୧୭୭ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଅନୁଦାନକୁ ଚାହିଁ ଚାହିଁ ବୟସର ଅପରାହ୍ନରେ ଶିକ୍ଷକ ଶିକ୍ଷୟିତ୍ରୀ ।

0 340

ବେଲଗୁଣ୍ଠା,୦୩/୦୭(ପିପିଟି); ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ମାଧ୍ୟମିକ ଶିକ୍ଷା ଯୋଗାଇଦେବା ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ଶହ ଶହ ଯୋଜନା । ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଖଞ୍ଜି ଚାଲିଛନ୍ତି ଗୋଟାଏ ପରେ ଗୋଟାଏ ସ୍ମାର୍ଟ୍ କ୍ଲାସ୍ । କିନ୍ତୁ ଏହି ଶିକ୍ଷା ବ୍ୟବସ୍ଥାର ମେରୁଦଣ୍ଡ ସାଜିଥିବା ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ସରକାର ଆଖି ବୁଜି ଦେଇଛନ୍ତି । ବିଶେଷ କରି ଓଡ଼ିଶାର ୧୭୭ ଟି ପଞ୍ଚାୟତରେ ଥିବା ୧୭୭ ଟି ଅଣଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଏବଂ ଏହାର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ସରକାର ନିଷ୍ଠୁର ହୋଇପଡିଛନ୍ତି । ଦୀର୍ଘ ଦିନ ଧରି ଏହି ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ କର୍ମଚାରୀଙ୍କ ବାରମ୍ବାର ଦାବି ପରେ ରାଜ୍ୟ ସରକାର ଚାରି ପାଞ୍ଚ ବର୍ଷ ହେବ ଅନୁଦାନ ଦିଆଯିବ କହି ଭଣ୍ଡାଇ ଚାଲିଥିଲେ ମଧ୍ୟ ଏ ଦିଗରେ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ ନ କରିବା ବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କୁ ହତୋତ୍ସାହିତ କରିଛି । କୌଣସି ପ୍ରକାର ଅନୁଦାନ ନପାଇ ଦୀର୍ଘ ୨୦/୨୫ ବର୍ଷର ଚାକିରି ପରେ ବହୁ ଶିକ୍ଷକ କର୍ମଚାରୀ ବୟସର ଅପରାହ୍ଣରେ ପହଞ୍ଚି ଚାକିରୀରୁ ଅବସର ନେଇସାରିଥିବା ବେଳେ କିଛି ଶିକ୍ଷକ ମଧ୍ୟ ଅନୁଦାନକୁ ଚାହିଁ ଚାହିଁ ଆଖି ବୁଜି ସାରିଲେଣି । ଏତେ ଅଭାବ ଅନଟନ ମଧ୍ୟରେ ଏହି ଶିକ୍ଷକ କର୍ମଚାରୀଙ୍କ ପରିବାର ଅତି ଦୟନୀୟ ଅବସ୍ଥା ମଧ୍ୟରେ ଦିନ କାଟୁଥିବା ବେଳେ ଏହାର ପ୍ରଭାବ ସେହି ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ଉପରେ ପଡ଼ିଛି । ଅଣଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ପଢୁଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ଅବ୍ୟବସ୍ଥା ଭିତରେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଅନୁଦାନ ଅଭାବରେ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିର କୌଣସି ଊନ୍ନତି ହୋଇ ନ ପାରିବା ଯୋଗୁଁ ପାଠ ପଢା ନିମିତ୍ତ କୌଣସି ମୌଳିକ ସୁବିଧା ନ ପାଇ ଗ୍ରାମାଞ୍ଚଳ ଗୁଡ଼ିକରେ ଛାତ୍ରଛାତ୍ରୀ ମାନେ ଅଧାରୁ ପାଠ ଛାଡୁଛନ୍ତି ଯାହା ସରକାର ଜାଣୁଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜି ରହିବା ଶିକ୍ଷା ବ୍ୟବସ୍ଥା ପ୍ରତି କୁଠାରଘାତ ସଦୃଶ ହୋଇଛି । ଏହା ଭିତରେ ପୁଣି ଅଭାବୀ ଶିକ୍ଷକ କର୍ମଚାରୀଙ୍କ କଟା ଘାଆରେ ଚୂନ ଛିଟା ମାରିଛି ବର୍ତ୍ତମାନର କରୋନା