ଭଞ୍ଜନଗର,୦୬/୧୧(ପିପିଟି): ପଡୋଶୀ କନ୍ଧମାଳ ଜିଲ୍ଲାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପ୍ରତ୍ୟେକ ଦିନ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ହେଉଛି। ପୁଲିସ ବାରମ୍ବାର ଚଢ଼ାଉ କରି ବ୍ୟବସାୟୀ ମାନଙ୍କୁ ଗିରଫ କରୁଥିଲେ ମଧ୍ୟ ନୂତନ ବ୍ୟବସାୟୀ ଏହି କାର୍ଯ୍ୟରୁ ନିବୃତ୍ତ ହେଉ ନ ଥିବାରୁ ଅବକାରୀ ବିଭାଗ ଓ ପୁଲିସ ପାଇଁ ଚିନ୍ତାର କାରଣ ସାଜିଛି। ପୁଣିଥରେ ଶନିବାର ଭଞ୍ଜନଗର ପୋଲିସ ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରି ସେମାନଙ୍କ ଠାରୁ ଏଥିରେ ବ୍ୟବହୃତ ଏକ କାର ଏବଂ ୬୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି। ଶନିବାର ଅପରାହ୍ନ ସମୟରେ ଭଞ୍ଜନଗର-ଫୁଲବାଣୀ ରାସ୍ତାର ନିଧିଆପଲ୍ଲୀ ଛକ ନିକଟରେ ପୁଲିସ ଏସ୍ଆଇ କେଶବ ଷଡଙ୍ଗୀ ଓ ଅନ୍ୟ କର୍ମଚାରୀ ଗାଡି ମୋଟର ଯାଞ୍ଚ କରୁଥିବା ବେଳେ ଏକ ଵିଶେଷ ସୂତ୍ରରୁ ଉକ୍ତ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲେ। ଏହା ପରେ ପୁଲିସ ଖାରିଗୁଡା ଟୋଲ ଗେଟ ନିକଟରେ ଛକି ରହିଥିବା ବେଳେ ସନ୍ଦେହରେ ପଶ୍ଚିମବଙ୍ଗ ରାଜ୍ୟର ନମ୍ବର ଡବ୍ଲୁବି ୫୨ ଏସ ୮୭୯୦ଥିବା ଏକ କାରକୁ ଅଟକାଇ ତଲାସୀ କରିଥିଲା। ଯାଞ୍ଚ ବେଳେ ଗାଡି ମଧ୍ୟରୁ ତିନୋଟି ଜରିବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ପରେ ତହସିଲଦାର ତଥା ମାଜିଷ୍ଟ୍ରେଟ ଅଚ୍ୟୁତାନନ୍ଦ ଜାନୀଙ୍କ ଉପସ୍ଥିତରେ ଗଞ୍ଜେଇ ଓଜନ କରାଯିବା ପରେ ଏହା ୬୦,୮୩୦କେଜି ଥିବା ଜଣାପଡିଥିଲା। ଏହି ବେଆଇନ ଗଞ୍ଜେଇ ଚାଲାଣରେ ଜଡିତ ଥିବା ପଶ୍ଚିମବଙ୍ଗ ନୈଡା ଜିଲ୍ଲାର ସୁନ୍ଦର ପୁର,ହାଟ ପଦାର ରାଣା ସେଖ୍ (୧୯) ଏବଂ ଅରବ ପୁର, ଦକ୍ଷିଣପଡାର ସୁମନ ପ୍ରାମାଣିକ୍ (୨୪) ନାମକ ଦୁଇ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ମାନେ କନ୍ଧମାଳ ଜିଲ୍ଲାର କଳିଙ୍ଗାରୁ ପଶ୍ଚିମବଙ୍ଗ ଅଭିମୁଖେ ବ୍ୟବସାୟ ଉଦ୍ଦେଶ୍ୟରେ ଉକ୍ତ ଗଞ୍ଜେଇ ନେଉଥିଲେ। ଏ ନେଇ ଥାନା କେସ ନଂ ୫୯୪/୨୨ ରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଧିରେସ କୁମାର ଦାସ ସୂଚନା ଦେଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post
Next Post