ ସଭାପତିତ୍ୱ କରିଥିବା ବେଳେ ଏମ. ମନୋଜ କୁମାର ପାତ୍ର ସଂଯୋଜନା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଭଞ୍ଜ ସଙ୍ଗୀତ ଓ ଶାସ୍ତ୍ରୀୟ ନୃତ୍ୟର ବିକାଶ ପାଇଁ ନୂତନ କଳାକାରଙ୍କୁ ମାଗଣାରେ ନୃତ୍ୟ ଓ ସଙ୍ଗୀତ ଶିକ୍ଷାଦାନ କରିବାକୁ ଗୁରୁମାନେ କହିଥିଲେ। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ବିଭିନ୍ନ ଗ୍ରାମରେ ଆୟୋଜନ କରିବା ସହ କୁଲାଡ଼ ଠାରେ ଏକ ସଙ୍ଗୀତ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ପାଇଁ ମତ ପ୍ରକାଶ ପାଇଥିଲା। ଭଞ୍ଜ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ଭଞ୍ଜ ସଙ୍ଗୀତ, ସାହିତ୍ୟ ଓ ପ୍ରବନ୍ଧରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ବିଭିନ୍ନ କଳାକାରଙ୍କ ଦ୍ବାରା ଓଡିଶୀ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଅରକ୍ଷିତ ପରିଛା ଓ ଅନ୍ୟ ସ୍ୱେଚ୍ଛାସେବୀ ମାନେ ଏଥିରେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.