ପରିସ୍ଥିତି । କରୋନା ସମୟରେ ବିଭିନ୍ନ ଅତ୍ୟାବଶ୍ୟକ ଦ୍ରବ୍ୟର ଅହେତୁକ ଦରଦାମ୍ ବୃଦ୍ଧି ଫଳରେ ଏହାର ଚକ୍ରବ୍ଯୁହରେ ପେଷି ହୋଇଯାଇଛନ୍ତି ଏହି ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ମାନେ । ଏପରିକି ଏହି ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ବହୁ ଶିକ୍ଷକ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଉତ୍ତମ ଚିକିତ୍ସା ନପାଇ ପ୍ରାଣ ହରାଇଥିଲେ ମଧ୍ୟ ସେମାନଙ୍କ ପ୍ରତି ସରକାରଙ୍କ ସହାନୁଭୂତି କାଣିଚାଏ ନ ମିଳିବା ଆଶ୍ଚର୍ଯ୍ୟର ବିଷୟ ବସ୍ତୁ ପାଲଟିଛି । କରୋନା ସମୟରେ ସରକାର ବୁଲା କୁକୁର ଏବଂ ଗାଈଗୋରୁଙ୍କ ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ ମଧ୍ଯ ଏହି ଅଣ ଅନୁଦାନ ପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ପ୍ରତି ଆଖି ବୁଜି ଦେଇଛନ୍ତି । ସୂଚନା ଥାଉ କି ୧୯୯୪ ଶିକ୍ଷାନୀତିରେ ତତ୍କାକାଳୀନ ସୁନାମଧନ୍ୟ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ଓଡ଼ିଶାର ପ୍ରତି ପଞ୍ଚାୟତରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରାଯାଇ ଅନୁଦାନ ଦେବା ପାଇଁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଓଡ଼ିଶାର ବହୁ ପଞ୍ଚାୟତରେ ସ୍ଥାନୀୟ ଜନସାଧାରଣ ନିଜ ନିଜର ପ୍ରଚେ଼ଷ୍ଟାରେ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିବା ସହ ଉଚ୍ଚ ଡିଗ୍ରୀ ଧାରୀ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ଯ ନିଯୁକ୍ତି କରି ସରକାରୀ ଅନୁଦାନରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଆଶା କରି ବସିଥିଲେ । କିନ୍ତୁ ୧୯୯୯ ମହାବାତ୍ୟା ପରେ ମାନ୍ୟବର ଓଡ଼ିଶା ସରକାର ଆର୍ଥିକ ସମସ୍ୟାର ଆଳ ଦେଖାଇ ସମସ୍ତ ଅନୁଦାନ ବନ୍ଦ କରିଦେଲେ । ଫଳରେ ବିଦ୍ୟାଳୟ ଗୁଡ଼ିକର ହଜାର ହଜାର ଶିକ୍ଷକ କର୍ମଚାରୀ ବାରମ୍ବାର ରାଜ ରାସ୍ତାକୁ ଓହ୍ଳାଇବା ପରେ ୨୦୦୪ ମସିହାରେ ବିଦ୍ୟାଳୟ ଗୁଡିକ ପାଇଁ ବ୍ଳକ୍ ଗ୍ରାଣ୍ଟ୍ ବ୍ୟବସ୍ଥା କରି ଦୀର୍ଘ ଦିନ ଧରି ଶିକ୍ଷକ ମାନଙ୍କୁ ଭୁଆଁ ବୁଲାଇଲେ । ୨୦୧୫ ମସିହାରେ ରାଜ୍ୟ ସରକାର ୫୬୬ ଟି ବିଦ୍ୟାଳୟ ମଧ୍ୟରୁ ୩୯୯ ଟି ଉଚ୍ଚ ବିଦ୍ୟାଲୟକୁ ଅନୁଦାନ ଘୋଷଣା କରିଥିଲେ ମଧ୍ୟ ଏହା ଶିକ୍ଷକ କର୍ମଚାରୀଙ୍କୁ ଲଲିପପ୍ ଦେବା ଭଳି କାର୍ଯ୍ୟ ଥିଲା । ଏହି ଅନୁଦାନରେ ନା ଅଛି ଶିକ୍ଷକ କର୍ମଚାରୀଙ୍କ ଚାକିରୀ ସର୍ତ୍ତାବଳୀ ନା ଅଛି ଅବସର ପରବର୍ତ୍ତୀ କୌଣସି ସୁବିଧା ସୁଯୋଗ । ତଥାପି ଚାକିରୀ ଜୀବନର ଶେଷ ସମୟରେ ଅନ୍ୟ ଉପାୟ ନ ପାଇ ସରକାରଙ୍କ ଏହିଭଳି ପକ୍ଷପାତି ଯୋଜନା ଏବଂ ସରକାରଙ୍କ ହ୍ଁ ରେ ହ୍ଁ ମାରୁଥିବା କିଛି ନେତାଙ୍କ ନୀରବତାକୁ ସହି ଯାଇଥିଲେ ଶିକ୍ଷକମାନେ । