ଭୁବନେଶ୍ବର; କରୋନାର ସଫଳ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଫାବିପିରାଭିର ଔଷଧକୁ ବଜାରରେ ବ୍ଯାପକ ମାତ୍ରରେ ଉପଲବ୍ଧ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ଏହାକୁ ନେଇ ରାଜ୍ୟ ଭେଷଜ ନିୟନ୍ତ୍ରକଙ୍କ ପକ୍ଷରୁ ସବୁ ଭେଷଜ ନିରୀକ୍ଷକ ମାନଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ସୂଚନା ଅନୁଯାୟୀ ପୂର୍ବରୁ ରାଜ୍ୟରେ ୩୦୦ଟି ଦୋକାନରେ ଏହି ଔଷଧ ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ସରକାରଙ୍କ ପକ୍ଷରୁ ଏହି ଔଷଧର ଫଳପ୍ରଦକୁ ନେଇ ଏବେ ରାଜ୍ୟରେ ପ୍ରାୟ ୧୨୦୦ ଔଷଧ ଦୋକାନରେ ଉପଲବ୍ଧ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଭେଷଜ ନିୟନ୍ତ୍ରକ ନିର୍ଦ୍ଦେଶନାମା ଅନୁଯାୟୀ ୫ଟି ଯାକ ମହାନଗର ନିଗମରେ ୪୦ଟି ଲେଖାଏଁ ଦୋକାନରେ ଏହି ଔଷଧ ବିକ୍ରି ପାଇଁ କୁହାଯାଇଛି । ସେହିପରି ଜିଲ୍ଲାସ୍ତରରେ ୩୦ ରୁ ୬୦ଟି ଦୋକାନୀ ଯେଭଲିକି ଏହି ଔଷଧ ବିକ୍ରି କରିପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।