ରାୟଗଡା,୧୫/୦୬(ପିପିଟି);ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ପୁଣି ଏକ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ହୁକୁମତୋଳା ଭୈରବ ମନ୍ଦିର ନିକଟରୁ ଏକ ବାଇକ OR 05 AU 4590 ସହ ୨୨ କେଜି ଗଞ୍ଜେଇ ଜବତ କରିଥିବା ସହ ଜଣକୁ ଗିରଫ କରିଛି । ଗିରଫ ଜଣକ ହେଉଛନ୍ତି ଗଜାକୁପୁଲି ଗାଁ ର ଧନେଶ୍ବର ସାରକା। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଏହି ଗଞ୍ଜେଇ ଚନ୍ଦ୍ରପୁର ଥାନା ହନୁମନ୍ତପୁର ଅଞ୍ଚଳରୁ ମୁନିଗୁଡା ଆସୁଥିବା ଜଣା ପଡିଛି। ଏମାନେ କେଉଁଠି ବିକ୍ରି ପାଇଁ ଆଣୁଥିଲେ ତାହା ପୋଲିସ ତଦନ୍ତ କରୁଥିବା ବେଳେ ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରିବା ସହ କେସ୍ ନମ୍ବର ୭୫/୨୧ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ସୁଜ୍ଞାନୀ ସାହୁ। ଚାରିଚକିଆରେ ଗଞ୍ଜେଇ ଚାଲାଣ କଲେ ଧରାପଡିଯିବାର ଅଧିକ ଆଶଙ୍କାଥିବାରୁ ଦୁଇଚକିଆକୁ ନିରାପଦ ମନେ କରୁଥିଲେ ମାଫିଆ,ମାତ୍ର ପୋଲିସର ଧରପଗଡ଼ରେ ସବୁ ଯୋଜନା ଭଣ୍ଡୁର ହୋଇଗଲା ବୋଲି ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି।
(ରିପୋର୍ଟ- ନବୀନ ନାୟକ ବେହେରା। )