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଯେ ସରକାର ୨୦୧୫ ରେ ୩୯୯ ଟି ବିଦ୍ୟାଳୟକୁ ଅନୁଦାନ ଦେଇଥିଲେ ମଧ୍ଯ ଆହୁରି ୧୬୭ ଟି ବିଦ୍ୟାଳୟକୁ ବିଭିନ୍ନ ଆନୁସଙ୍ଗିକ ତଥା ଭିତ୍ତିଭୂମି ଅଭାବର ଆଳ ଦେଖାଇ ଅନୁଦାନ ପାଇବାରୁ ବଞ୍ଚିତ କରିଥିଲେ ଯାହାର ସଂଖ୍ୟା ବର୍ତ୍ତମାନ ୧୭୭ ରେ ପହଞ୍ଚିଛି । ଫଳରେ ଆଜି ପର୍ଯ୍ୟନ୍ତ ସେହି ବିଦ୍ୟାଳୟର ଛାତ୍ର ଛାତ୍ରୀ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେବା ସହ ଶିକ୍ଷକ କର୍ମଚାରୀ ମାନେ ମଧ୍ୟ ନିଜର ମାନସିକ ଭାରସାମ୍ୟ ହରାଇ ସାରିଲେଣି । ସୂଚନା ଥାଉ କି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଝାଡବନ୍ଧ,କୁମ୍ଭାରୀ,ଡାବିକିଗୋଛା, ମୁଜାଗଡ, ସାତପହଣ୍ଡିଆ, ପଥରା, ଡିମିରିଆ,ସାମନ୍ତରାପୁର ,ଅନ୍ତରିଗାଁ, ବାଲାନ୍ତର,ଆମ୍ବ ପୁଆ,ଏବଂ ବ୍ରହ୍ମପୁରର ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଳି ଦଶଟି ଉଚ୍ଚ ବିଦ୍ୟାଳୟ ଅନୁଦାନ ପାଇବାରୁ ବଞ୍ଚିତ ହୋଇଛି । ସରକାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପରିଣତ କରୁଛନ୍ତି କିନ୍ତୁ ସେହି ପଞ୍ଚାୟତ ଗୁଡ଼ିକରେ ପୂର୍ବରୁ ଥିବା ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ଧ୍ୟାନ ନଦେବା ଫଳରେ ବିଦ୍ୟାଳୟ ଗୁଡ଼ିକ ଅବହେଳିତ ଅବସ୍ଥାରେ ନିଜର ସତ୍ତା ହଜାଇବାକୁ ବସିଲେଣି । ବିଶେଷ କରି ଗ୍ରାମାଞ୍ଚଳର ବହୁ ଆର୍ଥିକ ଅନଗ୍ରସର ଜନ ସାଧାରଣ ନିଜ ପିଲାଙ୍କ ଭବିଷ୍ୟତ ଗଠନ ପାଇଁ ଏହି ୧୭୭ ଉଚ୍ଚ ବିଦ୍ୟାଳୟ ଉପରେ ନିର୍ଭର କରୁ୍ଥିବା ବେଳେ ବର୍ତ୍ତମାନ ବିଦ୍ୟାଳୟ ଗୁଡ଼ିକର ଶୋଚନୀୟ ଅବସ୍ଥା ଯୋଗୁଁ ସେହି ଗ୍ରାମର ଗରୀବ ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯିବାର ଦେଖା ଦେଇଛି । ତେଣୁ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ବୃହତ୍ ସ୍ଵାର୍ଥ ଦୃଷ୍ଟିରୁ ସରକାର ସେହି ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ଅନୁଦାନ ଦେଇ ଭିତ୍ତିଭୂମି ସଜାଡ଼ିବାକୁ କିଛି ସମୟ ସୀମା ଦେବାକୁ ଦାବି ହୋଇଛି । ଯଦି ସରକାର ଆଗାମୀ ବଜେଟ୍ ଅଧିବେଶନ ପୂର୍ବରୁ ଏ ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ ୧୭୭ ବିଦ୍ୟାଳୟରେ ତାଲା ପଡ଼ିବାର ଅଧିକ ସମ୍ଭାବନା ରହିଛି ବୋଲି ବହୁ ବିଦ୍ୟାଳୟର ସଭାପତି ଏବଂ ସମ୍ପାଦକ ମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ତେଣୁ ସରକାର ଅନ୍ତତଃ ଶିକ୍ଷକ କର୍ମଚାରୀଙ୍କ ଅପରାହ୍ଣ ବୟସରେ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ଯୋଗାଇଦେଲେ ସେମାନଙ୍କ ପରିବାର ସଦସ୍ୟଙ୍କ ଶୁଖିଲା ମୁହଁରେ ହସ ଫୁଟିବା ସହିତ ଏହି ବିଦ୍ୟାଳୟ ଗୁଡିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମଧ୍ୟ ସଜାଡ଼ି ହୋଇପାରନ୍ତା । ଏବେ ଦେଖିବାକୁ ବାକି ରହିଲା ନୀରିହ ଛାତ୍ର ଛାତ୍ରୀଙ୍କ ନିଷ୍ପାପ ମୁହଁ ଆଉ ଶିକ୍ଷକ କର୍ମଚାରୀଙ୍କ ଭୋକିଲା ପେଟ ସରକାରଙ୍କ ଉପରେ କେତେ ପ୍ରଭାବ ପକାଇ ପାରୁଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.